ଭୁବନେଶ୍ୱର : ବିଶ୍ୱକପ୍ ହକି ସରିବା ପରେ ଏବେ ରାସ୍ତାପାଶ୍ୱର୍ରୁ ଉଚ୍ଛେଦ ହୋଇଥିବା ବ୍ୟବସାୟୀମାନେ ସେମାନଙ୍କ ପୁରୁଣା ସ୍ଥାନକୁ ଫେରିବା ଆରମ୍ଭ କରିଛନ୍ତି । ଏହି ମଉକାରେ କେତେକ ବ୍ୟବସାୟୀ ବିଭିନ୍ନ ସ୍ଥାନକୁ ଜବରଦଖଲ ସହିତ ତାହାକୁ ଭଡା ଦେଉଥିବାବେଳେ ବିଏମ୍ସି କିନ୍ତୁ ନିଦାବିଷ୍ଣୁ ହୋଇଛି ।
ହକି ବିଶ୍ୱକପ୍ ପୂର୍ବରୁ କଳିଙ୍ଗ ଷ୍ଟାଡିୟମର ଆଖପାଖ ଠାରୁ ଆରମ୍ଭକରି ସହରର ବିଭିନ୍ନ ସ୍ଥାନରେ ଉଠାଦୋକାନୀ ଓ ଜବରଦଖଲକାରୀଙ୍କୁ ହଟାଯାଇଥିଲା । ଖେଳ ଶେଷ ପର୍ଯ୍ୟନ୍ତ ଉଚ୍ଛେଦ ହୋଇଥିବା ବ୍ୟବସାୟୀମାନେ ମୁହଁମାଡି ରହିଥିଲେ । ପେଟ ପାଟଣା ପାଇଁ କିଛି ବ୍ୟବସାୟୀ ସେମାନଙ୍କ ପୁରୁଣା ସ୍ଥାନରେ ଛତା ମାରି ବସି ବେପାର କରୁଥିଲେ ।
ହେଲେ ଏବ ବିଶ୍ୱକପ୍ ସରିବାପରେ ଧିରେ ଧିରେ ବ୍ୟବସାୟୀମାନେ ରାସ୍ତାକଡରେ ସେମାନଙ୍କ ପସରା ଖୋଲିବା ଆରମ୍ଭ କରିଛନ୍ତି । ଏମାନଙ୍କ ପଛପଟେ ରଙ୍ଗ ବେରଙ୍ଗର କାନ୍ଥ ଲୁଚିବା ସହିତ ରାସ୍ତା ଉପରେ ବି ଧିରେ ଧିରେ ଅଳିଆ ଆବର୍ଜନା ଗଦା ହେବାରେ ଲାଗିଲାଣି । ଖାଲି ସେତିକି ନୁହେଁ କିଛି ସ୍ଥାନରେ ବି ଖେଳ ପୂର୍ବର ଟ୍ରାଫିକ ଭିଡ ଦେଖିବାକୁ ମିଳିଲାଣି ।
ହେଲେ ଏଭଳି ସ୍ଥିତିରେ ବିଏମ୍ସି କିମ୍ବା ସାଧାରଣ ପ୍ରଶାସନ ବିଭାଗ ଆଉ ପୂର୍ବଭଳି କାର୍ଯ୍ୟାନୁଷ୍ଠାନ ହେବାର ଦେଖାଯାଉ ନାହିଁ । ଏହାର ସୁଯୋଗରେ ଏବେ ପୁରୁଣା ବ୍ୟବସାୟୀଙ୍କ ସହିତ କିଛି ନୂଆ ବ୍ୟବସାୟୀ ବି ରାସ୍ତାକଡରେ ପସରା ଖୋଲିବା ଆରମ୍ଭ କରିଛନ୍ତି । ସ୍ଥାନୀୟ କିଛି ଯୁବକମାନେ ବି ମଉକା ଦେଖି ରାସ୍ତାକଡରେ ଥିବା ଜମିକୁ ବେଆଇନ୍ ଭାବେ ଭଡା ଦେବା ସହିତ ବିକ୍ରି କରିଦେବା ଆରମ୍ଭ କରିଛନ୍ତି ।
କେବଳ ପୁରୁଣା ବ୍ୟବସାୟୀମାନେ ରାସ୍ତାକଡକୁ ଫେରିବା ଆରମ୍ଭ କରିନାହାନ୍ତି ରାସ୍ତାଘାଟରେ ବି ପୂର୍ବଭଳି ଅଳିଆ ଜମା ହେବାରେ ଲାଗିଛି । ହକି ଖେଳ ବେଳେ ସଫେଇ ସଂସ୍ଥାଗୁଡିକ ଯେଭଳି ତ୍ୱରିତ ବେଗରେ ଅଳିଆ ଉଠାଉଥିଲେ ତାହା ଆଉ ନାହିଁ । ଫଳରେ ବିଭିନ୍ନ ସ୍ଥାନରେ ହାଟ ବଜାର ସମେତ ବ୍ୟବସାୟ ପ୍ରତିଷ୍ଠାନର ଅଳିଆ ଗଦାହୋଇ ରହୁଛି ।
ଉଲ୍ଲେଖନୀୟ ଯେ ରାଜଧାନୀର ରାସ୍ତାକଡରେ ଥିବା ଡଷ୍ଟବିନ୍ଗୁଡିକୁ ବିଏମ୍ସି ହଟାଇଦେବା ପରେ ରାସ୍ତାଉପରେ ସଫେଇ କର୍ମଚାରୀମାନେ ଅଳିଆ ଗଦାଇ ଦେଉଛନ୍ତି । ପରେ ବିଏମ୍ସିର ଅଳିଆ ଉଠା ଗାଡି ତାହାକୁ ଉଠାଇ ଦେଉଛି । ପୂର୍ବରୁ ଦିନେ ଦୁଇଦିନ ପରେ ଅଳିଆ ଉଠୁଥିବାବେଳେ ହକି ଖେଳ ସମୟରେ ତାହାକୁ ତୁରନ୍ତ ଉଠାଇ ନିଆଯାଉଥିଲା । ହେଲେ ଏବେ ଅବସ୍ଥା ପୁଣି ପୂର୍ବ ସ୍ଥିତିକୁ ଫେରୁଥିବା ଲକ୍ଷ୍ୟ କରାଯାଉଛି । ରାସ୍ତାଉପରେ ଅଳିଆ ଗଦା ହେବାର ସ୍ଥିତି କିଭଳି ଉତ୍କଟ ତାହା କେହି ଜଣେ ଚାରିନମ୍ବର ମାଛ ମାର୍କେଟ ଅଞ୍ଚଳକୁ ଆସିଲେ ଦେଖିପାରିବେ । ଏଠାରେ ମାଛ କାତି, ପୁଟା ଆଦି ରାସ୍ତାଉପରେ ପଡି ରହିବା ଫଳରେ ଦୁର୍ଗନ୍ଧରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ନାକ ଫାଟି ପଡୁଛି ।
ତେଣୁ ହକି ବିଶ୍ୱକପ୍ ପାଇଁ ପ୍ରଶାସନ ଯେଭଳି ତତ୍ପରତା ଦେଖାଇଥିଲା ତାହା ଜାରି ରଖିବାକୁ ସାଧାରଣରେ ମତ ପ୍ରକାଶ ପାଉଛି । ନହେଲେ କୋଟି କୋଟି ଟଙ୍କା ବ୍ୟୟରେ ରାଜଧାନୀର ଯେଉଁ ସୌନ୍ଦର୍ଯ୍ୟକରଣ ହୋଇଥିଲା ତାହା ଦିନ କେଇଟାରେ ଛାରଖାର ହୋଇଯିବା ଏକ ପ୍ରକାର ନିଶ୍ଚିତ । (ତଥ୍ୟ)