Home Health ହଇଜା ଅଞ୍ଚଳରେ ମେଗାପାନୀୟଜଳ ପ୍ରକଳ୍ପର ସ୍ଥିତି

ହଇଜା ଅଞ୍ଚଳରେ ମେଗାପାନୀୟଜଳ ପ୍ରକଳ୍ପର ସ୍ଥିତି

ଭୁବନେଶ୍ୱର : ରାଜ୍ୟର ଦୁଇ ଦୁଇଟି ଜିଲ୍ଲାରେ ହଇଜାର ଭୂତାଣୁ ଚିହ୍ନଟ ହେବା ଏବଂ ଝାଡାବାନ୍ତିରେ ୧୦ରୁ ଅଧିକ ଲୋକଙ୍କ ଜୀବନ ଯିବାପରେ ଏବେ ପାନୀୟଜଳ ପ୍ରକଳ୍ପକୁ ନେଇ ପ୍ରଶ୍ନବାଚୀ ଉଠିଛି । କୋଟି କୋଟି ଟଙ୍କା ବ୍ୟୟରେ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ ପ୍ରଭାବିତ ଅଞ୍ଚଳରେ ଏହା କିଭଳି କାର୍ଯ୍ୟକାରୀ ହେଉଛି ତାହାର ତୁରନ୍ତ ସମୀକ୍ଷା ପାଇଁ ଦାବି ଉଠିଲାଣି ।

ଯାଜପୁର ଜିଲ୍ଲାରୁ ଆରମ୍ଭ ହୋଇଥିବା ଝାଡାବାନ୍ତି ଏବେ ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରୁ ବ୍ୟାପିବା ସହିତ ସେଠାରେ ମୁଣ୍ଡ ନେଲାଣି । ପାନୀୟଜଳ ଦୂଷିତ କାରଣରୁ ହଇଜା ବ୍ୟାପିଛି ବୋଲି କହିବା ସହିତ ସ୍ୱାସ୍ଥ୍ୟ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ଏହା ମୁକାବିଲା କରିବାରେ ଲାଗିଛି । ହେଲେ ଝାଡାବାନ୍ତି କିନ୍ତୁ ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି ।

ବିଶେଷଜ୍ଞମାନେ ଏଭଳି ରୋଗ ପାଇଁ ପାନୀୟଜଳକୁ ଦାୟୀ କରୁଥିବାବେଳେ ଯେଉଁସବୁ ଅଞ୍ଚଳରେ ଏହା ବ୍ୟାପିଛି ସେଠାରେ ପାନୀୟଜଳର ସ୍ଥିତି କ’ଣ ସେଥିନେଇ କୌଣସି ସମୀକ୍ଷା ହେଉନାହିଁ । ବିଶେଷକରି ସେହିସବୁ ଅଞ୍ଚଳରେ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି କି ନାହିଁ, ଯଦି ହୋଇଛି ତେବେ ଲୋକେ ଦୂଷିତ ପାଣି ବ୍ୟବହାର କାହିଁକି କଲେ ତାହା ବଡ ପ୍ରଶ୍ନବାଚୀ ହୋଇଛି ।

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ ଧାର୍ଯ୍ୟ ସମୟରେ ଏହା ସରୁନାହିଁ । ସରକାର ସମୟ ପରେ ସମୟ ବଢାଇ ଚାଲିଛନ୍ତି । ଇତି ମଧ୍ୟରେ ମେଗା ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା କେତେକ ସଂସ୍ଥା ଆଗୁଆ ପଇସା ନେଇ ପ୍ରକଳ୍ପକାର୍ଯ୍ୟ ଧିମା କରୁଥିବାରୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

ସେହିଭଳି ରାଜ୍ୟର ବହୁ ଅଞ୍ଚଳରେ କୋଟିକୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ପାନୀୟଜଳ ପ୍ରକଳ୍ପ ଲୋକଙ୍କ କାମରେ ଆସୁନାହିଁ । ପାଣିଟାଙ୍କି ହୋଇଛି, ପାଇପ୍‍ ବିଛା ଯାଇଛି, ମୋଟର ବି ଲାଗିଛି, ହେଲେ ଲୋକଙ୍କ ଘରକୁ ପାଣି ଆସୁନାହିଁ । ଉପକୂଳ ଜିଲ୍ଲାର ଅନେକ ସ୍ଥାନରେ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏଠାରେ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ଯେଉଁ ଲକ୍ଷ୍ୟ ରହିଥିଲା ତାହା ଘୁଞ୍ଚି ଘୁଞ୍ଚି ଯାଉଛି । ଯେହେତୁ ପ୍ରକଳ୍ପକାମ ସାରି ଠିକାଦାର ଅର୍ଥ ନେଇ ପଳାଇଲେଣି ତେଣୁ ସେହିସବୁ ସ୍ଥାନରେ ଲୋକେ ଆଉ ପାନୀୟଜଳ ପ୍ରକଳ୍ପ ଜରିଆରେ ବିଶୁଦ୍ଧ ପାଣି ପାଇବେ କି ନାହିଁ ସେହି ଚିନ୍ତାରେ ରହିଛନ୍ତି ।

ଝାଡାବାନ୍ତି ପ୍ରଭାବିତ ଅଞ୍ଚଳକୁ ସ୍ୱାସ୍ଥ୍ୟ ବିଭାଗ ଏକାଧିକ ଟିମ୍‍ ପଠାଉଥିବାବେଳେ ପାନୀୟଜଳ ପ୍ରକଳ୍ପର ତଦାରଖ ସହିତ ଜଳ ଯୋଗାଣର ସମୀକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି । ବର୍ଷାଋତୁ ଆରମ୍ଭ ହୋଇଯାଇଥିବାରୁ ରାଜ୍ୟର ସମସ୍ତ ଅଞ୍ଚଳରେ ମେଗା ପାନୀୟଜଳ ପ୍ରକଳ୍ପର ସମୀକ୍ଷା ସହିତ ଲୋକେ ଯେଭଳି ବିଶୁଦ୍ଧ ପାନୀୟଜଳ ପାଇପାରିବେ ତାହା ଉପରେ ପଦକ୍ଷେପ ନନେଲେ ଅନ୍ୟ ଅଞ୍ଚଳରେ ଯାଜପୁର ସ୍ଥିତି ଉପୁଜିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି । (ତଥ୍ୟ)