ଭୁବନେଶ୍ୱର : ଭାରତୀୟ ସଡ଼କ କଂଗ୍ରେସର ଭୁବନେଶ୍ୱରରେ ଅନୁଷ୍ଠିତ ୮୪ତମ ଅଧିବେଶନରେ ଉନ୍ନତମାନର ସଡ଼କ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଥିବାବେଳେ ଓଡ଼ିଶାରେ କିନ୍ତୁ ପୂର୍ତ୍ତ ବିଭାଗର ସଡ଼କ ଓ କୋଠବାଡ଼ି ନିର୍ମାଣ ତଥା ରକ୍ଷଣାବେକ୍ଷଣ ଲାଗି ପର୍ଯ୍ୟାପ୍ତ ସଂଖ୍ୟକ ଯନ୍ତ୍ରୀ ନାହାନ୍ତି । ମାନବ ସମ୍ବଳ ଅଭାବ ଏ କ୍ଷେତ୍ରରେ ପ୍ରମୁଖ ପ୍ରତିବନ୍ଧକ ବୋଲି ବହୁ ଅବସରପ୍ରାପ୍ତ ଓ କାର୍ଯ୍ୟରତ ଯନ୍ତ୍ରୀ ସ୍ୱୀକାର କରୁଛନ୍ତି ।
ସରକାରୀ ତଥ୍ୟ ମୁତାବକ ପୂର୍ତ୍ତ ବିଭାଗରେ ୪ ହଜାରରୁ ଅଧିକ ପଦବୀ ଖାଲି ପଡିଛି । ଏଥିମଧ୍ୟରୁ ଯନ୍ତ୍ରୀ ପଦବୀ ସଂଖ୍ୟା ୨ ହଜାରରୁ ଅଧିକ ବୋଲି କୁହାଯାଉଛି । ବିଭିନ୍ନ କାରଣରୁ ବର୍ଷବର୍ଷ ଧରି ପଦୋନ୍ନତି ଓ ପ୍ରତ୍ୟକ୍ଷ ନିଯୁକ୍ତି ଭିତ୍ତିରେ ଖାଲି ପଡିଥିବା ସମସ୍ତ ଯନ୍ତ୍ରୀ ପଦବୀ ପୂରଣ ହେଉନାହିଁ । ଯେତେବେଳେ ବି ନିଯୁକ୍ତି ଓ ପଦୋନ୍ନତି ପ୍ରସଂଗ ଉଠୁଛି ସେତେବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ବିଚ୍ୟୁତି ଯୋଗୁ ମାମଲା ବୋଝ ଚାପି ହୋଇଯାଉଥିବାରୁ ଖାଲି ପଦବୀ ପୂରଣରେ ବିଳମ୍ବ ହେଉଥିବା କୁହାଯାଉଛି ।
ଗତବର୍ଷ ୩୦୦ରୁ ଅଧିକ ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ପଦବୀ ପଦୋନ୍ନତି ଭିତ୍ତିରେ ପୂରଣ କରିବା ଲାଗି ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ବିଭାଗୀୟ ପଦୋନ୍ନତି କମିଟି ବସାଇଥିଲେ । ଯେଉଁମାନଙ୍କୁ ପଦୋନ୍ନତି ଦେବା ପାଇଁ ଏଥିରେ ଆଲୋଚନା ହୋଇଥିଲା ତାହା ସ୍ଥାନ ସଂରକ୍ଷଣ ନିୟମର ଉଲ୍ଲଂଘନ କରୁଥିବାରୁ କମିଟିର ସଦସ୍ୟମାନଙ୍କ ଭିତରେ ପୂର୍ଣ୍ଣ ସହମତି ହୋଇପାରିନଥିଲା । ଏମିତିକି ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରତିନିଧି ଡିପିସିର ନିଷ୍ପତ୍ତି ଚିଠାରେ ଦସ୍ତଖତ ଦେବାକୁ ମନା କରିଦେଲେ ।
ଏଭଳି ବିବାଦୀୟ ସ୍ଥିତିରେ ଆଇନର ଠିକଣା ତର୍ଜମା ପରେ ଚଳିତବର୍ଷ ମାର୍ଚ୍ଚ ମାସରେ ଆଉ ଏକ ଡିପିସି ବସି ଯୋଗ୍ୟତା ଆଉ ଦକ୍ଷତା ଆଧାରରେ ଆଇନ୍ ଅନୁଯାୟୀ ପଦୋନ୍ନତି ଦେବାକୁ ସୁପାରିସ କରିଥିଲେ । ପୂର୍ବ ଡିପିସିର ଚିଠାରେ ଯେଉଁମାନଙ୍କ ନାମ ଥିଲା ସେଥିରୁ କେତେଜଣଙ୍କ ନାମ ୨୦୨୫ ଡିପିସି ତାଲିକାରୁ ବାଦ୍ ପଡ଼ିବା ଫଳରେ ସେମାନେ ଆଇନ୍ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି । ଏ କଥା ବିଭାଗୀୟ ବରିଷ୍ଠ ଅଧିକାରୀମାନେ ସ୍ୱୀକାର କରୁଛନ୍ତି ।
ଓଡ଼ିଶା ସରକାରଙ୍କ ପଦୋନ୍ନତି ଆଇନ୍ରେ ଯୋଗ୍ୟତା ଆଉ ଦକ୍ଷତା ଭିତ୍ତିରେ ବରିଷ୍ଠମାନଙ୍କୁ ପଦୋନ୍ନତି ଦେବା ପାଇଁ ବ୍ୟବସ୍ଥା ରହିଛି । ସ୍ପଷ୍ଟ ଆଇନ୍ ଥିବାବେଳେ ବିଭାଗର କିଛି ଅଧିକାରୀ ଏହାର ଉଲ୍ଲଂଘନ କରିବାରୁ ଆଇନ୍ଗତ ବିବାଦ ସୃଷ୍ଟି ହୋଇ ୩୦୦ରୁ ଅଧିକ ଏଇଇ ପଦବୀ ପୂରଣ ହୋଇପାରୁ ନାହିଁ । ଫଳରେ କନିଷ୍ଠ ଯନ୍ତ୍ରୀରୁ ସହକାରୀ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀରୁ ଏଇଇ ପଦବୀକୁ ପଦୋନ୍ନତି ବାଧାପ୍ରାପ୍ତ ହୋଇଥିବା ବେଳେ କନିଷ୍ଠ ଯନ୍ତ୍ରୀ ପ୍ରତ୍ୟକ୍ଷ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ପଡୁଛି ।
ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଏବେ ଆଇନ୍ ଅଦାଲତଙ୍କ ନିଷ୍ପତ୍ତିକୁ ଅପେକ୍ଷା କରି ରହିଛନ୍ତି । ଅଦାଲତରୁ ସବୁଜ ସଂକେତ ମିଳିବା ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଉଛି । ପର୍ଯ୍ୟାପ୍ତ ସଂଖ୍ୟକ ଯନ୍ତ୍ରୀ ପୂର୍ତ୍ତ ବିଭାଗରେ ନଥିବାବେଳେ ଏହି ବିଭାଗର କେତେକ ଯନ୍ତ୍ରୀ ମଧ୍ୟ ଅନ୍ୟ ବିଭାଗ ଓ ସଂସ୍ଥାକୁ ଡେପୁଟେସନ୍ରେ ଯାଇଛନ୍ତି । କେବଳ ସେତିକି ନୁହେଁ, ଭିଜିଲାନ୍ସ ଜାଲରେ ପଡ଼ି ଆଉ କେତେକ ଯନ୍ତ୍ରୀ ମଧ୍ୟ ନିଲମ୍ବିତ ହୋଇ ରହିଛନ୍ତି । କେବଳ ପୂର୍ତ୍ତ ବିଭାଗ ନୁହେଁ, ଜଳ ସଂପଦ, ଗ୍ରାମ ଉନ୍ନୟନ, ନଗର ଉନ୍ନୟନ ଆଦି ବିଭାଗରେ ମଧ୍ୟ ସହସ୍ରାଧିକ ଯନ୍ତ୍ରୀ ପଦବୀ ଖାଲି ପଡିଛି । ଗୋଟିଏ ପଟେ ଇଞ୍ଜିନିୟରିଂ ଡିଗ୍ରୀ ଓ ଡିପ୍ଲୋମାଧାରୀମାନେ ବର୍ଷବର୍ଷ ଧରି ଚାକିରି ପ୍ରତୀକ୍ଷାରେ ଥିବାବେଳେ ସମସ୍ତ ଖାଲି ପଦବୀ ଏକ ସଂଗେ ପୂରଣ ହୋଇପାରୁନଥିବାରୁ ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କଷ୍ଟକର ହୋଇପଡୁଛି ବୋଲି ଅନେକ ଯନ୍ତ୍ରୀ ସ୍ୱୀକାର କରିଛନ୍ତି । (ତଥ୍ୟ)

