ଭୁବନେଶ୍ୱର : ଓଡ଼ିଶାରେ ଥିବା ଅଧିକାଂଶ ସ୍ୱୟଂଶାସିତ କଲେଜର ସ୍ୱୟଂଶାସନ ମାନ୍ୟତା ବହୁବର୍ଷ ତଳୁ କଟି ଯାଇଥିଲେ ମଧ୍ୟ ଏହି କଲେଜଗୁଡିକ ଏବେବି ନିଜକୁ ସ୍ୱୟଂଶାସିତ କଲେଜ ନାମରେ ପରିଚିତ କରାଉଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶାରେ ୩୭ଟି କଲେଜକୁ ସ୍ୱୟଂଶାସିତ ମର୍ଯ୍ୟାଦା ଦିଆଯାଇଥିଲା ଏବଂ ସେହି ଆଧାରରେ ଏହି ସ୍ୱୟଂଶାସିତ କଲେଜଗୁଡିକ ନିଜେ ନିଜର ପାଠ୍ୟକ୍ରମ ପ୍ରସ୍ତୁତ ସହ ବିଶ୍ୱବିଦ୍ୟାଳୟ ଭଳି ପରୀକ୍ଷା ପରିଚାଳନା କରିଆସୁଛନ୍ତି । ଏମିତିକି ସ୍ୱୟଂଶାସିତ ମାନ୍ୟତା କଟିଯିବା ପରେ ବି ଅନେକ କଲେଜର ନାମରେ ସ୍ୱୟଂଶାସିତ କଲେଜ ବୋଲି ଲେଖାଯାଉଛି ଏବଂ ସରକାରୀ ଚିଠିପତ୍ର ମଧ୍ୟ ଏହି ଆଧାରରେ ଆଦାନ ପ୍ରଦାନ ହେଉଛି ।
ଇତିମଧ୍ୟରେ ବ୍ରହ୍ମପୁରର ଖଲ୍ଲିକୋଟ ସ୍ୱୟଂଶାସିତ କଲେଜ, ସମ୍ବଲପୁରର ଗଙ୍ଗାଧର ମେହେର ସ୍ୱୟଂଶାସିତ କଲେଜ, ଭୁବନେଶ୍ୱରର ରମାଦେବୀ ମହିଳା କଲେଜ, କଟକର ରେଭେନ୍ସା କଲେଜ ଓ ମଧୁସୂଦନ ଆଇନ କଲେଜ ଏବଂ ବଲାଙ୍ଗୀରର ରାଜେନ୍ଦ୍ର କଲେଜ ପ୍ରମୁଖ ବିଶ୍ୱବିଦ୍ୟାଳୟକୁ ଉନ୍ନୀତ ହୋଇସାରିଥିଲେ ବି ଉଚ୍ଚ ଗ୍ରେଡର ନ୍ୟାକ୍ ମାନ୍ୟତା କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟଗୁଡିକ ଢ଼େର ପଛରେ ରହିଛନ୍ତି ।
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ନୂଆ ନିୟମ କାନୁନ ଅନୁଯାୟୀ ରାଜ୍ୟର ସଂଖ୍ୟାଧିକ କଲେଜ ସ୍ୱୟଂଶାସିତ ମର୍ଯ୍ୟାଦାରୁ ବଞ୍ôଚତ ହେବାକୁ ବାଧ୍ୟ । କାରଣ ଏଥିରୁ ଅଧିକାଂଶଙ୍କର ଏ’ ଗ୍ରେଡର ନ୍ୟାକ୍ ମାନ୍ୟତା ଓ ଆବଶ୍ୟକତା ମୁତାବକ ସିଜିପିଏ ନାହିଁ । ଅନେକ ସ୍ୱୟଂଶାସିତ କଲେଜର ନ୍ୟାକ୍ ମାନ୍ୟତାର ଅବଧି ପୂରଣ ପରେ ବି ସେଗୁଡିକ ଲାଗି ଏ’ କିମ୍ବା ତଦୁର୍ଦ୍ଧ୍ୱ ଗ୍ରେଡର ନ୍ୟାକ୍ ମାନ୍ୟତା ହାସଲ କରାଯାଇ ପାରୁନାହିଁ ।
ସବୁଠାରୁ ଉଦ୍ବେଗର କଥା ହେଉଛି, ସଂଖ୍ୟାଧିକ ସ୍ୱୟଂଶାସିତ କଲେଜ ସମେତ ଅଧିକାଂଶ ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜଗୁଡିକରେ ନିୟମିତ ଅଧ୍ୟକ୍ଷ ନଥିବାରୁ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ଦ୍ୱାରା ଏହି ଶିକ୍ଷାନୁଷ୍ଠାନଗୁଡିକର ପରିଚାଳନା କରାଯାଉଛି । ଏହି ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ ବ୍ୟାପକ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ମଧ୍ୟ ଖାଲି ରହିଛି । ଅବଶ୍ୟ ଇତିମଧ୍ୟରେ ଲୋକସେବା ଆୟୋଗଙ୍କ ସହାୟତାରେ ଉଚ୍ଚଶିକ୍ଷା ବିଭାଗ କେତେଗୁଡିଏ ଅଧ୍ୟାପକ ପଦବୀ ପୂରଣ କରିଛନ୍ତି ଏବଂ ଅବଶିଷ୍ଟ ପଦବୀ ପୂରଣ ଲାଗି ଉଦ୍ୟମ ଅବ୍ୟାହତ ରହିଛି । ଶିକ୍ଷାନୁଷ୍ଠାନଗୁଡିକର ଏ’ କିମ୍ବା ତଦୁର୍ଦ୍ଧ୍ୱ ଗ୍ରେଡର ନ୍ୟାକ୍ ମାନ୍ୟତା ଲାଗି ଉନ୍ନତ ଭିତ୍ତିଭୂମି ସହିତ ନିୟମିତ ଅଧ୍ୟକ୍ଷ ଓ ବିଷୟୱାରି ପର୍ଯ୍ୟାପ୍ତ ସଂଖ୍ୟକ ଅଧ୍ୟାପକ ରହିବା କଥା । ଉଚ୍ଚ ମାନର ନ୍ୟାକ୍ ଗ୍ରେଡିଂ ନ ମିଳିଲେ ଏହି ଶିକ୍ଷାନୁଷ୍ଠାନଗୁଡିକ କମ୍ ପରିମାଣର କେନ୍ଦ୍ରୀୟ ଅନୁଦାନ ପାଇବା ଆଶଙ୍କା କରାଯାଉଛି ।
ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡିକ ଯେଭଳି ଉଚ୍ଚ ଗ୍ରେଡର ନ୍ୟାକ୍ ମାନ୍ୟତା ହାସଲ କରନ୍ତି ତାହା ଉପରେ ଉଚ୍ଚଶିକ୍ଷା ବିଭାଗ ବିଶେଷ ଗୁରୁତ୍ୱ ଆରୋପ କରୁଛି ଏବଂ ଏ ପ୍ରସଙ୍ଗରେ ଇତିମଧ୍ୟରେ ଅନେକଗୁଡିଏ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଗଲାଣି । ତେବେ ଶିକ୍ଷାବିତ୍ମାନେ କହୁଛନ୍ତି ଯେ ସ୍ୱୟଂଶାସିତ କଲେଜଗୁଡିକ ଯେଭଳି କଟି ଯାଇଥିବା ମାନ୍ୟତା ତୁରନ୍ତ ଫେରି ପାଆନ୍ତି ଏବଂ ଯେଉଁମାନଙ୍କର ନିମ୍ନ ଗ୍ରେଡର ନ୍ୟାକ୍ ମାନ୍ୟତା ରହିଛି କିମ୍ବା ପୂର୍ବରୁ ମିଳିଥିବା ନ୍ୟାକ୍ ମାନ୍ୟତାର ଅବଧି ସରି ଯାଇଛି ସେଗୁଡିକ ଯେଭଳି ଉଚ୍ଚ ଗ୍ରେଡର ନ୍ୟାକ୍ ମାନ୍ୟତା ହାସଲ କରିପାରିବେ ସେ ଦିଗରେ ସମନ୍ୱିତ ଉଦ୍ୟମ ଲୋଡା । (ତଥ୍ୟ)