ଭୁବନେଶ୍ୱର : ଓଡ଼ିଶା ସରକାର ୩୭ଟି କଲେଜକୁ ସ୍ୱୟଂଶାସିତ ମର୍ଯ୍ୟାଦା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ଉଚ୍ଚଶିକ୍ଷା ଅନୁଷ୍ଠାନ ‘ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁସନ ରାକିଂ ଫ୍ରେମ୍ ୱାର୍କ’ (ଏନ୍ଆଇଆର୍ଏଫ) ତାଲିକାରେ ସ୍ଥାନ ପାଇନାହାଁନ୍ତି । କେବଳ ଚଳିତ ବର୍ଷ ନୁହେଁ ଗତପ୍ରାୟ ୮ବର୍ଷ ଧରି ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନମାନେ ଏହି ରାକିଂ ତାଲିକାରେ ସ୍ଥାନ ନପାଇବା ଘଟଣାରୁ ରାଜ୍ୟରେ ଉଚ୍ଚଶିକ୍ଷାର ସ୍ଥିତି ତୁଳନାତ୍ମକ ଭାବେ ଦୁର୍ବଳ ଥିବା ଜଣାପଡୁଛି ।
ରାଜ୍ୟ ସରକାର ଇତିମଧ୍ୟରେ କେତେ ଗୁଡିଏ ସ୍ୱୟଂଶାସିତ କଲେଜକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରିସାରିଲେଣି । ଏହାସତ୍ତ୍ୱେ ବି ଏବେ ୧୫ଟି ସରକାରୀ କଲେଜ ସମେତ ପ୍ରାୟ ୩୦ଟି କଲେଜର ନାମରେ ସ୍ୱୟଂଶାସିତ ବୋଲି ଲେଖାଯାଉଛି । ତେବେ ଏଥିମଧ୍ୟରୁ ଅନେକଙ୍କର ସ୍ୱୟଂଶାସିତ ମର୍ଯ୍ୟାଦା ଦୀର୍ଘବର୍ଷ ତଳୁ କଟିସାରିଥିବା କୁହାଯାଉଛି ।
ଗୋଟିଏ ପଟେ ଉଚ୍ଚତମ ମାନର ନ୍ୟାକ୍ ମାନ୍ୟତା ହାତେଇବାରେ ଓଡ଼ିଶାର ସରକାରୀ କଲେଜ ଗୁଡିକ ଏକ ପ୍ରକାର ବିଫଳ ହେଉଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ମର୍ଯ୍ୟାଦାଜନକ ଉଚ୍ଚଶିକ୍ଷାନୁଷ୍ଠାନର ନ୍ୟାକ୍ ଗ୍ରେଡ୍ ସହିତ ଏନ୍ଆଇଆର୍ଏଫ୍ ରାକିଂ ଉପରକୁ ଉଠିବା ପରିବର୍ତ୍ତେ ତଳକୁ ଖସିଛି । ଏହାସତ୍ତ୍ୱେ ସୋଆ ଓ କିଟ୍ ପରି ବିଶ୍ୱବିଦ୍ୟାଳୟ ଏବଂ ଏମ୍ସ ଓ ରାଉରକେଲାର ନିଟ୍ ଶିକ୍ଷାନୁଷ୍ଠାନ କିନ୍ତୁ ଏ କ୍ଷେତ୍ରରେ ରାଜ୍ୟର ଇଜ୍ଜତ ରଖିଛନ୍ତି ।
ଶିକ୍ଷାବିତ୍ମାନେ କହୁଛନ୍ତି ଯେ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଗୁଡିକରେ ନିୟମିତ ଅଧ୍ୟକ୍ଷ ଦୀର୍ଘବର୍ଷ ଧରି ନରହିବା ଫଳରେ ସଂଖ୍ୟାଧିକ ଉଚ୍ଚ ଶିକ୍ଷାନୁଷ୍ଠାନ ଏକପ୍ରକାର ଦିଶାହୀନ ଭାବେ ଚାଲୁଛନ୍ତି । ଏହାଛଡ଼ା ଅଧ୍ୟାପକ ମରୁଡି ଏହି ସମସ୍ୟାକୁ ଉତ୍କଟତର କରୁଛି । କାମ ଚଳାଇବା ପାଇଁ ଏବେ କଲେଜ ଗୁଡିକର ଭରଷା ସାଜୁଛନ୍ତି ଅତିଥି ଅଧ୍ୟାପକ । ଖୁବ୍ଶୀଘ୍ର ନୂଆ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଥିବାବେଳେ ପ୍ରାୟ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଗୁଡିକରେ ଖାଲି ପଡିଥିବା ଅଧ୍ୟାପକ ଓ ଅଧ୍ୟକ୍ଷ ପଦବୀରୁ ନିୟମିତ ପୂରଣ ହୋଇପାରୁନାହିଁ ।
ସଂଖ୍ୟାଧିକ ସ୍ୱୟଂଶାସିତ କଲେଜ ଏବେ ସେଲ୍ଫ ଫାଇନାନ୍ସିଂ ଓ କୋର୍ସ ଉପରେ ଗୁରୁତ୍ୱ ଦେଉଛନ୍ତି । କଲେଜର ଭିତ୍ତିଭୂମିକୁ ବେସରକାରୀ ବ୍ୟକ୍ତିଙ୍କ ହାତରେ ଏହି କୋର୍ସସବୁ ଚଳାଇବା ପାଇଁ ଛାଡିଦିଆଯାଉଛି । ଏହି ସଂସ୍ଥାମାନେ ଠିକା ଶିକ୍ଷକମାନଙ୍କ ଜରିଆରେ ପାଠପଢା କାମ ଚଳାଇ ଛାତ୍ରଛାତ୍ରୀମାନଙ୍କଠାରୁ ପ୍ରଚୁର ଅର୍ଥ ଆଦାୟ କରୁଛନ୍ତି । ସ୍ୱୟଂଶାସିତ ଓ ଅନ୍ୟ ସରକାରୀ କଲେଜଗୁଡିକରେ ସେଲ୍ଫ ଫାଇନାନ୍ସିଂ କୋର୍ସ ବ୍ୟବସାୟ ବନ୍ଦ କରି ଏଗୁଡିକୁ ନିୟମିତ ଭାବେ ସମ୍ପୃକ୍ତ କଲେଜ ମାଧ୍ୟମରେ ଚଳାଇବା ପାଇଁ ବର୍ଷ ବର୍ଷ ଧରି ଦାବି ହୋଇଆସୁଥିଲେ ବି ତାହାକୁ କେହି କର୍ଣ୍ଣପାତ କରୁନାହାନ୍ତି ।
ଦୁର୍ବଳ ଭିତ୍ତିଭୂମି ଯୋଗୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁରୁତର ସଙ୍କଟ ସୃଷ୍ଟି ହୋଇଛି । ଏମିତିକି ସରକାରଙ୍କ ନିୟନ୍ତ୍ରଣରେ ଥିବା ବିଶ୍ୱବିଦ୍ୟାଳୟ ଗୁଡିକରେ ପ୍ରାୟ ୫୦ ପ୍ରତିଶତରୁ ଅଧିକ ଶିକ୍ଷକ ପଦବୀ ଓ ପାଖାପାଖି ୭୦ ପ୍ରତିଶତ ଅଣଶିକ୍ଷକ ପଦବୀ ଖାଲି ପଡିଥିବା ସରକାରୀ ଭାବେ ସ୍ୱୀକାର କରାଯାଇଥିଲେ ମଧ୍ୟ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନଥିବାରୁ ଛାତ୍ରଛାତ୍ରୀମାନଙ୍କ ଭାଗ୍ୟ ଓ ଭବିଷ୍ୟତ ସହ ଏକପ୍ରକାର ଖେଳ ଖେଳାଯାଉଛି ବୋଲି ଶିକ୍ଷାବିତ୍ମାନେ କହୁଛନ୍ତି ।
ଏଭଳି ସ୍ଥିତିରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟ ସମେତ ସ୍ୱୟଂଶାସିତ ଓ ଅନ୍ୟ କଲେଜ ଗୁଡିକରେ ଅଧ୍ୟାପନା ଓ ଗବେଷଣା କିଭଳି ସୁଶୃଙ୍ଖଳ ଓ ସୁନିୟନ୍ତ୍ରିତ ହେବ ଏବଂ ଏଗୁଡିକର ନ୍ୟାକ୍ ଓ ଏନ୍ଆଇଆର୍ଏଫ ର୍ୟାକିଂ ଉଚ୍ଚରେ ରହିବ ସେ ଦିଗରେ ଦୃଷ୍ଟି ଦିଆଗଲେ ଓଡ଼ିଶାର ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକର ଦେଶବିଦେଶରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିବେ । ତେବେ ବର୍ଷ ବର୍ଷ ଧରି କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ନିର୍ବାଚିତ ଛାତ୍ର ସଂସଦ ନଥିବାରୁ ଛାତ୍ରଛାତ୍ରୀମାନଙ୍କ ସମସ୍ୟା ସଂଘବଦ୍ଧ ଭାବେ ଉଠାଯାଇ ପାରୁନଥିବାବେଳେ ଏହାର ସମାଧାନ କ୍ଷେତ୍ରରେ ଆଇନ ଅଦାଲତରେ ବର୍ଷ ବର୍ଷ ଧରି ଗଡୁଥିବା ପୁରୁଣା ମାମଲାମାନ ପ୍ରତିବନ୍ଧକ ସାଜୁଛନ୍ତି ବୋଲି କୁହାଯାଉଛି । (ତଥ୍ୟ)