Home Health ସ୍ୱେଚ୍ଛାକୃତ ରକ୍ତଦାନ ଆବଶ୍ୟକତାଠାରୁ ବହୁତ କମ୍‍

ସ୍ୱେଚ୍ଛାକୃତ ରକ୍ତଦାନ ଆବଶ୍ୟକତାଠାରୁ ବହୁତ କମ୍‍

ଭୁବନେଶ୍ୱର : ଜନସଂଖ୍ୟା ବୃଦ୍ଧି ସହ ବିଭିନ୍ନ କାରଣରୁ ରୋଗବ୍ୟାଧି ବଢ଼ୁଥିବା ପରିପ୍ରେକ୍ଷୀରେ ଓଡ଼ିଶାରେ ବର୍ଷକୁ ୫ ଲକ୍ଷ ୟୁନିଟ୍‍ରୁ ଅଧିକ ରକ୍ତ ଆବଶ୍ୟକ ପଡୁଛି । ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ୱେ ବର୍ଷକୁ ଅତିବେଶିରେ ୩ଲକ୍ଷ ୨୫ ହଜାର ୟୁନିଟ୍‍ ରକ୍ତ ସ୍ୱେଚ୍ଛାକୃତ ଦାନ ଭାବେ ସଂଗୃହୀତ ହେଉଥିବା ବେଳେ ଆଉ ପ୍ରାୟ ୨ ଲକ୍ଷ ୟୁନିଟ୍‍ ରକ୍ତ ନିଅଣ୍ଟ ପଡୁଛି ।

ବାର୍ଷିକ ୫ ଲକ୍ଷ ୟୁନିଟ୍‍ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଗତବର୍ଷ ପାଖାପାଖି ୫ ହଜାର କ୍ୟାମ୍ପ ମାଧ୍ୟମରେ ପ୍ରାୟ ୨ଲକ୍ଷ ୬୧ ହଜାର ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଥିଲା । ସ୍ୱେଚ୍ଛାକୃତ ରକ୍ତଦାତାଙ୍କଠାରୁ ବିଭିନ୍ନ କ୍ୟାମ୍ପରେ ଓ ରକ୍ତଭଣ୍ଡାରମାନଙ୍କରେ ପ୍ରାୟ ୩ ଲକ୍ଷ ୨୫ ହଜାର ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କ ସଂପର୍କୀୟ ଓ ଅନ୍ୟମାନେ ଅନ୍ୟୂନ ୧ଲକ୍ଷ ୬୨ ହଜାର ୟୁନିଟ୍‍ ରକ୍ତ ଯୋଗାଡ କରି ରକ୍ତଭଣ୍ଡାରମାନଙ୍କରୁ ବଦଳରେ ରକ୍ତ ସଂଗ୍ରହ କରିଛନ୍ତି ।

ବିଶେଷକରି ଖରାଦିନେ ରକ୍ତଭଣ୍ଡାରଗୁଡିକରେ ସାଂଘାତିକ ଅବସ୍ଥା ସୃଷ୍ଟି ହେଉଛି । ଏହାଛଡା ରକ୍ତହୀନତା ଓ ଅନ୍ୟାନ୍ୟ କାରଣ ପାଇଁ ନିୟମିତ ବ୍ୟବଧାନରେ ଯେଉଁମାନଙ୍କୁ ରକ୍ତ ନେବାର ଆବଶ୍ୟକତା ରହିଛି ସେମାନଙ୍କ ଭିତରୁ ଅନେକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସତ୍ତ୍ୱେ ବି ବିପିଏଲ ଶ୍ରେଣୀଭୁକ୍ତ ଲୋକ ଓ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କୁ ରକ୍ତଭଣ୍ଡାରଗୁଡିକ ଅଗ୍ରାଧିକାର ଭିତ୍ତିରେ ରକ୍ତ ଯୋଗାଉଛନ୍ତି ।

ରକ୍ତଦାନକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ବିଜେଡିର ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ପ୍ରାୟ ୭ବର୍ଷ ଧରି କାର୍ଯ୍ୟ କରୁଛି । ଏହାର ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିବର୍ଷ ଲକ୍ଷାଧିକ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଉଥିବା କୁହାଯାଉଛି । ଆମ ଓଡ଼ିଶା ଓ ମିଶନ ରକ୍ତଦାନ ଭଳି ସ୍ୱେଚ୍ଛାସେବୀ ସଂଗଠନମାନେ ଏ କ୍ଷେତ୍ରରେ ବେଶ୍‍ ଅଗ୍ରଣୀ ଭୂମିକା ନିଭାଉଛନ୍ତି ।

ଭୁବନେଶ୍ୱର-କଟକ କମିଶନରେଟ ପୋଲିସର ରେଡକ୍ରସ ଶାଖା ବି ପ୍ରାୟ ୧୦ବର୍ଷ ଧରି ଭୁବନେଶ୍ୱର, କଟକ ଓ ଏହାର ଆଖପାଖ ଅଞ୍ଚଳରେ ରକ୍ତଦାନ ଶିିବିରମାନ ଆୟୋଜନ କରୁଛନ୍ତି । ଏମାନଙ୍କ ଛଡା ଆଉ ଅନେକ ସ୍ୱେଚ୍ଛାସେବୀ ସଂଗଠନ ବିଭିନ୍ନ ସମୟରେ ରକ୍ତଦାନ ଶିବିରମାନ କରାଉଛନ୍ତି । ମିଶନ ରକ୍ତଦାନ ବର୍ଷର ଅଧିକାଂଶ ଦିନ କୌଣସି ନା କୌଣସି ରକ୍ତଭଣ୍ଡାରରେ ବିଭିନ୍ନ ବାହାନାରେ ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ଆଣି ରକ୍ତ ସଂଗ୍ରହ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିଭାଉଛି ।

ରାଜ୍ୟରେ ଏବେ ୫୬ଟି ସରକାରୀ ରକ୍ତଭଣ୍ଡାର ଓ ଗୋଟିଏ ରେଡକ୍ରସ ରକ୍ତଭଣ୍ଡାର ଥିବାବେଳେ ଆଉ କେତେକ ବେସରକାରୀ ମେଡିକାଲ କଲେଜ ଓ କର୍ପୋରେଟ ହସପିଟାଲରେ ବି ରକ୍ତଭଣ୍ଡାରମାନ ରହିଛି । ସରକାରୀ ଓ ରେଡକ୍ରସ ଡାକ୍ତରଖାନାଗୁଡିକରେ ସଂପୂର୍ଣ୍ଣ ମାଗଣାରେ ରକ୍ତ ସଂଗ୍ରହ ସହ ସଂଗୃହୀତ ରକ୍ତର ପରୀକ୍ଷଣ ଓ ସଂରକ୍ଷଣ କରାଯିବା ସହ ସେଥିରୁ କେତେକ ସ୍ଥାନରେ ପ୍ଲାଜମା ପ୍ଲାଟିଲେଟ୍‍ ଆଦି ସଂଗ୍ରହ କରାଯାଉଛି । ଆବଶ୍ୟକ ଅନୁଯାୟୀ ଏହି ଡାକ୍ତରଖାନାଗୁଡିକ ନାମମାତ୍ର ପରୀକ୍ଷଣ ଫିସ୍‍ ନେଇ ୟୁନିଟ୍‍ ପିଛା ହାରାହାରି ୫ଶହ ଟଙ୍କାରେ ରକ୍ତ ଯୋଗାଇଥାନ୍ତି ।

ତେବେ ଆଉ ଅନେକ କ୍ଷେତ୍ରରେ ଏହି ରକ୍ତଭଣ୍ଡାରଗୁଡିକ ମାଗଣାରେ ରକ୍ତ ଦେଇଥାନ୍ତି । ତେବେ ଘରୋଇ ରକ୍ତଭଣ୍ଡାରଗୁଡିକରେ ରକ୍ତ ସଂଗ୍ରହଠାରୁ ଆରମ୍ଭ କରି ପରୀକ୍ଷଣ, ସଂରକ୍ଷଣ ଓ ବଦଳ ପାଇଁ ବିପୁଳ ଅର୍ଥ ଆଦାୟ କରାଯାଇଥାଏ । ଏମିତିକି ଆବଶ୍ୟକତା ନଥାଇ ବହୁ କ୍ଷେତ୍ରରେ ରୋଗୀଙ୍କ ସଂପର୍କୀୟଙ୍କଠାରୁ କେତେକ ଘରୋଇ ଡାକ୍ତରଖାନା ରକ୍ତ ସଂଗ୍ରହ କରି ସଂପୃକ୍ତ ରୋଗୀଙ୍କ ଅସ୍ତ୍ରୋପଚାରରେ ଏହା ନ ଲାଗିଲେ ତାହାକୁ ଅନ୍ୟ ରୋଗୀଙ୍କୁ ବିକ୍ରୟ କରୁଛନ୍ତି ।

ରକ୍ତ ସଂଗ୍ରହ, ପରୀକ୍ଷଣ ଓ ସଂରକ୍ଷଣ କ୍ଷେତ୍ରରେ ଜୀବନକୁ ବାଜି ଲଗାଇ କାମ କରୁଥିବା ସରକାରୀ ରକ୍ତଭଣ୍ଡାରଗୁଡିକର ପ୍ରାୟ ୩ଶହ ଠିକା କର୍ମଚାରୀ ସ୍ୱଳ୍ପ ପାରିଶ୍ରମିକରେ ବର୍ଷ ବର୍ଷ ଧରି ଖଟୁଥିବା ବେଳେ ସେମାନଙ୍କୁ ନିୟମିତ କରାଯାଉ ନାହିଁ କିମ୍ବା ଡାକ୍ତରଖାନାର କର୍ମଚାରୀ ଭାବେ ସ୍ୱୀକୃତି ଦିଆଯାଉନାହିଁ କି ଡାକ୍ତରଖାନା ପରିସରରେ କ୍ୱାର୍ଟର ମଧ୍ୟ ଯୋଗାଯାଉ ନଥିବାରୁ ସେମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । (ତଥ୍ୟ)