ଭୁବନେଶ୍ୱର: ସାରା ଦେଶ ସହିତ ଆଜି ଓଡ଼ିଶାରେ ମଧ୍ୟ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୫ଟି ମହାନଗର ନିଗମ ଓ ଏମ୍ସ ସମେତ ରାଜର ୧୬୧ଟି କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ଯୋଗେ ସ୍ୱାସ୍ଥ୍ୟକର୍ମୀମାନଙ୍କ ସହ କଥା ହେବାସହ ଶୁଭେଚ୍ଛା ଜଣାଇଥିଲେ । ଟିକା ନେଇଥିବାରୁ ସେମାନଙ୍କୁ ଉତ୍ସାହିତ କରିବା ଏବଂ ଟିକାକରଣ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା ମଧ୍ୟ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୧ ସମସ୍ତଙ୍କ ପାଇଁ ଭଲ ଖବର ନେଇଆସିଛି । ଆଜି ଅପେକ୍ଷାର ଅନ୍ତ ଘଟିଛି । ଗତ ଦଶମାସ ଧରି ଆମର କୋଭିଡ୍ ଯୋଦ୍ଧାମାନେ ଜୀବନକୁ ବାଜି ଲଗାଇ ସେବା କରିଚାଲିଛନ୍ତି । ସେମାନଙ୍କ ସେବା ଓ ତ୍ୟାଗକୁ ଆମେ କେବେ ଭୁଲିପାରିବୁ ନାହିଁ ବୋଲି କହିବା ସହିତ ସେମାନଙ୍କ ପାଇଁ ଅମେ ସମସ୍ତେ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଟିକାକରଣ କାର୍ଯ୍ୟକ୍ରମକୁ ଚଳିତବର୍ଷର ସବୁଠାରୁ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଭାବରେ ବର୍ଣ୍ଣନା କରି ଏହାକୁ ସଫଳ କରିବା ଦିଗରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ବିଶେଷ କରି ଆମର ସ୍ୱାସ୍ଥ୍ୟକର୍ମୀମାନଙ୍କର ସହଯୋଗ କାମନା କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତଙ୍କ ସହଯୋଗରେ ଓଡ଼ିଶା କୋଭିଡ୍ ମହାମାରୀକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରିଛି । ଲୋକଙ୍କ ଜୀବନରକ୍ଷା ପାଇଁ ରାଜ୍ୟ ସରକାର ଅନେକ ଅନନ୍ୟ ପଦକ୍ଷେପ ନେଇଛନ୍ତି । ବର୍ତ୍ତମାନ ସାରା ଦେଶରେ ଅଧିକ ଆରୋଗ୍ୟ ହାର ଏବଂ କମ୍ ମୃତ୍ୟୁହାର ଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ।
ଏହି ଅବସରରେ ଆମର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ବୈଜ୍ଞାନିକମାନେ ରେକର୍ଡ ସମୟ ମଧ୍ୟରେ କରୋନା ଟିକା ଉଦ୍ଭାବନ କରି ଦେଶର ଗୌରବ ବୃଦ୍ଧି କରିଛନ୍ତି । ଆଜି ଆମର ଫାର୍ମା କମ୍ପାନୀମାନେ ମଧ୍ୟ ବିଶ୍ୱର ବିଭିନ୍ନ ଦେଶକୁ ଟିକା ଯୋଗାଉଛନ୍ତି ।
ଟିକା ନେଇଥିବା ଏବଂ ନେବାକୁ ଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ କମାନା କରିବା ସହିତ ଟିକା ନେବାପରେ ଅଧିକ ଆତ୍ମବିଶ୍ୱାସ ସହ ସେମାନଙ୍କର ସେବା କାର୍ଯ୍ୟ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । କୋଭିଡ୍ ମହାମାରୀମ ପରି ଏକ କଠିନ ପରିସ୍ଥିତିରେ ଆମର କୋଭିଡ୍ ଯୋଦ୍ଧାମାନେ ଯେପରି ସାହସର ସହ କାର୍ଯ୍ୟ କଲେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ସମସ୍ତଙ୍କ ସହଯୋଗରେ ଟିକାକରଣ କାର୍ଯ୍ୟକ୍ରମ ସଫଳ ହେବ ବୋଲି କହିଥିଲେ ।
ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟିକା ନେଇଥିବା କ୍ୟାପିଟାଲ ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ସୁନ୍ଦରଗଡ଼ର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ଏବଂ ବ୍ରହ୍ମପୁରର ଜଣେ ଡାକ୍ତର ସହ କଥା ହୋଇଥିଲେ । ସେମାନେ ସମସ୍ତେ ସୁସ୍ଥଥିବା ଏବଂ ସେମାନଙ୍କର କୌରସି ପାଶ୍ୱର୍ ପ୍ରତିକ୍ରିୟା ନ ଥିବା କଥା ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ବରିଷ୍ଠ ଅଧିକାରୀମାନେ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେଇଥିଲେ ।