Home General ସ୍ୱାଧୀନତା ଦିବସରୁ ନିଶା ନିବାରଣ କର

ସ୍ୱାଧୀନତା ଦିବସରୁ ନିଶା ନିବାରଣ କର

ଭୁବନେଶ୍ୱର : ଗତ ୧୦ବର୍ଷ ମଧ୍ୟରେ ରାଜ୍ୟ ସରକାର ପ୍ରାୟ ୪୫ ହଜାର କୋଟି ଟଙ୍କାର ଅବକାରୀ ରାଜସ୍ୱ ପାଇଥିବା ବେଳେ ନିଶା ନିବାରଣ ପାଇଁ ୫ କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରିନାହାନ୍ତି । ଏଥିରୁ ସରକାରୀ କଳ ନିଶା ନିବାରଣ ପରିବର୍ତ୍ତେ ନିଶା ପ୍ରସାରଣକୁ ଅଧିକ ଗୁରୁତ୍ୱ ଦେଉଛି ବୋଲି ଓଡ଼ିଶା ମଦମୁକ୍ତି ଅଭିଯାନ ପକ୍ଷରୁ କୁହାଯାଇଛି । ତେବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିହାର ଓ ଗୁଜରାଟ ଭଳି ଓଡ଼ିଶାରେ ଖୁବ୍‍ଶୀଘ୍ର ମଦ ସଂପୂର୍ଣ୍ଣ ଭାବେ ନିଷିଦ୍ଧ ହେବ ବୋଲି ଦେଇଥିବା ବକ୍ତବ୍ୟକୁ ରାଜ୍ୟ ସରକାର ଆଗାମୀ ସ୍ୱାଧୀନତା ଦିବସ ପୂର୍ବରୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଅଭିଯାନ ପକ୍ଷରୁ ନିବେଦନ କରାଯାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ନିଶା ନୟନ୍ତ୍ରଣ ପାଇଁ ଓଡ଼ିଶା ଶାଖା ବିଜେପି ଗତ ନିର୍ବାଚନ ସମୟରେ ଜାରି କରିଥିବା ସଂକଳ୍ପ ପତ୍ରରେ ଘୋଷଣା କରିଥିବା ଦୃଷ୍ଟିରୁ ଯେ କୌଣସି ସମୟରେ ଏଭଳି ନିଷ୍ପତ୍ତି ରାଜ୍ୟ ସରକାର ଘୋଷଣା କରିପାରନ୍ତି ବୋଲି ମଦମୁକ୍ତ ଓଡ଼ିଶା ଚାହୁଁଥିବା ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ଆଶା କରୁଛନ୍ତି ।

୨୦୦୦-୦୧ ବର୍ଷରେ ଓଡ଼ିଶାର ଅବକାରୀ ରାଜସ୍ୱ ୧୩୮ କୋଟି ଟଙ୍କା ଥିବା ବେଳେ ଏହା ବୃଦ୍ଧି ପାଇ ଏବେ ବାର୍ଷିକ ପ୍ରାୟ ୮ ହାଜାର କୋଟି ଟଙ୍କାରେ ପହଞ୍ôଚଲାଣି । ୨୦୧୩-୧୪ରୁ ୨୦୨୩-୨୪ ମଧ୍ୟରେ ଓଡ଼ିଶା ସରକାରଙ୍କ ଅବକାରୀ ରାଜସ୍ୱ ପରିମାଣ ପାଖାପାଖି ୪୫ ହଜାର କୋଟି ଟଙ୍କା ଥିବାବେଳେ ଏହି ୧୦ବର୍ଷରେ ନିଶା ନିବାରଣ ପାଇଁ ରାଜ୍ୟ ସରକାର ୫ କୋଟି ଟଙ୍କାରୁ ଅର୍ଥ ବ୍ୟୟ କରିଛନ୍ତି । ସରକାରଙ୍କ ନିଶା ନିବାରଣ ଅଭିଯାନ କେବଳ ଗଣଦୌଡ଼, ବିଜ୍ଞାପନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆଦିରେ ସୀମିତ ଥିବାବେଳେ ବାସ୍ତବରେ କିନ୍ତୁ ଶିକ୍ଷାର ମନ୍ଦିର ବୋଲି କୁହାଯାଉଥିବା ଅଧିକାଂଶ ଅନୁଷ୍ଠାନ ନିଶାଡ଼ିମାନଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଛି ।

ମଦମୁକ୍ତି ଅଭିଯାନ ପକ୍ଷରୁ ପୁଣି କୁହାଯାଇଛି ଯେ ଅବକାରୀ ରାଜସ୍ୱ ସଂକ୍ରାନ୍ତରେ ଯେଉଁ ବିତଣ୍ଡା ଯୁକ୍ତି ଉଠାଯାଉଛି ତାହା ସଂପୂର୍ଣ୍ଣ ଭିତ୍ତିହୀନ । ଗୋଟିଏ ଟଙ୍କାର ଅବକାରୀ ରାଜସ୍ୱ ପାଇଁ ବ୍ୟକ୍ତି, ପରିବାର, ସମାଜ ଓ ସରକାରର କ୍ଷତି ୧୦୦ ଟଙ୍କାରୁ ଅଧିକ ହେଉଛି । ନିଶା ଯୋଗୁ ବଳାତ୍କାର, ହତ୍ୟା, ମାରପିଟ୍‍ ସମେତ ବିଭିନ୍ନ କିସମର ଅପରାଧ ବଢ଼ୁଛି ଓ ଏହା ନିୟନ୍ତ୍ରଣ କରିବା ଲାଗି ସରକାରଙ୍କୁ ପୋଲିସ, ଜେଲ୍‍ ଓ ବିଚାରାଳୟ ଲାଗି କୋଟି କୋଟି ଟଙ୍କା ବ୍ୟୟ କରିବାକୁ ପଡୁଛି । ଏହାଛଡ଼ା ନିଶା ପାଇଁ ୨୦୦ ପ୍ରକାରରୁ ଅଧିକ ରୋଗ ହେଉଛି ଏବଂ ତାହାର ଚିକିତ୍ସା ଲାଗି ପରିବାର ଓ ସରକାର ବିପୁଳ ଅର୍ଥ ବ୍ୟୟ କରୁଛନ୍ତି ।

କେବଳ ସେତିକି ନୁହେଁ, ନିଶା ସେବନ ବୃଦ୍ଧି ଯୋଗୁ ବେକାରୀ, ବେରୋଜଗାରୀ ଓ ଦାରିଦ୍ର‌୍ୟ ବୃଦ୍ଧି ପାଇବା ସହିତ ଲକ୍ଷ ଲକ୍ଷ କୋଟି ଟଙ୍କାର ସରକାରୀ ଯୋଜନାରୁ ଯେତେ ସୁଫଳ ମିଳିବା କଥା ତାହା ମିଳିପାରୁ ନାହିଁ । ଏଥିଯୋଗୁ କୋଟି କୋଟି ଶ୍ରମ ଦିବସ ନଷ୍ଟ ହେବା ସଙ୍ଗେ ସଙ୍ଗେ ଉତ୍ପାଦନ ମଧ୍ୟ ପ୍ରଭାବିତ ହେଉଛି । ବିଶେଷ କରି ଯୁବପିଢ଼ି ନିଶା ଦ୍ୱାରା କବଳିତ ହେବା ଫଳରେ ଆର୍ôଥକ, ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ, ରାଜନୈତିକ ଓ ନୈତିକ ବ୍ୟବସ୍ଥା ମଧ୍ୟ ଭୁଶୁଡ଼ୁଛି ।

ଓଡ଼ିଶା ମଦମୁକ୍ତି ଅଭିଯାନର ଆବାହିକା ପ୍ରମିଳା ସ୍ୱାଇଁ ଓ ଅନ୍ୟତମ ଉପଦେଷ୍ଟା ପ୍ରହଲାଦ ସିଂହ ଏହି ମର୍ମରେ ଓଡ଼ିଶା ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ତ୍ୱରିତ୍‍ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସ୍ୱାଧୀନତା ସଂଗ୍ରାମରେ ନିଶା ନିବାରଣ ଏକ ବଳିଷ୍ଠ କାର୍ଯ୍ୟକ୍ରମ ଥିଲା ଏବଂ ସ୍ୱାଧୀନତା ପରେ ସମ୍ବିଧାନରେ ମଧ୍ୟ ନିଶା ନିବାରଣ କଥା ଉଲ୍ଲେଖ ରହିଛି । ଏହାଛଡ଼ା ରାଜ୍ୟରେ ପ୍ରଚଳିତ ଅବକାରୀ ଆଇନ୍‍ରେ ବି ନିଶା ନିବାରଣ କଥା କୁହାଯାଇଛି । ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ତିଆରି ହୋଇଥିବା ଓଡ଼ିଶା ନିଶା ନିବାରଣ ଆଇନ୍‍-୧୯୫୬କୁ ମଧ୍ୟ ଏଯାବତ୍‍ ଅଣଦେଖା କରାଯାଇ ନାରୀ ଓ ଶିଶୁ ନିର୍ଯାତନାର ଅନ୍ୟତମ ଉତ୍ସ ନିଶାକୁ ସରକାର ପୃଷ୍ଠପୋଷକତା ଦେଇ ଆସିବା ଦୁର୍ଭାଗ୍ୟଜନକ ବୋଲି ସେମାନେ ଉଲ୍ଲେଖ କରିଛନ୍ତି ।

ରାଜ୍ୟ ସରକାର ଓଡ଼ିଶାକୁ ସଂପୂର୍ଣ୍ଣ ମଦ ଓ ଅନ୍ୟାନ୍ୟ ନିଶା ରାକ୍ଷସ କବଳରୁ ମୁକ୍ତ କରିବା ପାଇଁ ସ୍ୱାଧୀନତା ଦିବସ ପୂର୍ବରୁ ସଂକଳ୍ପ ଘୋଷଣା କରିବା ସହିତ ଏହି ଅଭିଯାନ ସଫଳ କରିବା ଲାଗି ଦଳମତ ନିର୍ବିଶେଷରେ ସବୁ ବର୍ଗର ବିଶେଷ କରି ମହିଳା ଓ ଯୁବକମାନଙ୍କର ସକ୍ରିୟ ସହଯୋଗ ନେବା ଲାଗି ଓଡ଼ିଶା ମଦମୁକ୍ତି ଅଭିଯାନ ପକ୍ଷରୁ କୁହାଯାଇଛି ।(ତଥ୍ୟ)