ଭୁବନେଶ୍ୱର : ସ୍ୱାଧୀନତାପ୍ରାପ୍ତିର ୭୫ବର୍ଷ ପୂର୍ତ୍ତି ଉତ୍ସବ ପାଳନ ପାଇଁ ଓଡିଶାରେ ବିଜେଡି ଓ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ବିଶେଷକରି ବିଜେପି ଘରେ ଘରେ ତ୍ରିରଙ୍ଗା ପତାକା ଉଡାଇବାପାଇଁ ଅଭିଯାନ ଆରମ୍ଭ କରିଥିବାବେଳେ ବିଜେଡି ମଧ୍ୟ ଏ ପ୍ରସଙ୍ଗରେ ପଛରେ ପଡିନାହିଁ ।
ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଲାଗି କେନ୍ଦ୍ର ସରକାର ଦୁଇ ବର୍ଷ ଧରି ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଚଳାଉଛନ୍ତି । ଏଥିଲାଗି ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଜାତୀୟ ସ୍ତରରେ ଗଠିତ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ରାଜନେତା ସଦସ୍ୟ ଅଛନ୍ତି । ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନିତ କରିବାଲାଗି ପୁଣି ଦାବି ଦୋହରାଯିବା ସହ ମୁକ୍ତି ଆନ୍ଦୋଳନରେ ଓଡିଆ ସଂଗ୍ରାମୀଙ୍କ ବଳିଦାନ ସମ୍ପର୍କରେ ବି ଚେତାଇ ଦିଆଯାଇଛି ।
କେନ୍ଦ୍ର ସରକାର ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରିଥିବାବେଳେ ଓଡିଶା ସରକାର ମଧ୍ୟ ବର୍ଷ ବ୍ୟାପି ଅମୃତ ମହୋତ୍ସବ ପାଳନ କରିବାକୁ ଘୋଷଣା କରିଛନ୍ତି । ଏଥିଲାଗି ଖୁବ୍ଶୀଘ୍ର ଏକ ରାଜ୍ୟସ୍ତରୀୟ କମିଟି ଗଢାଯିବାର ସମ୍ଭାବନା ରହିଛି ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅମୃତ ମହୋତ୍ସବ ପାଳନ ଲାଗି ଆଗ୍ରହ ପ୍ରକାଶ କରିଥିବାବେଳେ କେନ୍ଦ୍ରରେ କ୍ଷମତାସୀନ ବିଜେପି ଓ ରାଜ୍ୟରେ କ୍ଷମତାସୀନ ବିଜେଡି ପକ୍ଷରୁ ଏଥିଲାଗି ବିଶେଷ ତତ୍ପରତା ପ୍ରକାଶ ପାଇଛି । ୨୦୨୪ ମସିହାରେ ଲୋକସଭା ସହିତ ରାଜ୍ୟ ବିଧାନସଭାର କାର୍ଯ୍ୟକାଳନ ପୂରିବାକୁ ଯାଉଥିବାବେଳେ ଏହା ପୂର୍ବରୁ ସାଧାରଣ ନିର୍ବାଚନ ହୋଇପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ତେଣୁ ଆସନ୍ତାବର୍ଷ ଅଗଷ୍ଟମାସ ପର୍ଯ୍ୟନ୍ତ ଜନସମ୍ପର୍କ ଅଭିଯାନକୁ ବ୍ୟାପକ କରିବାଲାଗି ସ୍ୱାଧୀନତାର ଅମୃତ ମହୋତ୍ସବ ଉଭୟ ବିଜେପି ଓ ବିଜେଡି ପାଇଁ ସୁଯୋଗ ସୃଷ୍ଟି କରିଛି ।
ତେବେ ଜାତୀୟ କଂଗ୍ରେସ ସ୍ୱାଧୀନତାର ଆନ୍ଦୋଳନର ନେତୃତ୍ୱ ନେଇଥିବାବେଳେ ଏଯାବତ୍ କିନ୍ତୁ ଅମୃତ ମହୋତ୍ସବ ପ୍ରତିପାଳନ ପାଇଁ କଂଗ୍ରେସ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଘୋଷଣା କରାଯାଇ ନାହିଁ । ତେବେ ଠିକଣା ସମୟରେ ଦଳର ନେତୃତ୍ୱ ଏ ପ୍ରସଙ୍ଗରେ ଠିକଣା ନିଷ୍ପତ୍ତି ନେବେ ବୋଲି ଅନେକ ରାଜ୍ୟସ୍ତରୀୟ ନେତା ଆଶା ରଖିଛନ୍ତି ।
ଇତି ମଧ୍ୟରେ ତ୍ରିରଙ୍ଗା ପତାକା ଉଡାଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଛୋଟ ବଡ ରାଲି ମାନ କରାଯାଉଛି । ଏମିତିକି ବିଭିନ୍ନ ଜିଲ୍ଲାରେ ବିଜେପି ପକ୍ଷରୁ ପଦଯାତ୍ରା ମଧ୍ୟ ଅନୁଷ୍ଠିତ ହେଉଛି । ଅଗଷ୍ଟ ୯ କ୍ରାନ୍ତି ଦିବସରୁ ରାଜ୍ୟର ଅନ୍ୟତମ ଗାନ୍ଧୀପୀଠ ବେରବୋଇ ଠାରୁ ଲବଣ କ୍ଷେତ୍ର ଅସ୍ତରଙ୍ଗର କୁହୁଡି ପର୍ଯ୍ୟନ୍ତ ବିଜେପି କର୍ମୀମାନେ ତ୍ରିରଙ୍ଗା ସହିତ ଆକର୍ଷଣୀୟ ପଦଯାତ୍ରା କାର୍ଯ୍ୟକ୍ରମ ରଖିଛନ୍ତି ।
ଅନ୍ୟ ପକ୍ଷରେ ପ୍ରତିବର୍ଷ ବିଜେଡି ରାଜ୍ୟରେ କ୍ରାନ୍ତି ସପ୍ତାହ ପାଳନ କରିଆସୁଛି । ଏହି ଅବସରରେ ଅଗଷ୍ଟ ୯ରୁ ୧୫ ପର୍ଯ୍ୟନ୍ତ ଅତୀତରେ ପ୍ରତିବର୍ଷ ଅନେକ କାର୍ଯ୍ୟକ୍ରମ ଦଳ କରାଇଥାଏ । ସ୍ୱାଧୀନତା ଆନ୍ଦୋଳନ କାଳରେ ଓଡିଶାରେ ଯେତେସବୁ ସ୍ଥାନରେ ସଂଗ୍ରାମୀମାନେ ଶହୀଦ ହୋଇଛନ୍ତି ଏବଂ ଆନ୍ଦୋଳନକୁ ତେଜିୟାନ କରିଛନ୍ତି ସେସବୁ ଅଞ୍ଚଳରେ ବିଜେଡି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିବ । ଏବେ ଉଭୟ ଦଳ ପଞ୍ଚାୟତରୁ ପୌରସଂସ୍ଥା ସ୍ତର ପର୍ଯ୍ୟନ୍ତ ଅମୃତ ମହୋତ୍ସବ କାର୍ଯ୍ୟକ୍ରମକୁ ନେବାଲାଗି ଉଦ୍ୟମ ଚଳାଇଛନ୍ତି । (ତଥ୍ୟ)