Home News in Odia ସ୍ୱରେଜ ସଫା ପାଇଁ ସମନ୍ୱୟ ନାହିଁ

ସ୍ୱରେଜ ସଫା ପାଇଁ ସମନ୍ୱୟ ନାହିଁ

ଭୁବନେଶ୍ୱର : ସହରାଞ୍ଚଳରେ ଥିବା ସ୍ୱରେଜ ଲାଇନ୍‍ ଓ ଟାଙ୍କିଗୁଡିକୁ ଶ୍ରମିକଙ୍କ ବଦଳରେ ମେସିନ୍‍ ଲଗାଇ ସଫା କରିବାପାଇଁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ସଫେଇ ପାଇଁ ଠିକା ନେଇଥିବା ସଂସ୍ଥାମାନେ ମଧ୍ୟ ଏଥିପାଇଁ ଯନ୍ତ୍ରପାତି ଖରିଦ କରିଛନ୍ତି । ହେଲେ ଖୋଦ୍‍ ରାଜଧାନୀରେ ବିଏମ୍‍ସି ଓ ୱାଟ୍‍କୋ ମଧ୍ୟରେ ସମନ୍ୱୟ ଅଭାବରୁ ଯାନ୍ତ୍ରିକ ଉପାୟରେ ସ୍ୱରେଜ ଲାଇନ୍‍ଗୁଡିକୁ ସଫା କରିବା ଅନେକ ସ୍ଥାନରେ ସମ୍ଭବପର ହୋଇପାରୁ ନଥବା ଦେଖିବାକୁ ମିଳୁଛି ।

ସ୍ୱରେଜ ଲାଇନ୍‍ ଟାଙ୍କି ମଧ୍ୟରୁ ମଇଳା କାଢିବା ସମୟରେ ଶ୍ରମିକ ମୃତ୍ୟୁବରଣ କରିବାପରେ ଏଭଳି କାର୍ଯ୍ୟକୁ ବାରଣ କରାଯାଇଥିଲା । ମଣିଷଙ୍କ ବଦଳରେ ମେସିନ୍‍ ଲଗାଇ ସ୍ୱରେଜ ଲାଇନ୍‍ ସଫା କରିବାକୁ ସ୍ପଷ୍ଟଭାବେ କୁହାଯାଇଥିଲା । ଏହାକୁ ସଫା କରିବାପାଇଁ ଠିକା ନେଇଥିବା ସଂସ୍ଥାମାନେ ବି ଲକ୍ଷାଧିକ ଟଙ୍କା ବ୍ୟୟରେ ଛୋଟ, ବଡ ସଫେଇ ଗାଡି ଖରିଦ କରିଛନ୍ତି । ହେଲେ ଅଧିକାଂଶ ସ୍ଥାନରେ ଏହି ଯନ୍ତ୍ରପାତି କାମରେ ଲାଗିପାରୁ ନାହିଁ ।

ଖୋଦ୍‍ ରାଜଧାନୀରେ ସରକାରୀ କ୍ୱାଟର୍ସ ଓ ବେସରକାରୀ ଘରର ପଛପଟେ ସ୍ୱରେଜ ଲାଇନ୍‍ଗୁଡିକ ରହିଛି । ବିଏମ୍‍ସି କର୍ତ୍ତୃପକ୍ଷ ଏହି ସ୍ଥାନକୁ ସଫା କରି ସେଠାରେ ଟାଇଲ ବିଛାଇଛନ୍ତି । ହେଲେ ଟାଇଲ୍‍ ପକାଇବାପରେ ଖୁଣ୍ଟ ପୋତି ଦୁଇପଟୁ ବାଟ ବନ୍ଦକରି ଦେଇଛନ୍ତି । ଶ୍ରମିକମାନେ ଚାଲିକରି ଯିବା ଛଡା ଅନ୍ୟ ଉପାୟ ନାହିଁ । ବଡ ବଡ ସଫେଇ ଗାଡି ତ ଦୂରରକଥା ଛୋଟ ଛୋଟ ସଫେଇ ଗାଡି ଏହା ମଧ୍ୟକୁ ପ୍ରବେଶ କରିପାରୁ ନାହିଁ ।

କୋଟି କୋଟି ଟଙ୍କା ବ୍ୟୟରେ ଟାଇଲ୍‍ ବିଛାଇବା ସମୟରେ ବିଏମ୍‍ସି ଓ ୱାଟ୍‍କୋ ମଧ୍ୟରେ ତାଳମେଳ ରହିଲା ନାହିଁ । ସ୍ୱରେଜ ଲାଇନ୍‍ଗୁଡିକ ସଫା କରିବାପାଇଁ ସେଠାକୁ କିଭଳି ଯାନବାହାନ ପ୍ରବେଶ କରିବ ତାହା ଉପରେ କେହି ନଜର ଦେଲେ ନାହିଁ । ଏବେ କୌଣସି ଠାରୁ ଅଭିଯୋଗ ଆସିଲେ ସେଠାରେ ଗାଡି ପଠାଇବା ବଦଳରେ ଠିକାଦାରମାନେ ବାଧ୍ୟହୋଇ ଶ୍ରମିକମାନଙ୍କୁ ପଠାଉଛନ୍ତି ଏବଂ ସେମାନେ ପୂର୍ବଭଳି ଟାଙ୍କିରେ ପଶି ମଇଳା କାଢୁଛନ୍ତି । କନଜନଭେନ୍ସି ଚାରିପଟେ ଗାଡି ବୁଲି ବୁଲି ଫେରୁଛି ।

ଏହା ଫଳରେ ୱାଟ୍‍କୋ କର୍ତ୍ତୃପକ୍ଷ ଅଭିଯୋଗ ପାଇବାପରେ ତତ୍କାଳ ପଦକ୍ଷେପ ନେବାକୁ ସକ୍ଷମ ହୋଇପାରୁ ନଥିବା ଲକ୍ଷ୍ୟ କରାଯାଉଛି । କାରଣ ଯେଉଁଠାରେ ମାତ୍ର କେଇ ମିନିଟ୍‍ ମଧ୍ୟରେ ମେସିନ୍‍ ସାହାଯ୍ୟରେ ସ୍ୱରେଜ ଲାଇନ୍‍ ସଫା କରାଯାଇ ପାରୁଥାନ୍ତା ସେଠାରେ ଶ୍ରମିକଙ୍କ ଦ୍ୱାରା ଦିନ ଦିନ ଲାଗିଯାଉଛି । ଦୁଇଟି ସରକାରୀ ସଂସ୍ଥା ମଧ୍ୟରେ ସମନ୍ୱୟ ଅଭାବରୁ ଏବେ ବି ହାତରେ ବତା ଧରି ଶ୍ରମିକମାନେ ସ୍ୱରେଜ ଲାଇନ୍‍ ସଫା କରିବାକୁ ଯାଉଛନ୍ତି ଏବଂ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ଓ ବିପଦସଙ୍କୁଳ ସ୍ଥିତିରେ ମଇଳା ଟାଙ୍କିରେ ପଶି କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । (ତଥ୍ୟ)