Home News in Odia ସ୍ୱରେଜ ବୋର୍ଡରେ ଠିକା କର୍ମଚାରୀ ଅଧିକ

ସ୍ୱରେଜ ବୋର୍ଡରେ ଠିକା କର୍ମଚାରୀ ଅଧିକ

ଭୁବନେଶ୍ୱର : ଓଡିଶା ଜଳ ଯୋଗାଣ ଓ ସ୍ୱରେଜ ବୋର୍ଡ ଏବେ ଠିକା କର୍ମଚାରୀଙ୍କ ଭରସାରେ । ଏହି ସଂସ୍ଥାପାଇଁ ଯେତିକି ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି ତାହାର ଅଧାରୁ ଅଧିକ ପଦବୀ ଖାଲି ପଡିଛି ।

ଜଳ ଯୋଗାଣ ଓ ସ୍ୱରେଜ ବୋର୍ଡ ପାଇଁ ମୋଟ୍‍ ୧୨୦ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଥିରୁ ୬୩ଟି ପଦବୀ ଖାଲି ପଡିଛି । ମଞ୍ଜୁରୀପାପ୍ତ ୫ଟି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦବୀ ମଧ୍ୟରୁ ୬ଟି ଖାଲି ପଡିଥିବାବେଳେ ୧୪ଟି ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ ମଧ୍ୟରୁ ୮ଟି ପଦବୀ ଖାଲି । ସେହିଭଳି ୨୪ଟି ସହକାରୀ ଓ କନିଷ୍ଠ ଯନ୍ତ୍ରୀ ପଦବୀ ମଧ୍ୟରୁ ୧୧ଟି ଖାଲି ପଡିଥିବାବେଳେ ଗୋଟିଏ ବରିଷ୍ଠ ଡିଏଓ ପଦବୀରେ କେହି ନାହାନ୍ତି ।

ବରିଷ୍ଠ ସହାୟକ, ଡ୍ରାଫ୍ଟସମ୍ୟାନ, ବରିଷ୍ଠ ଷ୍ଟେନୋଗ୍ରାଫର, କନିଷ୍ଠ ଷ୍ଟେନୋଗ୍ରାଫର, ବରିଷ୍ଠ ନିର୍ବାହୀ ସହାୟକ, କନିଷ୍ଠ ନିର୍ବାହୀ ସହାୟକ ଆଦି ପାଇଁ ସମସ୍ତ ମଞ୍ଜୁରୀପ୍ରାପ୍ତ ପଦବୀ ଖାଲି ପଡିଥିବାବେଳେ ୫ଟି ବରିଷ୍ଠ କିରାଣୀ ପଦବୀରେ ୪ଜଣ କାର୍ଯ୍ୟରତ ଅଛନ୍ତି । ୮ଟି କନିଷ୍ଠ କିରାଣୀ ପଦବୀ ମଧ୍ୟରୁ ୬ଟି ଖାଲି ପଡିଥିବାବେଳେ ରିସେପନିଷ୍ଟ ପଦବୀଟି ମଧ୍ୟ ପୂରଣ ହୋଇପାରୁ ନାହିଁ ।

ତେବେ ମଞ୍ଜୁରୀପ୍ରାପ୍ତ ସରକାରୀ ପଦବୀଗୁଡିକ ଖାଲି ପଡିଥିବାବେଳେ କାମ ଚଳାଇବାପାଇଁ କିନ୍ତୁ ୭୦ ଜଣ ଡିଏଲ୍‍ଆର କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଏମାନଙ୍କ ଭରସାରେ ଦପ୍ତର ଚାଲୁଥିବା ଜଣାଯାଇଛି । ଏଭଳି କର୍ମଚାରୀଙ୍କ ମଧ୍ୟରୁ ୱାଟକୋରେ ୩୫ଜଣ କାର୍ଯ୍ୟରତ ଥିବାବେଳେ ଓଡିଶା ଜଳଯୋଗାଣ ଓ ସ୍ୱରେଜ ବୋର୍ଡରେ ୩୫ଜଣ କାର୍ଯ୍ୟରତ ଅଛନ୍ତି ।

ରାଜ୍ୟ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା ଜଳଯୋଗାଣ ଓ ସ୍ୱରେଜ ବୋର୍ଡ ସହିତ ୱାଟ୍‍କୋ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସରକାରୀ ସଂସ୍ଥା ହୋଇଥିବାବେଳେ ଏଠାରେ ଥିବା ମଞ୍ଜୁରୀପ୍ରାପ୍ତ ପଦବୀଗୁଡିକ ପୂରଣ ନହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାରେ ସ୍ୱରେଜ ବୋର୍ଡର କଳେବର ବୃଦ୍ଧି ପାଉଥିବାବେଳେ ସହରାଞ୍ଚଳରେ ଲୋକଙ୍କୁ ୨୪ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ ଯୋଗାଣ ଦାୟିତ୍ୱ ୱାଟ୍‍କୋ ହାତରେ ରହିଛି ।

ରାଜ୍ୟରେ ସହରାଞ୍ଚଳ ପରିସୀମା ବୃଦ୍ଧି ସହିତ ସରାଞ୍ଚଳର ଜନସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସହରାଞ୍ଚଳରୁ ବସ୍ତି ଉଚ୍ଛେଦ ସହିତ ବସ୍ତିବାସିନ୍ଦାଙ୍କୁ ଥଇଥାନ କାର୍ଯ୍ୟ ହାତକୁ ନିଆଯାଇଛି । ସହରରେ ଯେଭଳି ସମସ୍ତ ବ୍ୟକ୍ତି ବିଶୁଦ୍ଧ ପାନୀୟଜଳ ପାଇବେ ତାହା ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ସ୍ୱରେଜ ବ୍ୟବସ୍ଥା ଉପରେ ସରକାର ସରକାର ଗୁରୁତ୍ୱାରୋପ କରୁଛନ୍ତି । ଏଭଳି ସ୍ଥିତିରେ ମଞ୍ଜୁରୀପ୍ରାପ୍ତ ପଦବୀଗୁଡିକ ପୂରଣ ନହେବା ଏବେ ଯୋଜନା କାର୍ଯ୍ୟକାରିତା ନେଇ ଆହ୍ୱାନ ସୃଷ୍ଟି ହୋଇଛି । ଏହି ସଂସ୍ଥା ପାଇଁ ଥିବା ମୁଖ୍ୟଯନ୍ତ୍ରୀ ପାହ୍ୟାର ଏକମାତ୍ର ସଦସ୍ୟ ସଚିବ ପଦବୀଟି ବି ପୂରଣ ହୋଇପାରୁ ନାହିଁ । ଠିକା କର୍ମଚାରୀଙ୍କ ହାତରେ ଏଭଳି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର ପରିଚାଳନା ବଦଳରେ ତୁରନ୍ତ ମଞ୍ଜୁରୀପ୍ରାପ୍ତ ପଦବୀ ପୂରଣ ସହିତ ଆବଶ୍ୟକ ହେଉଥିବା ପଦବୀ ସୃଷ୍ଟି ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)