Home Judiciary ସ୍ୱତନ୍ତ୍ର ଅବକାରୀ ଅଦାଲତ କେବେ ?

ସ୍ୱତନ୍ତ୍ର ଅବକାରୀ ଅଦାଲତ କେବେ ?

ଭୁବନେଶ୍ୱର : ଅବକାରୀ ମାମଲାର ତ୍ୱରିତ ଫଏସଲା ସହ ଚୋରା ନିଶା କାରବାର ନିୟନ୍ତ୍ରଣ ଏବଂ ଏହି ଅପରାଧରେ ଜଡିତ ବ୍ୟକ୍ତିମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଅବକାରୀ ଅଦାଲତ ପ୍ରତିଷ୍ଠା ଲାଗି ଆଇନ୍‍ରେ ବ୍ୟବସ୍ଥା ଥିଲେ ମଧ୍ୟ ରାଜ୍ୟରେ ଏଯାବତ୍‍ ଏହା ପ୍ରତିଷ୍ଠା ହୋଇପାରି ନାହିଁ ।

ଓଡିଶା ଅବକାରୀ ଆଇନ୍‍ର ୮୭ଧାରାରେ ସ୍ୱତନ୍ତ୍ର ଅବକାରୀ ଅଦାଲତ କଥା ଉଲ୍ଲେଖ ରହିଛି । ୧୨ବର୍ଷ ତଳୁ ଏହି ଆଇନ୍‍ ପ୍ରଣିତ ହେଲାଣି । ପୂର୍ବରୁ ବିହାର-ଓଡିଶା ଅବକାରୀ ଆଇନ୍‍ ଚାଲୁଥିଲା । ଏହା ସତ୍ୱେ ଆଇନ୍‍ଗତ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ଜିଲ୍ଲା ଓ ସବ୍‍ଡିଭିଜନରେ ସ୍ୱତନ୍ତ୍ର ଅବକାରୀ ଅଦାଲତ ପ୍ରତିଷ୍ଠା କେବଳ ପ୍ରସ୍ତାବରେ ସୀମିତ ରହିଛି ।

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରି ରାଜ୍ୟ ସରକାର ସ୍ୱତନ୍ତ୍ର ଅବକାରୀ ଅଦାଲତ ଗଠନ କରିବା କଥା । ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ଆଇନ୍‍ ବିଭାଗ ଠାରୁ ମତାମତି ଲୋଡି ପ୍ରସ୍ତାବ ପଠାଇ ଉତ୍ତର ପ୍ରତୀକ୍ଷାରେ ବସିଛି । ଗତ ୧୦ବର୍ଷ ମଧ୍ୟରେ ଅବକାରୀ ମାମଲାରେ ଦଣ୍ଡବିଧାନ ହାର ୨ରୁ ୧୦ ପ୍ରତିଶତ ମଧ୍ୟରେ ସୀମିତ ରହୁଥିବା କୁହାଯାଉଛି । ତେବେ ଏହି ମାମଲାଗୁଡିକ ଚିଫ୍‍ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଅଦାଲତକୁ ଅଣାନଯାଇ ଜେଏମ୍‍ଏଫ୍‍ସି ଓ ଏସ୍‍ଡିଜେଏମ୍‍ଙ୍କ ଅଦାଲତରେ ବିଚାର ହେଉଥିବାରୁ ଦଣ୍ଡବିଧାନ ହାର ଢେର କମ୍‍ ରହୁଥିବା ସରକାରୀ ଭାବେ ସ୍ୱୀକାର କରାଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ଚିଫ୍‍ ଜୁଡିସିଆଲ ମାଜିଷ୍ଟ୍ରେଟ ୩ବର୍ଷରୁ ଅଧିକ କାରାଦଣ୍ଡ ଦେଇପାରିବେ । ତେଣୁ ଅବକାରୀ ମାମଲାଗୁଡିକ କିଭଳି ଚିଫ୍‍ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଅଦାଲତରେ ବିଚାର ହୋଇପାରିବ ସେ ସଂକ୍ରାନ୍ତରେ ବାରମ୍ବାର ବିଭାଗୀୟ ଅଧିକାରୀମାନଙ୍କୁ ତାଲିମ ଦିଆଚାଲିଛି ।

ଅବକାରୀ ଆଇନ୍‍ର ୭୦ଧାରା ଅନୁଯାୟୀ ପୂର୍ବରୁ ଦଣ୍ଡିତ ବ୍ୟକ୍ତି ପରେ ଯଦି ଅପରାଧ କରନ୍ତି ତେବେ ସେ କ୍ଷେତ୍ରରେ ଦଣ୍ଡବିଧାନ ବୃଦ୍ଧି କରାଯାଇ ପାରିବ । କିନ୍ତୁ ଏହି ବ୍ୟବସ୍ଥାର ଉପଯୋଗ କରାଯାଇ ପାରୁନାହିଁ । ଏହାର ମୁଖ୍ୟ କାରଣ ଅବକାରୀ ସାମଗ୍ରୀ କାରବାର ତୁଳନାରେ ଅବକାରୀ କର୍ମଚାରୀଙ୍କ ସଂଖ୍ୟା କମ୍‍ ରହିବା ଏବଂ ତଦନ୍ତ ଓ ମାମଲା ପରିଚାଳନାରେ ତ୍ରୁଟି ବିଚ୍ୟୁତି ସହ ବର୍ଷ ବର୍ଷ ଧରି ମାମଲା ଗଡିବା ।

ଏହି ସମସ୍ୟାକ ଆଖିଆଗରେ ରଖି ଅବକାରୀ ବିଭାଗ ତାର କର୍ମଚାରୀମାନଙ୍କ ତାଲିମ ଉପରେ ଗୁରୁତ୍ୱ ଦେଇ ଆସୁଛି । ପ୍ରଶାସନିକ ଅଧିକାରୀ, ପୁଲିସ୍‍ ଅଧିକାରୀ ଏମିତିକି ଦୁର୍ନୀତି ନିବାରଣ ଅଧିକାରୀମାନଙ୍କ ତାଲିମପାଇଁ ସ୍ୱତନ୍ତ୍ର ଏକାଡେମୀ ରହିଛି । ଏ ପରିପ୍ରେକ୍ଷୀରେ ଅବକାରୀ ଏକାଡେମୀ ପ୍ରତିଷ୍ଠା ଲାଗି ଜମି ଖୋଜା ଚାଲିଛି । ରାଜସ୍ୱ ପାର୍ଷଦ ଦପ୍ତର ମଧ୍ୟରେ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ଚାଲୁଛି ।

ଅବକାରୀ ଏକାଡେମୀ ଓ ଅବକାରୀଭବନ ନିର୍ମାଣ ଲାଗି କଟକରେ ଜମି ଚିହ୍ନଟ ହୋଇଥିଲେ ମଧ୍ୟ ତହା ବିଭାଗକୁ ମିଳିନାହିଁ । ଏହାଛଡା କଲିକତା, ଦିଲ୍ଲୀ, ମୁମ୍ବାଇ ଆଦିର ନାର୍କୋଟିକ୍ସ ନିୟନ୍ତ୍ରଣ ବ୍ୟୁରୋରେ ଅଭିଜ୍ଞତା ହାସଲ କରିଥିବା ବରିଷ୍ଠ ଅଧିକାରୀମାନଙ୍କୁ ଓଡିଶା ଆଣି ଏଠାରେ ଅବକାରୀ ଅଧିକାରୀଙ୍କୁ ପ୍ରଶିକ୍ଷିତ କରିବାଲାଗି ବି ଉଦ୍ୟମ ଚାଲିଥିବା ଜଣାପଡିଛି ।