Home Judiciary ସ୍ୟାଟ୍‍ ଉଚ୍ଛେଦ ପରେ ଘାଣ୍ଟି ହେଉଛନ୍ତି କର୍ମଚାରୀ

ସ୍ୟାଟ୍‍ ଉଚ୍ଛେଦ ପରେ ଘାଣ୍ଟି ହେଉଛନ୍ତି କର୍ମଚାରୀ

ଭୁବନେଶ୍ୱର : ଚାକିରି ପ୍ରତ୍ୟାଶୀ, ଅବସରପ୍ରାପ୍ତ କର୍ମଚାରୀ ଓ ତାଙ୍କ ପରିବାର ଏବଂ ସରକାରୀ କର୍ମଚାରୀମାନଙ୍କ ସମସ୍ୟାର ସମାଧାନ ପାଇଁ ଠିକଣା ବିକଳ୍ପ ବ୍ୟବସ୍ଥା ନକରି ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‍) କୁ ଭାଙ୍ଗି ଦିଆଯିବା ଫଳରେ ସମସ୍ୟାରେ ଘାଣ୍ଟି ହେଉଥିବା ବ୍ୟକ୍ତିମାନଙ୍କ ଦୁଃଖ ବଢିବାରେ ଲାଗିଛି ।

ଏହି ବର୍ଗର ବ୍ୟକ୍ତିମାନଙ୍କ ଯୁକ୍ତିଯୁକ୍ତ ଅଭିଯୋଗର ତୁରନ୍ତ ଶୁଣାଣି କରି ସୀମିତ ସମୟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ସରକାରୀକଳରେ ନିର୍ଦ୍ଦିଷ୍ଟ ସକ୍ରିୟ ଫୋରମ ନଥିବାବେଳେ ଏବେ ଢେର କମ୍‍ ସଂଖ୍ୟକ ବିଚାରପତିଙ୍କୁ ନେଇ ଚାଲୁଥିବା ଓଡିଶା ହାଇକୋର୍ଟ ଉପରେ ମାମଲାର ବୋଝ ବଢି ଚାଲୁଛି ବୋଲି ଆଇନଜ୍ଞମାନେ କହୁଛନ୍ତି ।

ଉଚ୍ଛେଦ ବେଳକୁ ସ୍ୟାଟ୍‍ରେ ପ୍ରାୟ ୭୦ହଜାର ମାମଲା ରହିଥିଲା । ଏହାଛଡା ଚାକିରି ସଂକ୍ରାନ୍ତୀୟ ପ୍ରାୟ ୧୦ହଜାର ମାମଲା ମଧ୍ୟ ହାଇକୋର୍ଟ, ଶିକ୍ଷା ଟ୍ରିବ୍ୟୁନାଲ ଆଦିରେ ଥିଲା । ମୋଟାମୋଟି ଭାବେ ଚାକିରି, ପେନ୍‍ସନ ଆଦି ସଂକ୍ରାନ୍ତୀୟ ୮୫ହଜାରରୁ ଅଧିକ ମାମଲା ଓଡିଶାରେ ପଡିରହିଛି । ଏହିସବୁ ମାମଲାର ବିଚାର ପାଇଁ ପୂର୍ବରୁ ସ୍ୟାଟ୍‍ରେ ୬ଜଣ ବିଚାରପତି ରହୁଥିଲେ । ଏବେ ହାଇକୋର୍ଟର ଗୋଟିଏ ବେଞ୍ଚରେ କେବଳ ଶିକ୍ଷା ବିଭାଗର ଓ ଅନ୍ୟଏକ ବେଞ୍ଚ୍‍ରେ ଅନ୍ୟସବୁ ବିଭାଗର ଚାକିରି ଓ ପେନସନ ସଂକ୍ରାନ୍ତୀୟ ମାମଲାର ଶୁଣାଣି ହେଉଛି ।

ହାଇକୋର୍ଟରେ ଏବେ ପ୍ରାୟ ଲକ୍ଷେ ୮୦ହଜାର ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସ୍ୟାଟ୍‍ର ସମସ୍ତ ମାମଲା ଏଠାରେ ପଞ୍ଜିକୃତ ହେଲେ ମୋଟ୍‍ ମାମଲା ସଂଖ୍ୟା ଅଢେଇ ଲକ୍ଷକୁ ଟପିଯିବ । ହାଇକୋର୍ଟରେ ଯେତିକି ମାମଲା ଅଛି ତାହାର ବିଚାର ଲାଗି ମୁଖ୍ୟ ବିଚାରପତିଙ୍କୁ ମିଶାଇ ୨୭ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବାବେଳେ ବାସ୍ତବରେ ମାମଲାର ଚାପ ଦୃଷ୍ଟିରୁ ଏଠାରେ ଅନ୍ୟୁନ ୪୨ଜଣ ବିଚାରପତି ରହିବାକଥା ବୋଲି ଆଇନ୍‍ଜୀବୀମାନେ କହୁଛନ୍ତି । ତେବେ ଓଡିଶା ହାଇକୋର୍ଟରେ ବର୍ତ୍ତମାନ ୨୭ରୁ ୧୪ଟି ବିଚାରପତି ପଦବୀ ଖାଲି ପଡିଛି ।

ସ୍ୟାଟ୍‍ ଭଙ୍ଗାଯିବା ପରେ ଓଡିଶା ହାଇକୋର୍ଟରେ ଅନ୍ୟୁନ ୫ଟି ସ୍ୱତନ୍ତ୍ର ସର୍ଭିସ ବେଞ୍ଚ ରହିବା ଆବଶ୍ୟକ ବୋଲି ମତପ୍ରକାଶ ପାଉଥିବାବେଳେ ସୀମିତ ସଂଖ୍ୟକ ବିଚାରପତିରେ ହାଇକୋର୍ଟ କାର୍ଯ୍ୟ ଚାଲୁଥିବାରୁ ସ୍ୱତନ୍ତ୍ର ସର୍ଭିସ ବେଞ୍ଚ କରି ଅଧିକ ବିଚାରପତି ନିୟୋଜନ କରିବା ଅସମ୍ଭବପର ବୋଲି ଅବସରପ୍ରାପ୍ତ ବିଚାରପତିମାନେ ମଧ୍ୟ କହୁଛନ୍ତି । ଏ ପରିପ୍ରେକ୍ଷୀରେ ସରକାର ତାଙ୍କ ତାଙ୍କ ନିଷ୍ପତ୍ତିର ପୁର୍ନବିଚାର କରି ପୁଣି ସ୍ୟାଟ୍‍ର ପୁନରୁଦ୍ଧାର କରିବାପାଇଁ ମତପ୍ରକାଶ ପାଉଛି ।

ଏହାଛଡା ଅଭିଜ୍ଞ ପ୍ରଶାସନିକ ଆଇନ୍‍ ବିଶାରଦ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଆଦିଙ୍କୁ ନେଇ ଜିଲ୍ଲା ଓ ରାଜ୍ୟ ସ୍ତରରେ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ପ୍ରକୋଷ୍ଠ କରାଗଲେ ଆଇନ୍‍ ଅଦାଲତରେ ଗଡୁଥିବା ବହୁ ମାମଲାର ବି ଅନ୍ତ ଘଟିପାରିବ । ଚାକିରି ପେନ୍‍ସନ ଆଦି ସଂକ୍ରାନ୍ତୀୟ ମାମଲାର ଚାପ ସରକାରୀକଳ ଉପରେ ରହୁଥିବାରୁ ଏଥିଲାଗି ମଧ୍ୟ ବ୍ୟାପକ ସମୟ, ସମ୍ବଳ ଓ ଶକ୍ତିର ଅପଚୟ ଘଟୁଛି । (ତଥ୍ୟ)