ଭୁବନେଶ୍ୱର : ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଓଡିଶା ବିଧାନସଭାକୁ ସମ୍ବୋଧିତ କରିଛନ୍ତି । ମହାମହିମ ରାଷ୍ଟ୍ରପତି ଅପରାହ୍ନ ଅଧିବେଶନରେ ଗୃହକୁ ସମ୍ବୋଧନ କରି କହିଥିଲେ ଯେ ଓଡିଶା ବିଧାନସଭାରେ ଆଜି ମୋର ଉପସ୍ଥିତି ମୋତେ ନିଜ ଘରକୁ ଆସିଲା ଭଳିଆ ଲାଗୁଛି । ଏହା ମୋ ପାଇଁ ବିଶେଷ ଖୁସିର ଦିନ ।
ଏ ଗୃହ ମୋତେ ସବୁକିଛି ଦେଇଛି । ଏଠାରେ ମୋର ରାଜନୈତିକ ନିଅଁ ପଡିଛି । ନିଅଁ ସୁଦୃଢ ହୋଇନଥିଲେ ମୁଁ ଆଜି ଯେଉଁଠାରେ ପହଞ୍ଚିଛି ସେଠାରେ ପହଞ୍ଚିପାରି ନଥାନ୍ତି । ସବୁକିଛି ଜଗନ୍ନାଥଙ୍କ କରୁଣା । ରାଜନୈତିକ ଭାବେ କିଭଳି ସମସ୍ତଙ୍କ ସହିତ ବ୍ୟବହାର କରାଯିବ ତାହା ମୁଁ ଏହି ଗୃହରୁ ଶିଖିଛି । ଆଜି ଏଠାରେ ଛିଡା ହେଲାପରେ ମୋର ଅତୀତର ସ୍ମୃତି ତାଜା ହେଉଛି । ବିଧାୟକ ଭାବେ ଏହି ଗୃହରେ ମୁଁ ପ୍ରଶ୍ନ ପଚାରିଛି । ମନ୍ତ୍ରୀ ଭାବେ ମୁଁ ଏଠାରେ ବିଧାୟକମାନଙ୍କର ପ୍ରଶ୍ନର ଉତ୍ତର ଦେଇଛି । କମିଟିର ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଛି । ବିଧାନସଭାରେ ଉପସ୍ଥିତ ୧୪୭ଜଣ ସଦସ୍ୟଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଚିହ୍ନିଛି । ଅନେକଙ୍କ ସହିତ କାମ ବି କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଏହି ଗୃହରେ କାର୍ଯ୍ୟ କରିଛି ।
ଓଡିଶା ବିଧାନସଭାରେ ମହିଳା ପ୍ରତିନିଧିତ୍ୱର ଦୀର୍ଘ ଇତିହାସ ରହିଛି । ବର୍ତ୍ତମାନର ବାଚସ୍ପତି ଜଣେ ମହିଳା । ପୂର୍ବରୁ ଜଣେ ମହିଳା ଗୃହର ବାଚସ୍ପତି ଦାୟିତ୍ୱ ତୁଲାଉଥିଲେ । ପ୍ରାକ୍ ସ୍ୱାଧୀନତା କାଳରେ ଏ ଲକ୍ଷ୍ମୀବାଇ ଓଡିଶା ବିଧାନସଭାରେ ଉପବାଚସ୍ପତି ଥିଲେ । ନନ୍ଦିନୀ ଶତପଥୀ ଥିଲେ ଦେଶର ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ।
ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାକୁ ରାଷ୍ଟ୍ରପତି ପ୍ରଶଂସା କରବା ସହିତ ଏହା ଜରିଆରେ ମହିଳାମାନେ କିଭଳି ସ୍ୱାବଲମ୍ବି ହେଉଛନ୍ତି ତାହା ଦର୍ଶାଇଥିଲେ । ୨୦୪୭ ମସିହାରେ ଭାରତ ଏବ ବିକଶିତ ଭାରତ ହେବାର ଲକ୍ଷ୍ୟ ନେଇ ଅଗ୍ରସର ହେଉଥିବାବେଳେ ୨୦୩୬ ରେ ରାଜ୍ୟ ଗଠନର ଶତବାର୍ଷିକ ପାଳନ ସହିତ ଓଡିଶା ଏକ ସୁସମୃଦ୍ଧ ଓଡିଶା ହୋଇପାରିଲେ ତାହା ବିକଶିତ ଭାରତ ଗଠନରେ ବେଶ୍ ସହଯୋଗୀ ହୋଇପାରିବ । ବର୍ତ୍ତମାନ ହେଉଛି ଜ୍ଞାନକୌଶଳର ଯୁଗ ।
ବିଦେଶରେ ଲୋକେ ଗୋଟିଏ ପରବର୍ତ୍ତିତ ଭାରତକୁ ଦେଖୁଛନ୍ତି । ଲୋକମାନଙ୍କ ସ୍ୱପ୍ନକୁ ସାକାର କରିବାପାଇଁ ବିଧାନସଭାର ସଦସ୍ୟମାନେ କାମ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି । ସଦସ୍ୟମାନେ ଏଭଳି କାର୍ଯ୍ୟ କରିବେ ଯାହା ସାଧାରଣ ଲୋକଙ୍କ ହିତ ସାଧାନ କରିବ ବୋଲି ରାଷ୍ଟ୍ରପତି କହିବା ସହିତ ବିଧାନସଭାରେ ଅଭିଭାଷଣ ରଖିବାପାଇଁ ଆମନ୍ତ୍ରଣ କରିଥିବାରୁ ବାଚସ୍ପତି ସୁରମା ପାଢୀଙ୍କୁ ଧନ୍ୟବାଦ ଦେଇ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ ।
ରାଷ୍ଟ୍ରପତିଙ୍କ ଅଭିଭାଷଣ ପୂର୍ବରୁ ବାଚସ୍ପତି ସୁରମା ପାଢୀ ମହାମହିମ ରାଷ୍ଟ୍ରପତିଙ୍କୁ ବିଧାନସଭାକୁ ପାଛୋଟି ଆଣିବା ସହିତ କହିଥିଲେ ଯେ ଶ୍ରୀମତୀ ମୁମୁଁ ୨୦୦୭ ମସିହାରେ ବିଧାନସଭାର ସଦସ୍ୟ ଥିବାବେଳେ ଶ୍ରେଷ୍ଠ ବିଧାୟିକା ଭାବେ ପୁରସ୍କୃତ ହୋଇଥିଲେ । ଓଡିଶାର ଭଞ୍ଜ ମାଟିର ଝିଅ ଦ୍ରୌପଦୀ ହେଉଛନ୍ତି ଦେଶର ସର୍ବ କନିଷ୍ଠ ଓ ସ୍ୱାଧୀନ ଭାରତରେ ଜନ୍ମଲାଭ କରିଥିବା ପ୍ରଥମ ମହିଳା ରାଷ୍ଟ୍ରପତି । ସମ୍ବିଧାନର ପରିପାଳକ ଭାବେ ରାଷ୍ଟ୍ରପତି ତିନିବାହିନୀର ମୁଖ୍ୟ ଦାୟିତ୍ୱ ତୁଲାଇବା ସହିତ ରାଫେଲ ଓ ସୁଖୋଇରେ ଉଡିବାର ସୌଭାଗ୍ୟପ୍ରାପ୍ତ କରିଛନ୍ତି । ତାଙ୍କୁ ଆଜି ଏ ପବିତ୍ର ଗୃହରେ ପାଇ ଆମେ ସମସ୍ତେ ଗର୍ବିତ ।
ବିରୋଧିଦଳ ନେତା ନବୀନ ପଟ୍ଟନାୟକ କହିଥବଲେ ଏ ମାଟିର ଝିଅ ଆଜି ଦେଶର ରାଷ୍ଟ୍ରପତି । ଏଥିପାଇଁ ଆମେ ସମସ୍ତେ ଗର୍ବିତ । ଆହୁରି ଗର୍ବର କଥା ହେଲା ସେ ତାଙ୍କର ରାଜନୈତିକ ଜୀବନ ୨୫ବର୍ଷ ତଳୁ ଏ ଗୃହରୁ ଆରମ୍ଭ କରିଥିଲେ । ଆଜି ଦେଶର ରାଷ୍ଟ୍ରପତି ଭାବେ ସେ ରାଜ୍ୟର ଗୌରବ ବୃଦ୍ଧି କରିଛନ୍ତି । ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଓଡିଶା ବିଧାନସଭାରେ ରାଷ୍ଟ୍ରପତିଙ୍କ ଉପସ୍ଥିତିକୁ ସ୍ୱାଗତ କରିବା ସହିତ ତାଙ୍କର ଜୀବନଦର୍ଶନ ଉପରେ ଆଲୋକପାତ କରିଥିଲେ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଆଜିର ଦିନଟି ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ । ପ୍ରଥମଥର ପାଇଁ ଓଡିଶା ବିଧାନସଭାକୁ ରାଷ୍ଟ୍ରପତି ସମ୍ବୋଧନ କରୁଛନ୍ତି । ସମସ୍ତ ସଦସ୍ୟ ସଦସ୍ୟାଙ୍କ ତରଫରୁ ମୁଁ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଉଛି । ଏହାପରେ ବାଚସ୍ପତି ଶ୍ରୀମତୀ ପାଢୀ ରାଷ୍ଟ୍ରପତି ଉପଢøକନ ସହିତ ଜଗନ୍ନାଥ ଓ ଓଡିଶା ବିଧାନସଭାର କଳାକୃତି ଦେଇ ସମ୍ମାନିତ କରିଥିଲେ ।

