Home General ସ୍ମାର୍ଟ ସିଟି ପାଇଲାଣି ୮୮୨ କୋଟି

ସ୍ମାର୍ଟ ସିଟି ପାଇଲାଣି ୮୮୨ କୋଟି

ଭୁବନେଶ୍ୱର : ଓଡିଶାରେ ଥିବା ଦୁଇଟି ସ୍ମାର୍ଟ ସିଟି ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ୮୮୨ କୋଟି ଟଙ୍କା ଯୋଗାଇ ଦେଇଥିବାବେଳେ ଏଥିରୁ ୭୭୬ କୋଟି ଟଙ୍କା ଖର୍ଚ୍ଚ ସରିଲାଣି । କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୌଶଳ କୁମାର ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ ୨୦୧୫-୧୬ ବର୍ଷରୁ କେନ୍ଦ୍ର ସରକାର ଓଡିଶା ସମେତ ବିଭିନ୍ନ ରାଜ୍ୟକୁ ସ୍ମାର୍ଟସିଟି ମିଶନ ଯୋଜନାରେ ଅର୍ଥ ଯୋଗାଇ ଆସୁଛନ୍ତି । ୨୦୧୫-୧୬ରେ ଓଡିଶାକୁ ଏ ବାବଦରେ ୧୯୨ କୋଟି ଟଙ୍କା ମିଳିଥିବାବେଳେ ୨୦୧୬-୧୭ରେ ୬କୋଟି, ୨୦୧୭-୧୮ ରେ ୧୮୮ କୋଟି, ୨୦୧୮-୧୯ରେ ୬ କୋଟି ଓ ୨୦୧୯-୨୦ ରେ ୨୦୪ କୋଟି ଟଙ୍କା ଯୋଗାଇ ଦେଇଥିଲେ । ତେବେ ୨୦୨୦-୨୧ ବର୍ଷରେ ଏହି ଯୋଜନାରେ ଓଡିଶାକୁ କୌଣସି ଅର୍ଥ ମିଳିନଥିବାବେଳେ ୨୦୨୧-୨୨ ଏବଂ ୨୦୨୨-୨୩ ରେ ୧୪୭ କୋଟି ଟଙ୍କା କରି ମଞ୍ଜୁର ହୋଇଛି ।

ଉଲ୍ଲେଖନୀୟ ଯେ ଓଡିଶାରେ ଭୁବନେଶ୍ୱର ସ୍ମାର୍ଟ ସିଟି ସହିତ ରାଉରକେଲା ସ୍ମାର୍ଟ ସିଟି ରହିଥିବାବେଳେ ଏହି ଦୁଇଟି ପାଇଁ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଉଛନ୍ତି ।

ସ୍ମାର୍ଟ ସିଟି ମିଶନ ଯୋଜନାରେ ସର୍ବାଧିକ ୪୯୩୭ କୋଟି ଟଙ୍କା ତାମିଲନାଡୁ ପାଇଥିବାବେଳେ ଉତ୍ତରପ୍ରଦେଶ ୩୫୭୭ କୋଟି, ମହାରାଷ୍ଟ୍ର ୨୯୪୦ କୋଟି, କର୍ଣ୍ଣାଟକ ୨୯୦୧ କୋଟି, ମଧ୍ୟପ୍ରଦେଶ ୨୫୪୮ କୋଟି, ଗୁଜୁରାଟ ୨୩୫୨ କୋଟି, ଆନ୍ଧ୍ରପ୍ରଦେଶ ୧୮୬୦ କୋଟି ଓ ରାଜସ୍ଥାନ ୧୮୧୩ କୋଟି ଟଙ୍କା ପାଇଛି । ଲକ୍ଷାଦ୍ୱୀପ ସବୁଠାରୁ କମ୍‍ ୬୦ କୋଟି ଟଙ୍କା ପାଇଥିବାବେଳେ ଅନ୍ୟ ସମସ୍ତ ରାଜ୍ୟ ପାଇଥିବା ଅର୍ଥ ତିନି ଅଙ୍କରେ ସୀମିତ ରହିଛି ।

ତେବେ ପଡୋଶୀ ରାଜ୍ୟ ଭାବେ ଆନ୍ଧ୍ରପ୍ରଦେଶ ୧୮୬୦ କୋଟି ଟଙ୍କା ପାଇଥିବାବେଳେ ଛତିଶଗଡ ୭୧୦ କୋଟି, ଝାଡଖଣ୍ଡ ୪୯୦ କୋଟି ଓ ପଶ୍ଚିମବଙ୍ଗ ୩୯୩ କୋଟି ଟଙ୍କା ପାଇବାରେ ସକ୍ଷମ ହୋଇଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ କେନ୍ଦ୍ର ସରକାର ଚଳିତବର୍ଷ ଡିସେମ୍ବର ୨ତାରିଖ ସୁଦ୍ଧା ମୋଟ୍‍ ୧୦୦ଟି ସ୍ମାର୍ଟ ସିଟିକୁ ୩୪,୩୯୯ କୋଟି ଟଙ୍କା ଯୋଗାଇ ଦେଇଥିବାବେଳେ ସେଥିରୁ ୩୦,୪୦୦ କୋଟି ଟଙ୍କା ଅର୍ଥାତ୍‍ ୮୮ ପ୍ରତିଶତ ଅର୍ଥ ବ୍ୟୟ ହୋଇଛି ।

ଦେଶର ବିଭିନ୍ନ ସ୍ମାର୍ଟସିଟିରେ ୧,୮୧,୧୧୨ କୋଟି ଟଙ୍କା ବ୍ୟୟରେ ୭୭୩୮ଟି ପ୍ରକଳ୍ପ ହାତକୁ ନିଆଯାଇଥିବାବେଳେ ଏଥିରୁ ୯୨,୯୩୯ କୋଟି ଟଙ୍କାର ୪୯୮୭ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହାଇଛି । ସ୍ମାର୍ଟ ସିଟି ମିଶନ ଅବଧିକୁ ଜୁନ୍‍ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାବେଳେ ଏହି ସମୟ ମଧ୍ୟରେ ସମସ୍ତ ପ୍ରକଳ୍ପ କାର୍ଯ୍ୟ ସରିବାର ଆଶା କରାଯାଉଛି । ଉଲ୍ଲେଖନୀୟ ଯେ କେନ୍ଦ୍ର ସରକାର ଗୋଟିଏ ସ୍ମାର୍ଟ ସିଟିକୁ ବର୍ଷକୁ ହାରାହାରି ୧୦୦ କୋଟି ଟଙ୍କା ଯୋଗାଇ ଦେଉଛନ୍ତି ଏବଂ ୧୦୦ଟି ସ୍ମାର୍ଟ ସିଟିକୁ ୫ ବର୍ଷରେ ୪୮,୦୦୦ କୋଟି ଟଙ୍କା ଯୋଗାଇଦେବେ । କେନ୍ଦ୍ର ସରକାର ଯେତିକି ଅର୍ଥ ପ୍ରଦାନ କରିବେ ରାଜ୍ୟ ସରକାର ମଧ୍ୟ ଏହି ମିଶନକୁ ଅନୁରୂପ ପରିମାଣ ଅର୍ଥ ଯୋଗାଇବାର ବ୍ୟବସ୍ଥା ରହିଛି । (ତଥ୍ୟ)