ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟସିଟିରେ ପ୍ରାୟ ୧୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏଥିରେ ୨୬ଟି ପ୍ରକଳ୍ପକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ତେବେ ଏଥିରୁ ଅନେକ ପ୍ରକଳ୍ପରୁ ରାଜଧାନୀବାସୀ ଯେଭଳି ସୁଫଳ ପାଇବାକଥା ତାହା ପାଇପାରୁ ନାହାନ୍ତି ।
୨୦୧୫-୧୬ ମସିହାରେ ସ୍ମାର୍ଟସିଟି ମିଶନ ଆରମ୍ଭ ହୋଇଥିବାବେଳେ ଏଥିରେ ଭୁବନେଶ୍ୱରକୁ ସାମିଲ କରାଯାଇଥିଲା । ଏହି ମିଶନରେ ରାଜଧାନୀ ନୂଆ ରୂପ ନେବବୋଲି ଦର୍ଶାଯିବା ସହିତ ସତ୍ୟନଗରରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ରାଜଧାନୀର ଚେହେରା ବଦଳିବ ବୋଲି ଚିତ୍ର ଦିଆଯାଇଥିଲା । ଏପରିକି ଦେଶର ବଡ ବଡ କମ୍ପାନୀମାନେ ଏଠାରେ ବହୁତଳ ବିଶିଷ୍ଟ ସୌଧ ର୍ନିମାଣ କରିବାର ନକ୍ସା ପ୍ରସ୍ତୁତ ହୋଇଥିଲା ।
ଇତି ମଧ୍ୟରେ ସ୍ମାର୍ଟ ମିଶନର କାର୍ଯ୍ୟକାଳ ସରିବା ସହିତ ଏହି ଯୋଜନାରେ ପୂର୍ଣ୍ଣଛେଦ ପଡିଛି । ତେବେ ଏଥିରେ କେନ୍ଦ୍ର ସରକାର ଭୁବନେଶ୍ୱର ସ୍ମାର୍ଟସିଟିକୁ ତାଙ୍କର ଅଂଶଧନ ବାବଦରେ ୪୯୦ କୋଟି ଟଙ୍କା ଯୋଗାଇ ଦେଇଥିବାବେଳେ ରାଜ୍ୟ ସରକାର ୫୦୦ କୋଟି ଟଙ୍କା ଦେଇଥିଲେ । ଏହି ଯୋଜନାରେ ରାଜଧାନୀରେ ୨୬ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ।
ଏହିସବୁ ପ୍ରକଳ୍ପ ମଧ୍ୟରେ ରହିଛି ମୋ ସାଇକେଲ ଯୋଜନା, ଟ୍ରାଫିକ ପରିଚାଳନା, ସ୍ମାର୍ଟ ପାର୍କ, ସ୍ମାର୍ଟ ଜନପଥ, ବହୁତଳ ପାର୍କିଂ ବ୍ୟବସ୍ଥା, ଡ୍ରିଙ୍କ୍ ଫ୍ରମ ଟ୍ୟାପ୍, ମୋ ସେବା କେନ୍ଦ୍ର, ଟ୍ରାଫିକ ପୋଷ୍ଟଗୁଡିକର ଚେହେରାରେ ପରିବର୍ତ୍ତନ ଆଦି । ତେବେ ଏଥିରୁ ଅଧିକାଂଶ ଏବେ ଅଚଳ କିମ୍ବା ସାଧାରଣ ଲୋକଙ୍କ କାମରେ ଯେଭଳି ଆସିବାକଥା ତାହା ଆସିପାରୁ ନାହିଁ ।
ସ୍ମାର୍ଟସିଟି ଯୋଜନାରେ ୨୦୧୮ ହକି ବିଶ୍ୱକପ୍ ସମୟରେ ଆରମ୍ଭ ହୋଇଥିବା ମୋ ସାଇକେଲ ଯୋଜନାର ଏକ ପ୍ରକାର ଅକାଳ ମୃତ୍ୟୁ ଘଟିଛି । ମାଳ ମାଳ ବିଦେଶୀ ସାଇକେଲ ଆଣି ସହରସାରା ରଖାଯାଇଥିଲେ ମଧ୍ୟ ଲୋକେ ଏହାକୁ ଚଳାଇନଥିଲେ । ଏଥିରୁ କେତେ ଚୋରିହୋଇ ଯାଇଥିବାବେଳେ ଆଉ କେତେକ ଭାଙ୍ଗିରୁଜି ଯାଇଥିଲା । କିଛି ସାଇକେଲ କବାଡିଆ ଦୋକାନୀକୁ ବିକ୍ରି କରିବା ନେଇ ଥାନା ପର୍ଯ୍ୟନ୍ତ ମାମଲା ଯାଇଥିଲା । ଏବେ ଆଉ ରାଜଧାନୀର ରାସ୍ତାକଡରେ ମୋ ସାଇକେଲ ଦେଖିବାକୁ ମିଳୁନାହିଁ ।
ସେହିଭଳି ସ୍ମାର୍ଟ ଜନପଥ ନିର୍ମାଣ ଯୋଗୁଁ ରାଜଧାନୀର ରାସ୍ତା ସଙ୍କୁଚିତ ହୋଇଗଲା । ଲୋକେ ଗାଡିମୋଟର ରଖିବାପାଇଁ ହଇରାଣ ହେଲେ । ବହୁତଳୀୟ ଗାଡି ପାର୍କିଂ ନିର୍ମାଣ ହୋଇଥିଲେ ମଧ୍ୟ ଦୋକାନ ବଜାର ଠାରୁ ଏହା ଦୂରରେ ଥିବା ଏବଂ ଦର ବାଧୁଥିବାରୁ ଲୋକେ ସେଠାରେ ଗାଡି ରଖୁ ନାହାନ୍ତି । ସେହିଭଳି ସ୍ମାର୍ଟ ଜନପଥ କଡରେ ଲକ୍ଷାଧିକ ଟଙ୍କା ବ୍ୟୟରେ ର୍ନିମାଣ ରଙ୍ଗିନ ବାଉଁଶ ବାଡ ରକ୍ଷଣା ବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି । ଏହା ସ୍ଥାନରେ ଲୁହାବାଡ ଲଗାଇବାକୁ ଯୋଜନା ଚାଲିଛି ।
ସହରରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ଶୌଚାଳୟ ଓ ମୋ ସେବା କେନ୍ଦ୍ର ଅଚଳ । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ସ୍ମାର୍ଟ କିଓସ୍କକୁ ବିଜ୍ଞାପନ ଖୁଣ୍ଟ କରିବାପାଇଁ ନଗର ଉନ୍ନୟନ ବିଭାଗ ସ୍ଥିର କରିଛି । ସ୍ମାର୍ଟସିଟି ମିଶନ ବନ୍ଦ ହେବାପରେ ପ୍ରକଳ୍ପର କିଭଳି ରକ୍ଷଣା ବେକ୍ଷଣ କରାଯିବ ତାହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
ସ୍ମାର୍ଟସିଟି ଅର୍ଥରେ ଅତ୍ୟାଧୁନିକ ଟ୍ରାଫିକ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାବେଳେ ଅଧିକାଂଶ ସ୍ଥାନରେ ତାହା ବାରମ୍ବାର ଖରାପ ହେବାରେ ଲାଗିଛି । ଫଳରେ ରାଜଧାନୀବାସୀ ସିଗ୍ନାଲ ଟ୍ରାଫିକ ସହିତ ଅଭ୍ୟସ୍ତ ହୋଇପାରୁ ନାହାନ୍ତି । ସ୍ମାର୍ଟସିଟି ଅର୍ଥରେ ସହରର ବିଭିନ୍ନ ସ୍ଥାନରେ ସୁଉଚ୍ଚ ଇଲେକଟ୍ରୋନିକ ବୋର୍ଡ ସ୍ଥାପନ କରାଯାଇଥିବାବେଳେ ଏଥିରେ କ’ଣ ପ୍ରଦର୍ଶିତ ହେଉଛି ଓ ଏହାକୁ କିଏ ଦେଖୁଛି ତାହାର ହିସାବ ନିକାସ ନାହିଁ । ଅତି ଉଚ୍ଚ ବୋର୍ଡରେ ଛୋଟ ଛୋଟ ଅକ୍ଷରର ଲେଖାକୁ ଖାଲି ଆଖିରେ ଦେଖିବା କଷ୍ଟକର । ମୋଟାମୋଟି ଭାବେ ରାଜଧାନୀରେ ସ୍ମାର୍ଟସିଟି ଏକ ପ୍ରକାର ଅଧାପନ୍ତରିଆ ଅବସ୍ଥାରେ ରହିଥିବାବେଳେ ଏହା ଏବେ ସରକାରଙ୍କ ପାଇଁ ବୋଝ ହେବାରେ ଲାଗିଛି । (ତଥ୍ୟ)

