Home Energy ସ୍ମାର୍ଟ ମିଟର ହଟାଅ

ସ୍ମାର୍ଟ ମିଟର ହଟାଅ

ଭୁବନେଶ୍ୱର : ଟାଟା ପାୱାର ବିଦ୍ୟୁତ୍ ପରିଚାଳନା ଦାୟିତ୍ୱ ହାତକୁ ନେବା ପୂର୍ବରୁ ବିଜୁଳି କମ୍ପାନୀମାନେ ଯେଉଁ ମିଟର ସବୁ ଲଗାଇଥିଲେ ତାକୁ ହଟାଇ ନୂଆ ସ୍ମାର୍ଟ ମିଟର ବସଉଛି ।

ଟାଟା ପାୱାରର ଏହି ସ୍ମାର୍ଟ ମିଟର ଯୋଗୁଁ ଯେଉଁମାନଙ୍କର ମାସକୁ ବିଜୁଳି ବିଲ୍ ୫୦୦ ରୁ ୭୦୦ ଟଙ୍କା ଆସୁଥିଲା ତାହା ୧୦୦ରୁ ୧୨୦୦ ଟଙ୍କାରେ ପହଞ୍ôଚଛି । ରାଜ୍ୟର ଚାଷୀ ଓ ଶିଳ୍ପୋଦ୍ୟୋଗୀ ମଧ୍ୟ ସେଥିରୁ ବାଦ୍ ଯାଇନାହାଁନ୍ତି । ବରଗଡ଼ ଜିଲ୍ଲାର ଭଟ୍‌ଲିଠାରେ ସ୍ମାର୍ଟ ମିଟର ବିରୁଦ୍ଧରେ ଆଜି ଚାଷୀମାନଙ୍କର ବିକ୍ଷୋଭ ପ୍ରତିବାଦ ଦେଖିବାକୁ ମିଳିଛି । ଏହା କେବଳ ଭଟ୍‌ଲି ବ୍ଲକର ଅବସ୍ଥା ନୁହେଁ, ରାଜ୍ୟର ସବୁ ଅଞ୍ଚଳର ଚାଷୀମାନଙ୍କର ଦୂରାବସ୍ଥା ।

କିଛିଦିନ ତଳେ ରାଜ୍ୟର ଚିଙ୍ଗୁଡ଼ି ଚାଷୀମାନେ ମଧ୍ୟ ଅଧିକ ବିଜୁଳି ବିଲ୍‌କୁ ନେଇ ପ୍ରତିବାଦ କରିଥିଲେ । ଅପେକ୍ଷାକୃତ ଭାବରେ ଯେଉଁ ଶିଳ୍ପପତିମାନଙ୍କୁ ଅନ୍ୟ ରାଜ୍ୟ ଅପେକ୍ଷା ବେଶ୍ ଅଧିକ ବିଜୁଳି ବିଲ୍ ଦେବାକୁ ପଡ଼ୁଛି ।

ଦେଶରେ ବିଜୁଳି ସଂସ୍କାର କ୍ଷେତ୍ରରେ ପାଦ ଦେବାରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ । ବିଶ୍ୱବ୍ୟାଙ୍କ ଋଣରେ ୧୯୯୫ ମସିହାରେ ରାଜ୍ୟରେ ବିଦ୍ୟୁତ୍ ସଂସ୍କାର ବା ବିଜୁଳିର ଘରୋଇକରଣ ଆରମ୍ଭ ହୋଇଥିଲା । ସେତେବେଳେ ରାଜ୍ୟର ୩୦୦ କୋଟି ଟଙ୍କା କ୍ଷତିରେ ଥିବା ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡକୁ ଭାଙ୍ଗି ଦିଆଯାଇ ଉତ୍ପାଦନ, ଆବଣ୍ଟନ ଓ ବିଦ୍ୟୁତ୍ ପରିବହନ ପାଇଁ ନୂଆ କମ୍ପାନୀ ଗଠନ କରାଯାଇଥିଲା । ଲକ୍ଷ୍ୟ ଥିଲା ସେତେବେଳେ ୫୬ ପ୍ରତିଶତ ପରିବହନ ଜନିତ (ଟ୍ରାନ୍ସମିସନ୍ ଲସ୍‌) କ୍ଷତିର ସମ୍ମୁଖୀନ ହେଉଥିବା ବିଦ୍ୟୁତ୍ ବୋର୍ଡର କ୍ଷତିକୁ ୧୫ ପ୍ରତିଶତକୁ ହ୍ରାସ କରିବା ଏବଂ ରାଜ୍ୟବାସୀଙ୍କୁ ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ଯୋଗାଇଦେବା ।

କିନ୍ତୁ ବିଡ଼ମ୍ବନା ବିଷୟ ୧୯୯୫ ରୁ ୨୦୦୨୪ ଦୀର୍ଘ ୨୯ ବର୍ଷ ତଳର ବିଜୁଳି ସଂସ୍କାର ଆଜି ମଧ୍ୟ ବିଫଳ । ଲାଇନ୍ କଟିଗଲେ, ଟ୍ରାନ୍ସଫରମ ପୋଡିଗଲେ, ବର୍ଷା ପବନରେ ତାର ଛିଡ଼ିଗଲେ ବିଜୁଳି ସେବା ଦିନ ଦିନ ଧରି ବ୍ୟାହତ ହେବାରେ ଲାଗିଛି । ବିଜୁଳି କର୍ମଚାରୀମାନଙ୍କୁ ଫୋନ୍ କଲେ ଫୋନ୍ କେହି ଉଠାନ୍ତି ନାହିଁ । ପାୱାରକଟ୍ ଖୋଦ୍ ରାଜଧାନୀରେ ଏକ ନୀତିଦିନିଆ ଘଟଣା ହୋଇଯାଇଛି । ଗ୍ରାମାଞ୍ଚଳରେ ବିଜୁଳି ସେବା କଥା ନକହିବା ଭଲ ।
ତେଣୁ ନୂଆ ସରକରଙ୍କ ପାଖରେ ଆମେ ଦାବି କରୁଛୁ, ତୁରନ୍ତ ବିଜୁଳି କମ୍ପାନୀ, ଶକ୍ତି ବିଭାଗ, ଓ.ଇ.ଆର.ସି.କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଉ । ପ୍ରତି ଜିଲ୍ଲାରେ ଜିଲ୍ଲାପାଳମାନେ ବିଦ୍ୟୁତ୍ ବିଭାଗର ଇଂଜିନିୟର ଓ ଜେ.ଇ. ମାନଙ୍କୁ ନେଇ ଏକ ବୈଠକ କରି ପାୱାରକଟ୍ ଉପରେ ଏବଂ ଟ୍ରାନ୍ସଫରମର ପୋଡ଼ିଗଲେ ତୁରନ୍ତ ପଦକ୍ଷେପ ନେବାପାଇଁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ପକ୍ଷରୁ ଆବାହକ ରବି ବେହେରା ଦାବି କରିଛନ୍ତି ।

ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ତୁରନ୍ତ ଏ ଦିଗରେ ହସ୍ତକ୍ଷେପ କରି ସ୍ମାର୍ଟ ମିଟର ବସାଇବା ବନ୍ଦ କରିବା, ଚାଷୀମାନଙ୍କୁ ମାଗଣାରେ ବିଜୁଳି ଶକ୍ତି ଯୋଗାଇଦେବା ଏବଂ ପ୍ରତିଶ୍ରୁତି ଅନୁଯାୟୀ ୩୦୦ ୟୁନିଟ୍ ମାଗଣା ବିଜୁଳି ଶକ୍ତି ଘରୋଇ ଉପଭୋକ୍ତାଙ୍କୁ ଦେବାପାଇଁ ଶ୍ରୀ ବେହେରା ଦାବି କରିଛନ୍ତି । ବିଜୁଳି ସମସ୍ୟାର ସମାଧାନ ପାଇଁ ପ୍ରତି ଜିଲ୍ଲାସ୍ତରରେ ଏବଂ ରାଜ୍ୟ ସ୍ତରରେ ଜଣେ ନୋଡାଲ୍ ଅଫିସର ନିଯୁକ୍ତି ଦେବା ସହିତ ଏକ ମାଗଣା ଫୋନ୍ ନମ୍ବର ଗ୍ରାହକ ସେବା ପାଇଁ ଯୋଗାଇ ଦେବାକୁ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ପକ୍ଷରୁ ଶକ୍ତି ମନ୍ତ୍ରୀ ତଥା ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ଅନୁରୋଧ କରାଯାଉଛି ।