ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସସିଏଲ୍) ରାଜଧାନୀରେ ନିର୍ମାଣ କରିଥିବା ସ୍ମାର୍ଟ ଜନପଥ ଏବେ କର୍ତ୍ତୃପକ୍ଷଙ୍କ ପାଇଁ ବୋଝ ହେବାକୁ ଯାଉଛି । ଆସନ୍ତା ବର୍ଷ ପ୍ରାରମ୍ଭରୁ ଏହାର ରକ୍ଷଣା ବେକ୍ଷଣ କିଭଳି ହେବ ସେହି ଚିନ୍ତା ଏବେ ଘାରିଲାଣି ।
ସ୍ମାର୍ଟସିଟି କର୍ତ୍ତୃପକ୍ଷ ରାଜଧାନୀରେ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରିଛନ୍ତି ସ୍ମାର୍ଟ ଜନପଥ । ବାଣୀବିହାର ଠାରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇପଟରେ ଟାଇଲ୍ ବିଛାଯିବା ସହିତ ଉଜ୍ୱଳ ଆଲୋକମାଳା, ବସିବାପାଇଁ ସିମେଣ୍ଟ ଚେୟାର, ସୌନ୍ଦର୍ଯ୍ୟକରଣ ଆଦି ହୋଇଛି । ଏହାର ରକ୍ଷଣା ବେକ୍ଷଣ ବାବଦରେ ବର୍ଷକୁ ୪କୋଟି ଟଙ୍କା ବ୍ୟୟ ହେଉଛି ।
ତେବେ ରାଜ୍ୟରେ ସ୍ମାର୍ଟସିଟିର ଅବଧି ସରିବାପରେ ଆସନ୍ତାବର୍ଷ ଜାନୁୟାରୀରୁ ଏହାର ରକ୍ଷଣାବେକ୍ଷଣ ଆଉ ସ୍ମାର୍ଟସିଟି କର୍ତ୍ତୃପକ୍ଷ କରିବେ ନାହିଁ । ତେଣୁ ଏସବୁର ରକ୍ଷଣାବେକ୍ଷଣ କିଭଳି ହେବ ସେହି ଚିନ୍ତା ଏବେ କର୍ତ୍ତୃପକ୍ଷଙ୍କୁ ଘାରିଛି । ବିଶେଷକରି ସିଭିଲ, ଇଲେକ୍ଟ୍ରିକାଲ୍ସ, ଉଦ୍ୟାନ ଆଦିର ରକ୍ଷଣାବେକ୍ଷଣ କରିବାକୁ ପଡିବ । ଏଥି ସହିତ ସ୍ମାର୍ଟ ଜନପଥରେ ଭିଭିଆଇପି ଗତିବିଧି ସମୟରେ ମଧ୍ୟ କର୍ତ୍ତୃପକ୍ଷଙ୍କୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡିଥାଏ । ସେହିଭଳି ସ୍ମାର୍ଟ ଜନପଥରେ ଜବରଦଖଲ ଉପରେ ନଜର ରଖିବାପାଇଁ ସ୍ମାର୍ଟସିଟି କର୍ତ୍ତୃପକ୍ଷ ଏନଫୋସ୍ମେଣ୍ଟ ସ୍କ୍ୱାଡ୍ ମୁତୟନ କରିଥିଲେ ।
ତେବେ ସ୍ମାର୍ଟ ଜନପଥରର ପରିଚାଳନା ପାଇଁ ଆବଶ୍ୟକ ହେଉଥିବା ଅର୍ଥ ମଧ୍ୟରୁ କିଛି ବିଏମସି ତାହାର ଟିକସ ଅର୍ଥରୁ ପ୍ରଦାନ ପାଇଁ ଏଜି ତାଙ୍କ ଅଡିଟ୍ରେ ଉଳ୍ଲେଖ କରିଛନ୍ତି । ବିଶେଷକରି ବିଏମ୍ସି କର୍ତ୍ତୃପକ୍ଷ ପାର୍କିଂ, ସ୍ମାର୍ଟ କିଓସ୍କ ଆଦିରୁ ଯେଉଁ ଭଡା ପାଉଛନ୍ତି ସେଥି ଅର୍ଥରୁ ଦେବାପାଇଁ କୁହାଯାଇଛି । ଉଲ୍ଲେଖନୀୟ ଯେ ସ୍ମାର୍ଟଜନପଥରେ ଥିବା ୩୦୦ ସ୍ମାର୍ଟ କିଓସ୍କରୁ ଭଡା ଆଦାୟ ହେଉଛି ।
ସ୍ମାର୍ଟ ଜନପଥରେ ହେଉଥିବା ବିଜ୍ଞାପନର ସତ୍ୱାଧିକାର ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ ହାତରେ ଥିବାବେଳେ ବିଏମ୍ସି କର୍ତ୍ତୃପକ୍ଷ ଲାଇସେନ୍ସ ଫି ଆଦାୟ କରିଥାନ୍ତି । ଏଥି ସହିତ ଆଇନ୍ ଅନୁଯାୟୀ ବିଏମ୍ସି ବିଜ୍ଞାପନରୁ ମ୍ୟୁନିସିପାଲ ଟିକସ ଆଦାୟ କରୁଛନ୍ତି । ଏହି ନୀତିକୁ ଏବେ ଦେଶର ଅନ୍ୟ କେତେକ ସ୍ମାର୍ଟସିଟି ଆପଣେଇଛନ୍ତି ।
ତେବେ ସ୍ମାର୍ଟସିଟି ଅବଧି ସରିବାପରେ ସ୍ମାର୍ଟଜନଥର ରକ୍ଷଣା ବେକ୍ଷଣ ନେଇ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢୁଥିବାବେଳେ ଏହି ଜନପଥରେ ଲାଗିଥିବା ବାଉଁଶବାଡ ଏବେ ଠାରୁ ଭାଙ୍ଗିଗଲାଣି । କେଉଁଠାରେ ଲୋକେ ବତା ଟାଣି ନେଲେଣି ତ ଆଉ କେଉଁଠାରେ ଏହା ବିପଦଜନକ ଭାବେ ଝୁଲି ରହିଛି । ତେବେ ବର୍ଷକୁ ୪କୋଟି ଟଙ୍କା ରକ୍ଷଣା ବେକ୍ଷଣ ବାବଦରେ ସ୍ମାର୍ଟସିଟି କର୍ତ୍ତୃପକ୍ଷ ଖର୍ଚ୍ଚ କରୁଥିବାବେଳେ ଏହି ବାଉଁଶବାଡକୁ କାହିଁକି ମରାମତି କରୁନାହାନ୍ତି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସେହିଭଳି ସ୍ମାର୍ଟ ଜନପଥରେ ଗାଡି ମୋଟର ଯେଭଳି ନରହିବ ସେଥିପାଇଁ ସ୍ମାର୍ଟସିଟି କର୍ତ୍ତୃପକ୍ଷ ବ୍ୟାପକ ଅର୍ଥ ବ୍ୟୟରେ ରାଜଧାନୀରେ ଦୁଇଟି ବହୁତଳ କାର ପାର୍କିଂ ନିର୍ମାଣ କରିଥିଲେ ମଧ୍ୟ ସେଥିରୁ ସେଭଳି ସଫଳତା ମିଳୁନାହିଁ । ଲୋକେ ଏହି ପାର୍କିଂସ୍ଥଳୀରେ ଗାଡିମୋଟର ରଖିବା ବଦଳରେ ରାସ୍ତାଘାଟରେ ରଖୁଛନ୍ତି । ଇତି ମଧ୍ୟରେ ଏହି ଦୁଇ ବହୁତଳ ପାର୍କିଂର ରକ୍ଷଣା ବେକ୍ଷଣ ପାଇଁ ଶହୀଦନଗର ସୌଧର ଗୋଟିଏ ମହଲା ଭଡା ଦେବାକୁ ପ୍ରସ୍ତାବ ଥିବାବେଳେ ଏଠାରେ ବିଜ୍ଞାପନ ମାରିବାପାଇଁ ବି ପ୍ରସ୍ତାବ ରହିଛି । (ତଥ୍ୟ)