ଭୁବନେଶ୍ୱର : ରାଜଧାନୀର ସ୍ମାର୍ଟ ଜନପଥକୁ ଏବେ ଦୋକାନୀଙ୍କ ଆଲୁଅ ଭରସା । ଦୋକାନୀ ଆଲୁଅ ଲଗାଇଲେ ଜନପଥର ରାସ୍ତା ଆଲୋକିତ ହେଉଛି । ନହେଲେ ସଞ୍ଜ ପହରୁ କିଟିକିଟି ଅନ୍ଧାର ।
ସ୍ମାର୍ଟ ଜନପଥର ଏଭଳି ଅବସ୍ଥା ଦେଖିବାକୁ ମିଳିଛି ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ମଧ୍ୟରେ । ଏହି ରାସ୍ତାର ଗୋଟିଏ ପଟେ ତିଆରି ହୋଇଛି ପାର୍କିଂ ସ୍ଥାନ, ଲନ୍ ସହିତ ବିଭିନ୍ନ ପ୍ରକାର ବୃକ୍ଷରୋପଣ ହୋଇଛି । ଆକର୍ଷଣୀୟ ଖୁଣ୍ଟରେ ଦାମୀ ଲାଇଟ୍ ବି ଲାଗିଛି । ହେଲେ ଏହା ଜଳୁନାହିଁ । ସେହିଭଳି ଦୁଇ ରାସ୍ତାର ମଝିରେ ବି ଆଲୋକ ବ୍ୟବସ୍ଥା ହୋଇଛି । ହେଲେ ତାହା ବି ଅନୁରୂପ ଦଶା ।
ଫଳରେ ଗୋଟିଏ ପଟେ ଭେଣ୍ଡିଂ ଜୋନ୍ ଓ ଅନ୍ୟ ପଟେ ବିଭିନ୍ନ ସୋରୁମ୍ର ଆଲୋକରେ ଜନପଥ ଆଲୋକିତ ହେଉଛି । ଦୀର୍ଘଦିନ ଧରି ଏହି ସ୍ମାର୍ଟ ଜନପଥର ଏହି ଲାଇଟ୍ଗୁଡିକ ଜଳୁନଥିବାବେଳେ ସେଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି ।
ତେବେ ସବୁଠାରୁ ମଜାକଥା ହେଲା ନିକଟରେ କିନ୍ନରଙ୍କ ହାତକୁ ଏହି ଅଞ୍ଚଳର ପାର୍କିଂ ଫି ଆଦାୟ ଦିଆଯାଇଥିବାବେଳେ ସେମାନେ ଫି ଆଦାୟ ପାଇଁ ଗାଡିର ହେଡଲାଇଟ୍ ଉପରେ ଭରସା କରୁଛନ୍ତି । ଯେଉଁଠାରେ ଅନ୍ଧାରୁଆ ସ୍ଥାନ ରହୁଛି ସେଠାରେ ଗାଡି ନମ୍ବର ଦେଖିଲା ପରେ ରସିଦ କାଟିବାପାଇଁ ଗାଡି ଆଲୁଅ ନିକଟକୁ ଦଉଡୁଛନ୍ତି । ଯଦି ଗାଡି ଚାଳକ ଲାଇଟ୍ ବନ୍ଦକରି ଦେଉଛନ୍ତି ତେବେ ଦୋକାନ ପାଖକୁ ଯାଇ ରସିଦ କାଟୁଛନ୍ତି ।
କେବଳ ସ୍ମାର୍ଟ ଜନପଥ ନୁହେଁ ଦୁଇ ନମ୍ବର ପଟରୁ ଜନପଥକୁ ସଂଯୋଗ କରୁଥିବା ସମସ୍ତ ଗଳି ବି ଅନ୍ଧାର । ଏଠାରେ ଆଲୋକ ବ୍ୟବସ୍ଥା ନଥିବାରୁ ନିଶାଡିମାନେ ଏଠାରେ ସଞ୍ଜ ପହରୁ ଆଡ୍ଡା ଜମାଉଛନ୍ତି ।
ତେବେ ସ୍ମାର୍ଟ ଜନପଥରୁ ପାର୍କିଂ ଫି ଆଦାୟ ପାଇଁ କର୍ତ୍ତୃପକ୍ଷ ଯେତିକି ତତ୍ପରତା ଦେଖାଉଛନ୍ତି ଆଲୋକ ବ୍ୟବସ୍ଥାକୁ ସଜାଡିବାପାଇଁ ସେଥିରୁ କାଣିଚାଏ ଦେଖାଇଲେ ସ୍ମାର୍ଟଜନପଥରେ ଲୋକଙ୍କୁ ଦୋକାନ ଆଲୁଅ ଉପରେ ନିର୍ଭର କରିବାକୁ ପଡନ୍ତା ନାହିଁ ବୋଲି ମତପ୍ରକାଶ ପାଉଛି ।