Home Education ସ୍ମାର୍ଟ ଓଡ଼ିଶା ହାକାଥନ୍‌ ଆରମ୍ଭ

ସ୍ମାର୍ଟ ଓଡ଼ିଶା ହାକାଥନ୍‌ ଆରମ୍ଭ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ବୈଷୟିକ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଷ୍ଟାରସ୍‌ କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ମାର୍ଟ ଓଡ଼ିଶା ହାକାଥନ୍‌ ଓଡ଼ିଆ ପ୍ରିନ୍ୟୁର ୨.୦ ପ୍ରତିଯୋଗିତା ସମସ୍ତ ୩୦ ଗୋଟି ଜିଲ୍ଲାରେ ଆୟୋଜନ କରାଯାଉଛି । ଏହା ଆଗାମୀ ୭ ଦିନ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବ ।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନରେ ଥିବା ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନେ ୧୦ଟି ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଛନ୍ତି । ଏହା ସହ ନୂତନ ବୈଷୟିକ ଜ୍ଞାନ ଆଧାରିତ ମତାମତ ମଧ୍ୟ ଗ୍ରହଣ କରାଯାଇଛି ।

ପ୍ରାଥମିକ ଭାବେ ୨୬୭୧ ମତାମତ ମଧ୍ୟରୁ ୮୩୮ଟି ଉତ୍କୃଷ୍ଟ ବିଚାରଧାରାକୁ ଚୟନ କରାଯାଇଛି । ଚୟନ ହୋଇଥିବା ବିଚାରଧାରାକୁ ନେଇ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ କରିବେ । ପ୍ରକଳ୍ପ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ତେବେ ପ୍ରତି ଜିଲ୍ଲାରୁ ସର୍ବଶ୍ରେଷ୍ଠ ୩ ଗୋଟି ବିଚାରଧାରାକୁ ପୁରସ୍କୃତ କରାଯିବ ଓ ରାଜ୍ୟସ୍ତରୀୟ ହାକାଥନ୍‌ ପ୍ରତିଯୋଗିତା ନିମନ୍ତେ ବଛାଯିବ ।

ଏହି ରାଜ୍ୟସ୍ତରୀୟ ହାକାଥନ୍‌ ଭୁବନେଶ୍ୱରଠାରେ ଥିବା ଓୟୁଟିଆର୍‌ରେ ଆୟୋଜିତ କରାଯିବ । ରାଜ୍ୟସ୍ତରରେ ୩ ଗୋଟି ସର୍ବଶ୍ରେଷ୍ଠ ଦଳକୁ ସମ୍ବର୍ଦ୍ଧିତ କରାଯିବ । ଭବିଷ୍ୟତରେ ସମାଜ କଲ୍ୟାଣକାରୀ ବୈଜ୍ଞାନିକ ଚିନ୍ତାଧାରାକୁ ଅନୁସରଣ କରି ଏକ ସଫଳ ଉଦ୍ୟୋଗୀ ହେବା ପାଇଁ ଏହି ହାକାଥନ୍‌ ପ୍ରେରଣା ଯୋଗାଇବା ସହ ଛାତ୍ରଛାତ୍ରୀମାନେ ନିଜ ସ୍ୱପ୍ନ ପୂରଣ କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପାଇପାରିବେ ।

କୃଷି, ଖାଦ୍ୟ, ବୈଷୟିକ ଜ୍ଞାନକୌଶଳ ଏବଂ ଗ୍ରାମୀଣ ବିକାଶ, ସ୍ୱାସ୍ଥ୍ୟସେବା, ନବୀକରଣଯୋଗ୍ୟ/ସ୍ଥାୟୀ ଶକ୍ତି, ଉପଲବ୍ଧତା, ଇ-ବାଣିଜ୍ୟ ଏବଂ ସାଇବର ସୁରକ୍ଷା, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ମାର୍ଟ ଶିକ୍ଷା, ବିପର୍ଯ୍ୟୟ ପରିଚାଳନା, ଖେଳନା ଏବଂ ଖେଳ, ବର୍ଜ୍ୟବସ୍ତୁ ପରିଚାଳନା, ବିବିଧତା ଆଦି ବିଷୟବସ୍ତୁକୁ ନେଇ ହାକାଥନ୍‌ ପ୍ରତିଯୋଗିତା ଆୟୋଜିତ କରାଯାଉଛି ।

ଏହି ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ୍‌ ଆର୍‌. ଆୟାର ବିଭିନ୍ନ ବିଚାରଧାରାକୁ ନେଇ ପ୍ରସ୍ତୁତ ପ୍ରକଳ୍ପଗୁଡ଼ିକୁ ପ୍ରଶଂସା କରିବା ସହିତ ସମସ୍ତ ଛାତ୍ରଛାତ୍ରୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଓୟୁଟିଆର୍‌ କୁଳପତି ଶ୍ରୀ ବିଭୂତି ଭୂଷଣ ବିଶ୍ୱାଳ ସମସ୍ତ ପ୍ରତିଯୋଗୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଏଥି ସହିତ ଓୟୁଟିଆର୍‌ ନୋଡାଲ ଅଧିକାରୀ ପ୍ରଫେସର ରଞ୍ଜନ କୁମାର ପ୍ରଧାନ ଏବଂ ପ୍ରଫେସର ସୁଧାଂଶୁ ଶେଖର ସାହୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମର ତତ୍ତ୍ୱାବଧାନ କରୁଛନ୍ତି ।