Home News in Odia ସ୍ମାର୍ଟସିଟି ୱାଇଫାଇ ପ୍ରତି ଲୋକେ ବିମୁଖ

ସ୍ମାର୍ଟସିଟି ୱାଇଫାଇ ପ୍ରତି ଲୋକେ ବିମୁଖ

ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ରାଜଧାନୀରେ ସ୍ଥାପନ କରିଥିବା ୱାଇଫାଇ ଇଣ୍ଟରନେଟ୍‍ ବ୍ୟବସ୍ଥା ପ୍ରତି ଲୋକେ ବିମୁଖ । ୧୦ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ସ୍ମାର୍ଟସିଟି ୱାଇଫାଇ ବ୍ୟବହାରକାରୀଙ୍କ ସଂଖ୍ୟା ୨ହଜାରରୁ ସାମାନ୍ୟ ଅଧିକ ।

ରାଜଧାନୀବାସୀଙ୍କୁ ଶସ୍ତାରେ ଓ ସୁବିଧାରେ ୱାଇଫାଇ ଇଣ୍ଟରନେଟ୍‍ ସେବା ପ୍ରଦାନ ପାଇଁ ଭୁବନେଶ୍ୱର ସ୍ମାର୍ଟସିଟି କର୍ତ୍ତୃପକ୍ଷ ୫୧୮ଟି ସ୍ଥାନରେ ୧୬୦୦ ୱାଇଫାଇ ପଏଣ୍ଟ ସ୍ଥାପନ କରିଛନ୍ତି । ଏହାର ଆଖପାଖରେ ଥିବା ଲୋକେ ଏଥିରୁ ସହଜରେ ସେବା ପାଇପାରିବେ । ଏହି ୱାଇଫାଇର ବେଗ ଦ୍ରୁତତମ ବୋଲି ସ୍ମାର୍ଟସିଟି କର୍ତ୍ତୃପକ୍ଷ କହୁଛନ୍ତି । ହେଲେ ସମସ୍ତଙ୍କ ହାତରେ ଥିବା ମୋବାଇଲରେ ଇଣ୍ଟରନେଟ୍‍ ସୁବିଧା ଥିବାରୁ ଲୋକେ ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି ।

ସେହସଭଳି ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କ ୱାଇଫାଇ ସେବା ସଂକ୍ରାନ୍ତରେ ଅଧିକାଂଶ ସହରବାସୀ ଅଜ୍ଞ । ପ୍ରଚାର ପ୍ରସାର ନଥିବାରୁ ଏହା ପଛରେ ପଡିଛି । ରାଜଧାନୀରେ ୱାଇଫାଇ ସେବା ଯୋଗାଣ କରୁଥିବା ଅନ୍ୟ ଟେଲିକମ୍‍ କମ୍ପାନୀଗୁଡିକ ଯେଭଳି ଆକର୍ଷଣୀୟ ବିଜ୍ଞାପନ ଜରିଆରେ ଗ୍ରାହକଙ୍କୁ ଆକୃଷ୍ଟ କରୁଛନ୍ତି ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କର ସେଭଳି ଉଦ୍ୟମ ଲକ୍ଷ୍ୟ କରାଯାଉ ନାହିଁ ।

ଏହାଛଡା ପ୍ରତ୍ୟେକ ଟେଲିକମ୍‍ କମ୍ପାନୀ ବର୍ତ୍ତମାନ ମୋବାଇଲ୍‍ ରିଚାର୍ଜ ସହିତ ଇଣ୍ଟରନେଟ୍‍ ଡାଟା ସ୍ୱଳ୍ପ ଦରରେ ଯୋଗାଇ ଦେଉଛନ୍ତି । ଅଧିକାଂଶ ଲୋକଙ୍କର ମିଳୁଥିବା ଏହି ଡାଟା ସରୁନାହିଁ । ତେଣୁ ସେମାନେ ଆଉ ସ୍ମାର୍ଟସିଟି ୱାଇଫାଇ ଡାଟା ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ଏହାଛଡା ସ୍ମାର୍ଟସିଟିର ଡାଟା ବ୍ୟବହାର ପାଇଁ ନିଜର ମୋବାଇଲ୍‍ ନମ୍ବରକୁ ପଞ୍ଜିକରଣ ପାଇଁ ବି ଅନେକ ଅନାଗ୍ରହୀ । ଅବସ୍ଥା ଏଭଳି ହୋଇଛି ଯେ ସ୍ମାର୍ଟସିଟି କର୍ତ୍ତୃପକ୍ଷ ବ୍ୟବହାରକାରୀଙ୍କ ପାଇଁ ପ୍ରଥମେ ବିନାମୂଲ୍ୟରେ ଯୋଗାଉଥିବା ୫୦ଏମ୍‍ବି ଡାଟା ପାଇଁ ମଧ୍ୟ ରାଜି ହେଉନାହାନ୍ତି ।

ଏଥିଯୋଗୁଁ ସ୍ମାର୍ଟସିଟିର ୱାଇଫାଇପ୍ରକଳ୍ପ ଅର୍ଥ ଏବେ ପାଣିରେ ପଡିବା ଭଳି ହୋଇଛି । ଏହି ପ୍ରକଳ୍ପ ପାଇଁ ୨୧ କୋଟି ଟଙ୍କାର ପୁଞ୍ଜି ବ୍ୟୟ ହୋଇଥିବାବେଳେ ପ୍ରତି ତିନିମାସରେ ଏହାର ରକ୍ଷଣା ବେକ୍ଷଣ ପାଇଁ ୧୫ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ବର୍ତ୍ତମାନ ଏହାର ଗ୍ରାହକସଂଖ୍ୟା ବଢାଇବାକୁ କର୍ତ୍ତୃପକ୍ଷ ବିଭନ୍ନ ଶିକ୍ଷାନୁଷ୍ଠାନ, ପାର୍କ ସମେତ ଜନତା ମଇଦାନ ଓ ପ୍ରଦର୍ଶନୀ ପଡିଆ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ୱାଇଫାଇ ସେବା ଯୋଗାଣ ପାଇଁ ଯୋଜନା କରୁଛନ୍ତି । ତେବେ ଏହିସବୁ ସ୍ଥାନରେ ଲୋକେ ସ୍ମାର୍ଟସିଟି ୱାଇଫାଇ ଖରିଦ କରିବାକୁ କେତେ ଆଗ୍ରହୀ ହେବେ ତାହା ଆଗାମୀ ଦିନରେ ଜଣାପଡିବ । (ତଥ୍ୟ)