Home Education ସ୍ପଷ୍ଟ ହେଉନି ନୂଆ କୁଳପତି ନିଯୁକ୍ତି

ସ୍ପଷ୍ଟ ହେଉନି ନୂଆ କୁଳପତି ନିଯୁକ୍ତି

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୂଳପତିଙ୍କ କାର୍ଯ୍ୟକାଳ ଖୁବ୍‍ଶୀଘ୍ର ସରିବାକୁ ଯାଉଛି । ତେବେ ଏହି ବିଶ୍ୱବିଦ୍ୟାଳୟଗୁଡିକରେ ନୂଆ କୂଳପତି କେଉଁ ଆଇନ୍‍ ଆଧାରରେ ଚୟନ କରାଯିବ ସେଥିଘେନି ଏଯାବତ୍‍ କୌଣସି ସ୍ପଷ୍ଟ ଚିତ୍ର ମଳିପାରୁନାହିଁ । ଚଳିତବର୍ଷ ଓଡିଶା ସରକାରଙ୍କ ନିୟନ୍ତ୍ରଣରେ ଥିବା ଅନ୍ୟୁନ ୫ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ସରୁଛି ।

୨୦୨୦ ମସିହାରେ ରାଜ୍ୟ ସରକାର ଓଡିଶାର ବିଶ୍ୱବିଦ୍ୟାଳୟଗୁଡିକ ପାଇଁ ଯେଉଁ ନୂଆ ଆଇନ୍‍ ଆଣିଛନ୍ତି ତାହା ଏବେ ସୁପ୍ରିମ୍‍କୋର୍ଟରେ ବିଚାରାଧିନ ରହିଛି । ଏହି ଆଇନ୍‍ରେ ସରକାରଙ୍କ ନିୟନ୍ତ୍ରଣରେ ଥିବା ବିଶ୍ୱବିଦ୍ୟାଳୟଗୁଡିକର କୁଳପତିଙ୍କ ଠାରୁ ଆରମ୍ଭକରି ପ୍ରଫେସର, ସହଯୋଗୀ ପ୍ରଫେସର, ସହକାରୀ ପ୍ରଫେସର ଏବଂ ଅନ୍ୟ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ସଂକ୍ରାନ୍ତରେ ନୂଆ ବ୍ୟବସ୍ଥା ହୋଇଛି । କେବଳ ସେତିକି ନୁହେଁ, ବିଶ୍ୱବିଦ୍ୟାଳୟର କୁଳସଚିବ, ପରୀକ୍ଷା ନିୟନ୍ତ୍ରକ ଓ ଅନ୍ୟାନ୍ୟ ପ୍ରଶାସନିକ ପଦବୀ ପାଇଁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି ।

ଏହି ନୂଆ ଆଇନ୍‍ ଅନୁଯାୟୀ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଥିବା ବିଶ୍ୱବିଦ୍ୟାଳୟଗୁଡିକର ଶିକ୍ଷକ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ ଦାୟିତ୍ୱ ଓଡିଶା ଲୋକସେବା ଆୟୋଗଙ୍କୁ ଦିଆଯାଇଥିଲା । ସେତେବେଳେ ବହୁ ଶିକ୍ଷାବିତ୍‍ ଏହାକୁ ବିରୋଧ କରିଥିଲେ । ଏମିତିକି ବର୍ତ୍ତମାନର ଶାସନ କ୍ଷମତାରେ ଥିବା ବିଜେପି ଉକ୍ତ ଆଇନ୍‍ର ଖୋଲା ବିରୋଧ କରୁଥିଲା । ଏ ସଂକ୍ରାନ୍ତରେ ଓଡିଶା ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସୁପ୍ରିମ୍‍କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଓଡିଶା ସରକାରଙ୍କୁ କାଠଗଡାକୁ ଟାଣିଛି । ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ଆଦେଶ ଯୋଗୁଁ ବିଶ୍ୱବିଦ୍ୟାଳୟଗୁଡିକର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆଗେଇ ପାରୁନଥିବାବେଳେ ଏବେ ୬୦ ପ୍ରତିଶତରୁ ଅଧିକ ଶିକ୍ଷକ ପଦବୀ ଏବଂ ତାହାଠାରୁ ଢେର ଅଧିକ ଅଣଶିକ୍ଷକ ପଦବୀ ଖାଲି ପଡିଛି ।

ପୂର୍ବରୁ ଗୁଜୁରାଟର ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମ୍‍କୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା ଓଡିଶା ବିଶ୍ୱବିଦ୍ୟାଳୟ ଆଇନ୍‍ ପ୍ରସଙ୍ଗରେ ଯଦି ଲାଗୁ ହୁଏ ତେବେ ନୂଆ ଆଇନ୍‍ ଆଧାରରେ କୁଳପତି ନିଯୁକ୍ତି ହୋଇପାରିବ ନାହିଁ । ବିଶ୍ୱବିଦ୍ୟାଳୟଗୁଡିକର ଶିକ୍ଷକ ଓ ଅଣଶିକ୍ଷକ ପଦବୀରେ ନିଯୁକ୍ତି ଲାଗି ୟୁଜିସି ଯେଉଁ ମାର୍ଗନିର୍ଦ୍ଦେଶିକା ଜାରି କରିଛନ୍ତି ଓଡିଶା ସରକାରଙ୍କ ବିଶ୍ୱବିଦ୍ୟାଳୟ ଆଇନ୍‍ ତାହାର ବିରୁଦ୍ଧାଚରଣ କରୁଥିବା ପରିପ୍ରେକ୍ଷୀରେ ଉତ୍କଳ, ରମାଦେବୀ ସମେତ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ନିୟମିତ ନିଯୁକ୍ତି ଉପରେ ପ୍ରଶ୍ନବଚାୀ ଉଠିଥିବାରୁ ଏବେ ଠିକା ବ୍ୟବସ୍ଥାକୁ ଆଧାର କରାଯାଇଛି ।

ଆଇନ୍‍ ବିଶେଷଜ୍ଞମାନେ କହୁଛନ୍ତି ଯେ ରାଜ୍ୟ ସରକାର ଚାହିଁଲେ ବିଧି ବ୍ୟବସ୍ଥା ମୁତାବକ ନୂଆ ଆଇନ୍‍ରେ ସଂଶୋଧନ ଆଣି ପୁଣି ପୁରୁଣା ଆଇନ୍‍ ଚଳାଇପାରିବେ । ପୁରୁଣା ଆଇନ୍‍ ୟୁଜିସିର ମାର୍ଗନିର୍ଦ୍ଦେଶିକା ଆଧାରରେ ଥିବାରୁ ନିଯୁକ୍ତି ପ୍ରକ୍ରିୟାରେ ସମସ୍ୟା ରହିବନାହିଁ ଏବଂ ୟୁଜିସି ଏ ପରିପ୍ରେକ୍ଷୀରେ ସୁପ୍ରିମ୍‍କୋର୍ଟର ମାମଲା ମଧ୍ୟ ପ୍ରତ୍ୟାହାର କରିନେବାର ବାଟ ଖୋଲିଯିବ । ବିଶେଷକରି ଓଡିଆ ସାଂସଦ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଥିବା ଦୃଷ୍ଟିରୁ ଓଡିଶା ବିଶ୍ୱବିଦ୍ୟାଳୟ ଆଇନ୍‍ରେ ସଂଶୋଧନ ଅଣାଯାଇ ପାରିଲେ ୟୁଜିସିର ମାମଲା ପ୍ରତ୍ୟାହାର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ । ଅନ୍ୟ ପକ୍ଷରେ ଯଦି କୁଳପତି ନିଯୁକ୍ତି ପାଇଁ ଆଇନ୍‍ଗତ ପ୍ରତିବନ୍ଧକ ସୃଷ୍ଟିହୁଏ ତାହେଲେ ଉତ୍କଳ ରମାଦେବୀ ସମେତ ଯେଉଁସବୁ ବିଶ୍ୱବିଦ୍ୟାଳୟଗୁଡିକର କୁଳପତିମାନଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ତାହାକୁ ରାଜ୍ୟ ସରକାର ବଢାଇ ପାରନ୍ତି । (ତଥ୍ୟ)