Home Judiciary ସ୍ପଷ୍ଟ ହେଉନି ଏଜି ନିଯୁକ୍ତି

ସ୍ପଷ୍ଟ ହେଉନି ଏଜି ନିଯୁକ୍ତି

ଭୁବନେଶ୍ୱର : ବିଧାନସଭାର ଆଗାମୀ ଅଧିବେଶନ ପୂର୍ବରୁ ନୂଆ ଆଡଭୋକେଟ ଜେନେରାଲ (ଏଜି)ନିଯୁକ୍ତ ହେବାକୁ ଯାଉଛନ୍ତି । ତେବେ ରାଜ୍ୟର ପରବର୍ତ୍ତୀ ଆଡଭୋକେଟ ଜେନେରାଲ କିଏ ହେବେ ସେଥିଘେନି ଏଯାବତ୍‍ ଚିତ୍ର ସ୍ପଷ୍ଟ ହୋଇନଥିଲେ ମଧ୍ୟ ଦୌଡରେ ବହୁ ବରିଷ୍ଠ ଓକିଲ ଥିବା ଘେନି ଚର୍ଚ୍ଚା ଚାଲିଛି ।

ପୂର୍ବରୁ ଅଶୋକ କୁମାର ପରିଜା ନବୀନ ପଟ୍ଟନାୟକ ଶେଷ ପାଳି ସରକାରରେ ଆଡଭୋକେଟ ଜେନେରାଲ ଥିଲେ । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ନବୀନ ବାବୁ ଇସ୍ତଫା ଦେବା ପରେ ପରେ ଶ୍ରୀ ପରିଜା ମଧ୍ୟ ତାଙ୍କ ଦାୟିତ୍ୱରୁ ଇସ୍ତଫା ଦେଇଛନ୍ତି । ହାଇକୋର୍ଟ ପ୍ୟାନେଲରେ ଆଡଭୋକେଟ ଜେନେରାଲଙ୍କ ବ୍ୟତିତ ସରକାରୀ ଓକିଲ, ଅତରିକ୍ତ ସରକାରୀ ଓକିଲ, ଷ୍ଟାଣ୍ଡିଂ କାଉନସେଲ, ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲ ଆଦି ପଦବୀରେ ପ୍ରାୟ ୬୦ଜଣ ଓକିଲ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇ ସରକାରୀ ମାମଲା ପରିଚାଳନାରେ ହାଇକୋର୍ଟଙ୍କୁ ସାହାଯ୍ୟ କରିଥାନ୍ତି । ଏହି ପ୍ୟାନେଲରୁ ଏବେ ଅନେକ ଇସ୍ତଫା ଦେଇ ସାରିଛନ୍ତି । ତେଣୁ ବିଭିନ୍ନ ବିଷୟରେ ସବୁ କୋର୍ଟରେ ମାମଲା ପରିଚାଳନା ଲାଗି ସରକାରୀ ପ୍ୟାନେଲରେ ପର୍ଯ୍ୟାପ୍ତ ସଂଖ୍ୟକ ଓକିଲ ନଥିବାରୁ ରାଜ୍ୟ ସରକାରଙ୍କୁ ଅପଦସ୍ତ ହେବାକୁ ପଡୁଛି ଏବଂ ଏଥିଘେନି ହାଇକୋର୍ଟ ପ୍ରତିକୂଳ ମନ୍ତବ୍ୟ ବ୍ୟକ୍ତ କରିବା ସହିତ କେତେକ କ୍ଷେତ୍ରରେ ମଧ୍ୟ ସରକାରଙ୍କୁ ଆର୍ଥିକ ତଣ୍ଡ ଗଣିବାକୁ ଆଦେଶ ଦେଉଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଆଡଭୋକେଟ ଜେନେରାଲ ହେଉଛନ୍ତି ରାଜ୍ୟ ସରକାରଙ୍କ ସବୁଠାରୁ ବଡ ଆଇନ୍‍ ପରାମର୍ଶଦାତା । ଏମିତିକି କେତେକ କ୍ଷେତ୍ରରେ ଆଇନ୍‍ ବିଭାଗର ପରାମର୍ଶକୁ ମଧ୍ୟ ଆଡଭୋକେଟ ଜେନେରାଲଙ୍କ ମତ ବଦଳାଇ ଦେଇଥାଏ । ହାଇକୋର୍ଟ ଛଡା ସୁପ୍ରିମକୋର୍ଟ ଓ ଅନ୍ୟ ଅଦାଲତରେ ବି ସ୍ଥଳ ବିଶେଷରେ ଏଜିଙ୍କୁ ପ୍ରତ୍ୟକ୍ଷ ମାମଲା ପରିଚାଳନା କରିବାକୁ ପଡିଥାଏ ।

ସୁପ୍ରିମକୋର୍ଟ ଠାରୁ ନିମ୍ନ ଅଦାଲତ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ସରକାରୀ ପ୍ୟାନେଲର ଓକିଲ ନିଯୁକ୍ତି କ୍ଷେତ୍ରରେ ଆଡଭୋକେଟ ଜେନେରାଲଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ସାଧାରଣତଃ କେନ୍ଦ୍ର ଓ ରାଜ୍ୟରେ ରାଜନୈତିକ ସରକାର ବଦଳିବା ପରେ ପରେ ତୁରନ୍ତ କେନ୍ଦ୍ର ସରକାର ଆଟର୍ଣ୍ଣି ଜେନେରାଲ ଓ ସଲିସିଟର ଜେନେରାଲ ଏବଂ ରାଜ୍ୟ ସରକାର ଆଡଭୋକେଟ ଜେନେରାଲ ନିଯୁକ୍ତ କରି ସେମାନଙ୍କ ପରାମର୍ଶକ୍ରମେ ଅନ୍ୟ ପ୍ୟାନେଲ ନିଯୁକ୍ତ କରିଥାନ୍ତି ।

ଏବେ ରାଜ୍ୟରେ ଆଡଭୋକେଟ ଜେନେରାଲ ନଥିବାରୁ ଜଣେ ଅତିରିକ୍ତ ସରକାରୀ ଓକିଲଙ୍କୁ ଭାରପ୍ରାପ୍ତ ଭାବେ ଏହି ଦାୟିତ୍ୱରେ ରଖାଯାଇଛି । ନୂଆ ଏଜି ନିଯୁକ୍ତି ଯେତେ ବିଳମ୍ବ ହେଉଛି ଆଶାୟୀଙ୍କ ସଂଖ୍ୟା ମଧ୍ୟ ସେହିଭଳି ବଢି ବଢି ଚାଲିଛି । ଏମିତିକି ବିଜେପିର କେନ୍ଦ୍ର ଓ ରାଜ୍ୟ ନେତୃତ୍ୱ ଉପରେ ବି ଏଥିଲାଗି ବିଭିନ୍ନ ମହଲରୁ ଚାପ ପଡିବାରେ ଲାଗିଛି ।

ଆଡଭୋକେଟ ଜେନେରାଲ ନିଯୁକ୍ତ ହୋଇପାରୁ ନଥିବାରୁ ଏହି ପ୍ୟାନେଲରେ ନିଯୁକ୍ତି ପାଇଁ ବିଜେପିର ଯେଉଁ ସମର୍ଥକମାନେ ଆଶାବାନ୍ଧି ବସିଛନ୍ତି ସେମାନେ ବି ନିରାଶ ହେଉଛନ୍ତି । ତେବେ ଏ ସଂକ୍ରାନ୍ତରେ ଚୂଡାନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରେ ।

ଏଠାରେ ଉଲ୍ଲେଖନୀୟ ଯେ ଆଡଭୋକେଟ ଜେନେରାଲ ପଦବୀଟି ସାମ୍ବିଧାନିକ ହୋଇଥିବାରୁ ତାଙ୍କ ଲାଗି ରାଜ୍ୟ ବିଧାନସଭାରେ ମଧ୍ୟ ଏକ ସ୍ୱତନ୍ତ୍ର ଆସନ ରହିଥାଏ । କୌଣସି ପ୍ରସଙ୍ଗରେ ବିଧାନସଭା ଚାହିଁଲେ ଆଡଭୋକେଟ ଜେନେରାଲଙ୍କୁ ଗୃହକୁ ଡକାଇ ତାଙ୍କର ପରାମର୍ଶ ନେବା ବ୍ୟବସ୍ଥା ରହିଛି । ଏଥି ସହିତ ରାଜ୍ୟ ସଚିବାଳୟରେ ବି ଆଡଭୋକେଟ ଜେନେରାଲଙ୍କର ଅତରିକ୍ତ ଦପ୍ତର ଖୋଲିବା ଲାଗି କୌଣସି ପ୍ରତିବନ୍ଧକ ନାହିଁ । (ତଥ୍ୟ)