Home General ଯଥା ପୂର୍ବଂ ତଥା ପରଂ

ଯଥା ପୂର୍ବଂ ତଥା ପରଂ

ଭୁବନେଶ୍ୱର : ଭୁବନେଶ୍ୱର ସହରରେ କୁକୁର ବଂଶବୃଦ୍ଧିକୁ ନେଇ ବିଏମ୍‍ସିରେ ତୁମ୍ବିତୋଫାନ ହେବାପରେ ଏବେ ଅବସ୍ଥା ଯଥା ପୂର୍ବଂ ତଥା ପରଂ । କୁକୁର ମାଲିକମାନେ ପୂର୍ବଭଳି ସେମାନଙ୍କ ପୋଷା କୁକୁରଙ୍କୁ ଆଣି ରାସ୍ତା କଡରେ ମଳତ୍ୟାଗ କରାଉଥିବାବେଳେ ବୁଲା କୁକୁର ବି ମାଳ ମାଳ ହୋଇ ପଇଁତରା ମାରୁଛନ୍ତି ।

ଦେଶର ଦୁଇ ତିନିଟି ସ୍ଥାନରେ ବୁଲା କୁକୁରମାନେ ଛୋଟ ଛୋଟ ପିଲାଙ୍କୁ ଝୁଣି ମାରିଦେବା ଖବର ପ୍ରକାଶ ପାଇବାପରେ ବିଏମ୍‍ସି କର୍ତ୍ତୃପକ୍ଷଙ୍କ ଚେତା ପଶିଥିଲା । ରାଜଧାନୀ ରାସ୍ତାରୁ କୁକୁରମାନଙ୍କୁ ହଟାଇବାପାଇଁ ହୋଇଥିଲା ତର୍ଜମା । ତେବେ ବୁଲା କୁକୁରଙ୍କ ଅପେକ୍ଷା ପୋଷା କୁକୁରଙ୍କ ଉପରେ ଅଧିକ ତର୍ଜମା ହେଲା । ପୋଷାକୁକୁରଙ୍କ ଉପରେ କଟକଣା ଲଗାଇବାପାଇଁ ସେମାନଙ୍କ ବେକରେ ଫଳକ ଝୁଲାଇବା ପାଇଁ କଥା ଗଲା । କୁହାଗଲା ଯେ ଯେଉଁମାନେ ପୋଷା କୁକୁର ରଖିଛନ୍ତି ସେମାନେ ଆଉ ନିଜ ନିଜ କୁକୁରଙ୍କୁ ଆଣି ରାସ୍ତାରେ ମଳତ୍ୟାଗ କରାଇବେନି । ଯିଏ ଏଭଳି କରିବ ସିଏ ତଣ୍ଡଗଣିବ ନହେଲେ କୁକୁର ମଳ ଉଠାଇବ ।

ସବୁ ପ୍ରକାର କଟକଣା ପରେ ବି ସହରରେ ଏବେ ଅବସ୍ଥା ଯଥା ପୂର୍ବଂ ତଥା ପରଂ । ପୋଷା କୁକୁରମାନେ ମାଲିକଙ୍କ ସହିତ ଆସି ରାସ୍ତାରେ ମଳ ତ୍ୟାଗ କରୁଛନ୍ତି ଓ ବୁଲା କୁକୁରମାନେ ମାଳ ମାଳ ହୋଇ ରାସ୍ତାରେ ବୁଲୁଛନ୍ତି । ବରଂ ଏହି ବୁଲା କୁକୁରମାନେ ଏବେ ପ୍ରବଳ ଖରା ଓ ଗୁଳୁଗୁଳିରେ ଖାଦ୍ୟ ଓ ପାଣି ଅଭାବରୁ ଅଧିକ ହିଂସ୍ର ହୋଇ ଲୋକଙ୍କୁ ଗୋଡାଇବାରେ ଲାଗିଛନ୍ତି ।

ଅବସ୍ଥା ଏଭଳି ହୋଇଛି ଯେ ବିଳମ୍ବିତ ରାତିରେ ଯଦି କୌଣସି ଜରୁରୀ କାମରେ କିଏ ଘରୁ ବାହାରିବ ଓ ତାହା ପାଖରେ ଚାରିଚକିଆ ଯାନ ନଥିବ ତେବେ ବୁଲା କୁକୁରଙ୍କ ହାବୁଡରେ ପଡି ସିଏ ଡାକ୍ତରଖାନା ଯିବା ଏକ ପ୍ରକାର ନିଶ୍ଚିତ । କାରଣ ସହରର ପ୍ରତି ଗଳି କନ୍ଦିରେ ଥିବା ମାଳ ମାଳ କୁକୁର ଲୋକଙ୍କୁ ରାତିରେ ଏକୁଟିଆ ଦେଖିଲେ କିମ୍ବା ଗାଡି ଶବ୍ଦ ଶୁଣିଲେ କାମୁଡି ଗୋଡାଉଛନ୍ତି । ଏପରିକି ଚାରିଚକିଆ ଯାନକୁ ବି କିଛି ବାଟ ଯାଏ କାମୁଡିବାକୁ ଧାଉଁଛନ୍ତି ।

ବୁଲା କୁକୁରଙ୍କ ବଂଶବୃଦ୍ଧି ରୋକିବାପାଇଁ ବିଏମ୍‍ସିର ଯୋଜନା ଫେଲ ମାରିଥିବାରୁ ସହର ସାରା ଏବେ ହଜାର ହଜାର କୁକୁର ପଇଁତରା ମାରୁଛନ୍ତି । ଆଗାମୀ ବର୍ଷାଋତୁ ପରେ ସେମାନଙ୍କ ସଂଖ୍ୟା ବହୁଗୁଣିତ ହୋଇଯିବ ବୋଲି ପଶୁ ବିଶେଷଜ୍ଞମାନେ କହୁଛନ୍ତି । ଏହି ବୁଲା କୁକୁରମାନେ ଖାଲି ଲୋକଙ୍କୁ କାମୁଡି ଗୋଡାଉ ନାହାନ୍ତି, ବିଏମ୍‍ସି ପକ୍ଷରୁ ରାସ୍ତାକଡରେ ପଡିଥିବା ଚକଚକିଆ ଟାଇଲ ଉପରେ ମଳତ୍ୟାଗ କରି ପରିବେଶକୁ ଅତ୍ୟନ୍ତ ଅପରିଷ୍କାର କରୁଛନ୍ତି । ଝାଡୁଦାରମାନେ ଏଥିଯୋଗୁଁ ରାସ୍ତାର ବହୁ ଅଂଶରେ ଝାଡୁ ବି ମାରି ପାରୁ ନାହାନ୍ତି । ଏମାନଙ୍କ ଦାଉରୁ ରକ୍ଷା ପାଇବାପାଇଁ ଲୋକେ ଏବେ ରାତି ପାହିଲେ ନିଜ ଘର ଆଗରେ ଫିନାଇଲ ପକାଇବା ସହିତ ବୋତଲରେ ନାଲି ରଙ୍ଗ ଭର୍ତ୍ତିକରି ଟଙ୍ଗାଉଛନ୍ତି । ଏତେ ସବୁ ସତ୍ୱେ ବି ସହରରେ କୁକୁର ବଂଶ ଯେଭଳି ବଢୁଛି ତାହା ଆଗାମୀ ଦିନରେ ବଡ ଅଘଟର କାରଣ ହେବ ବୋଲି କୁହାଯାଉଛି । (ତଥ୍ୟ)