Home Culture ସ୍ଥାପନ ହେବ ବରପୁତ୍ରଙ୍କ ପ୍ରତିମୂର୍ତ୍ତି

ସ୍ଥାପନ ହେବ ବରପୁତ୍ରଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ଏହି ପ୍ରତିମୂର୍ତ୍ତି ର୍ନିମାଣ ଓ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବେ ନିଷ୍ପତ୍ତି ନିଆଯାଇଛି ।

ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଭିନ୍ନ ଜନପ୍ରତିନିଧି, ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ଜିଲ୍ଲା ପ୍ରଶାସନଠାରୁ ମିଳିଥିବା ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ବୈଠକରେ ଏ ନେଇ ଆଲୋଚନା କରିଥିଲେ ।

ବିସ୍ତୃତ ଆଲୋଚନା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ବ୍ୟକ୍ତିବିଶେଷଙ୍କ ପ୍ରତିମୂର୍ତ୍ତି ର୍ନିମାଣ ଓ ସ୍ଥାପନ ପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା ।

ଯୋଜନା ଅନୁଯାୟୀ କେନ୍ଦ୍ରାପଡ଼ାରେ ଭଜନ ସମ୍ରାଟ ଭିକାରୀ ବଳ, ବଲାଙ୍ଗୀରରେ ଧର୍ମସିଂହ ମାନ୍ଧତା ମାଝୀ, ଭୁବନେଶ୍ୱରରେ କୁନ୍ତଳା କୁମାରୀ ସାବତ ଓ କବି ଶେଖର ଚିନ୍ତାମଣି ମହାନ୍ତି, ବ୍ରହ୍ମପୁରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ଭଦ୍ରକରେ ଗୋକୁଳାନନ୍ଦ ମହାନ୍ତି, କେନ୍ଦୁଝରରେ ରତନ ନାୟକ, ସମ୍ବଲପୁରରେ ଅଟଳ ବିହାରୀ ବାଜପେୟୀ ଓ ବୀର ସୁରେନ୍ଦ୍ର ସାଏ, କଟକରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମଧୁସୂଦନ ଦାସ ଓ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ବସିବ । ବରଗଡ଼ରେ ଗଙ୍ଗାଧର ମେହେର, ବାଲେଶ୍ୱରରେ ଫକୀର ମୋହନ ସେନାପତି ଓ ବାଘାଜତିନ, ପୁରୀ ଡେଲାଙ୍ଗରେ ବୌଦ୍ଧ ପଣ୍ଡିତ ଦିଗନାଗା, ମାଲକାନଗିରିରେ ତାମ୍ମା ଦୋରା ଓ ଭୁବନରେ ବାଜିରାଓ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଚୂଡ଼ାନ୍ତ ହୋଇଛି ।

ଏଥିସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ପ୍ରଥମ ଓଡ଼ିଆ ଶଙ୍କରାଚାର୍ଯ୍ୟ ଶ୍ରୀଧର ସ୍ୱାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ମନ୍ତ୍ରୀ ଶ୍ରୀ ସୁରଜ କହିଥିଲେ ଯେ ଏହି ମହାନ ବ୍ୟକ୍ତିତ୍ୱମାନେ ଆମର ସ୍ୱାଧୀନତା ଏବଂ ପରିଚୟ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ନିଜ ଲେଖା ମାଧ୍ୟମରେ ସେମାନେ ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବା ସହ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟର ମୂଲ୍ୟବୋଧକୁ ବଜାୟ ରଖିଛନ୍ତି । ସ୍ୱାଧୀନତା ସଂଗ୍ରାମ ହେଉ ଅବା ଭାଷା ଓ ସଂସ୍କୃତିର ସଂରକ୍ଷଣରେ, ସେମାନଙ୍କ ଅବଦାନ ଅମୂଲ୍ୟ ଏବଂ ଚିରସ୍ଥାୟୀ ସମ୍ମାନର ଉତ୍ସ ।

ଏହି ବ୍ୟକ୍ତିତ୍ୱ ଯୁବପିଢ଼ିଙ୍କ ପାଇଁ ହେଉଛନ୍ତି ପ୍ରେରଣାର ଉତ୍ସ । ତେଣୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ପ୍ରତିମୂର୍ତ୍ତି ର୍ନିମାଣ ଓ ସ୍ଥାପନକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି, ଯାହା ଫଳରେ ଭବିଷ୍ୟତ ପିଢ଼ି ପାଇଁ ସେମାନଙ୍କ ପ୍ରେରଣା ବଜାୟ ରହିବ ବୋଲି ମନ୍ତ୍ରୀ କହିଛନ୍ତି ।(ତଥ୍ୟ)