Home General ସ୍ଥାନାନ୍ତରଣ ସମ୍ପର୍କରେ ରାଜ୍ୟସ୍ତରୀୟ କର୍ମଶାଳା

ସ୍ଥାନାନ୍ତରଣ ସମ୍ପର୍କରେ ରାଜ୍ୟସ୍ତରୀୟ କର୍ମଶାଳା

ଭୁବନେଶ୍ୱର  : ମଜୁରିରେ ତାରତମ୍ୟ ଯୋଗୁଁ ଦେଶାନ୍ତରୀ ସମସ୍ୟା ବଢ଼ିଚାଲିଛି। ରାଜ୍ୟ ଓ କେନ୍ଦ୍ର ସରକାର ଦେଶାନ୍ତରୀ ରୋକିବା ସହିତ ମହିଳା ଓ ଶିଶୁ ଶ୍ରମିକ ଚାଲାଣ ନିରୋଧ ପାଇଁ ଆଇନ ପ୍ରଣୟନ କରିବାର ଆବଶ୍ୟକତା ରହିଛି ବୋଲି ଏକ ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳାରେ ବହୁ ନାଗରିକ ସଙ୍ଗଠନର କାର୍ଯ୍ୟକର୍ତ୍ତା ମତପ୍ରକାଶ କରିଛନ୍ତି।

ଓଡ଼ିଶାର କିଶୋରୀ ଓ ଯୁବତୀମାନଙ୍କର ତାମିଲନାଡ଼ୁର ବୟନଶିଳ୍ପକୁ ସ୍ଥାନାନ୍ତରଣ ଶୀର୍ଷକ କର୍ମଶାଳାରେ ବକ୍ତବ୍ୟ ରଖି ପୂର୍ବତନ କେନ୍ଦ୍ର ଶ୍ରମ ସଚିବ ଡ.ଲକ୍ଷ୍ମୀଧର ମିଶ୍ର କହିଲେ ଯେ ଦେଶାନ୍ତର, ଶ୍ରମିକ ଚାଲାଣ ରୋକିବା ଏବଂ ମହିଳା ଓ ଶିଶୁଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ଆଇନ‌େ‌ର ସଂଶୋଧନ କରାଯିବା ଆବଶ୍ୟକ। ଶ୍ରମିକଙ୍କ ପାଇଁ  ଉପଲବ୍ଧ ସୁବିଧା ଓ ମୌଳିକ ଅଧିକାର ସମ୍ପର୍କରେ ଶିକ୍ଷା, ସୂଚନା ଓ ସଞ୍ଚାର(ଆଇଇସି) ବ୍ୟବସ୍ଥା ସଶକ୍ତ କରାଗଲେ ସେମାନେ ସଚେତନ ହେବେ।

ମାଇଗ୍ରେସନ ଲେବର ବୋର୍ଡ଼ ଗଠନ, ଦେଶାନ୍ତରୀ ଶ୍ରମିକଙ୍କ ପଞ୍ଜୀକରଣ, କାର୍ଯ୍ୟସ୍ଥଳରେ ସେମାନଙ୍କୁ ଦୁର୍ଘଟଣା ଜନିତ କ୍ଷତିପୂରଣ ପ୍ରଦାନ ସହିତ ମହିଳାଙ୍କୁ ରାତିରେ କାର୍ଯ୍ୟରୁ ବିରତ ରଖିବା ଏବଂ ଶିଶୁମାନଙ୍କୁ ଇଟାଭାଟିରେ ଶ୍ରମିକ ଭାବେ ନିୟୋଜନ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବା ଦିଗରେ ସରକାର ଦୃଷ୍ଟି ଦେବାକୁ ସେ ମତ ରଖିଥିଲେ।

 ତାମିଲନାଡ଼ୁର ସିଏସଇଡ଼ି ଅନୁଷ୍ଠାନ ଦ୍ବାରା, ଏନଏସିଜି-ଇଭାକ, ଓଡ଼ିଶା ଆଲିଆନ୍ସ ଫର ଚାଇଲ୍ଡ଼ ରାଇଟ, ସିଏସିଏଲର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ଓଏସିଆର ଅଧ୍ୟକ୍ଷ ରଞ୍ଜନ କୁମାର ମହନ୍ତି ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ସିଏସଇଡ଼ିର ଏକଜିକ୍ୟୁଟିଭ ଡାଇରେକ୍ଟର ସି.ନାମ୍ବି ତାମିଲନାଡ଼ୁର ବୟନଶିଳ୍ପରେ ଶିଶୁ ଓ ମହିଳା ଶ୍ରମିକଙ୍କ ଶୋଷଣ ପ୍ରସଙ୍ଗ ଉଠାଇବା ସହିତ ସେଠାରେ ଦେଶାନ୍ତରୀ ଶ୍ରମିକଙ୍କ ସଂଖ୍ୟା ୨୦୦୦ରେ ୫ପ୍ରତିଶତରୁ ଏବେ ୪୦ ପ୍ରତିଶତକୁ ବଢ଼ିଲାଣି ବୋଲି କହିଥିଲେ।

କମ ବୟସର ପୁଅ ଝିଅ ତାମିଲନାଡ଼ୁର ପୋଷାକ ଶିଳ୍ପରେ ସର୍ବନିମ୍ନ ମଜୁରୀରୁ ବଞ୍ଚିତ ହେବା ସହ କିପରି  ଦୟନୀୟ ଜୀବନ କାଟୁଛନ୍ତି ସେ ବିଷୟରେ ତଥ୍ୟ ରଖିଥିଲେ।  ଏଡ଼ ଏଟ ଆକ୍ସନର ନିର୍ଦେଶକ ଉମି ଡାନିଏଲ କହିଥିଲେ ରାଜ୍ୟରୁ କେତେ ଶ୍ରମିକ ବାହାର ରାଜ୍ୟକୁ ଯାଉଛନ୍ତି ସେ ତଥ୍ୟ ସରକାରଙ୍କ ପାଖରେ ନାହିଁ।

ଦେଶାନ୍ତରୀ ଶ୍ରମିକ ଓ ସେମାନଙ୍କ ପିଲା ମୌଳିକ ଅଧିକାର ଓ ସାମାଜିକ ନିରାପତ୍ତାରୁ ବଞ୍ଚିତ ହେଉଛନ୍ତି।  ସିଏସଇଡ଼ିର ଏମ.ଭାସ୍କରନ୍ ତାମିଲନାଡ଼ୁ ବୟନଶିଳ୍ପରେ କାର୍ଯ୍ୟରତ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ଶ୍ରମିକଙ୍କ ସାମାଜିକ ନିରାପତ୍ତା କିପରି ବିପନ୍ନ ସେ ବିଷୟରେ ତଥ୍ୟ ରଖିଥିଲେ। ‘ଓଏଲଏସ’ର ପ୍ରକାଶ ରଥ ଓ ‘ଆଦର୍ଶ’ର ପ୍ରଦୀପ ବେହେରାଙ୍କ ସଞ୍ଚାଳନରେ‌ ଆୟୋଜିତ ପରବର୍ତ୍ତୀ ଅଧିବେଶନରେ ସିଏସିଏଲର ପୂର୍ବତନ ରାଜ୍ୟ ଆବାହକ ଉମେଶ ପୁରୋହିତ ଏବଂ ପିକକର ଏକଜିକ୍ୟୁଟିଭ ଡାଇରେକ୍ଟର ଅନୁରାଧା ମହାନ୍ତି ଦେଶାନ୍ତରୀ ସମସ୍ୟା ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା  କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।