Home Education ସ୍କୁଲ ଖୋଲିବା ନେଇ ଦ୍ୱନ୍ଦ

ସ୍କୁଲ ଖୋଲିବା ନେଇ ଦ୍ୱନ୍ଦ

ଭୁବନେଶ୍ୱର : କରୋନାର ତୃତୀୟ ଲହର ମୁଣ୍ଡଉପରେ ଥିବାବେଳେ ବିଦ୍ୟାଳୟ ଖୋଲିବାପାଇଁ ନିଆଯାଇଥିବା ନିଷ୍ପତ୍ତିରେ ବହୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଆତଙ୍କିତ । ଦ୍ୱିତୀୟ ଲହରରେ ଅନେକ ଶିଶୁ ଆକ୍ରାନ୍ତ ହୋଇଥିବା ପରିପ୍ରେକ୍ଷୀରେ ବହୁ ଅଭିଭାବକ ଏବେ ପିଲାଙ୍କୁ ଛାଡିବାକୁ ସାହସ କରିପାରୁ ନାହାନ୍ତି ।

ଚଳିତମାସ ୨୬ତାରିଖରୁ ଦଶମ ଓ ଦ୍ୱାଦଶ ଏବଂ ଅଗଷ୍ଟ ୧୬ତାରିଖରୁ ନବମ ଓ ଏକାଦଶ ଶ୍ରେଣୀ ଖୋଲିବାପାଇଁ ନିଷ୍ପତ୍ତି ନିଆଯାଇଛି । କରୋନା କଟକଣାକୁ ଏ ପରିପ୍ରେକ୍ଷୀରେ କଡାକଡି ଭାବେ ବିଦ୍ୟାଳୟ କର୍ତ୍ତୃପକ୍ଷ ଲାଗୁ କରିବେ । ପିଲାମାନଙ୍କୁ ଆବଶ୍ୟକତୀୟ ବ୍ୟବଧାନରେ ଶ୍ରେଣୀ କକ୍ଷରେ ବସାଇବେ ଏବଂ ସେମାନଙ୍କ ପାଇଁ ହାତଦୋଇବା ଓ ସାନିଟାଇଜ୍‍ ବ୍ୟବସ୍ଥା ମଧ୍ୟ କରିବେ । କେବଳ ମାସ୍କ ବ୍ୟବହାର କରୁଥିବା ପିଲାମାନଙ୍କୁ ବିଦ୍ୟାଳୟ ଭିତରକୁ ପ୍ରବେଶ କରିବାପାଇଁ ଦିଆଯିବ । ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ଛଡା ଅନ୍ୟମାନଙ୍କ ଲାଗି ବିଦ୍ୟାଳୟ ଭିତରକୁ ପ୍ରବେଶ ଉପରେ ମଧ୍ୟ କଟକଣା ରହିବ ।

ଏହି ଶ୍ରେଣୀ ଗୁଡିକରେ ସୀମିତ ସମୟ ପାଇଁ ପାଠପଢା ହେବ ଏବଂ ପିଲାମାନଙ୍କ ଖେଳ ପିରିୟଡ ଓ ରିସେସ ଆଦି ରହିବନାହିଁ । ପିଲାମାନେ ଯେଭଳି ବିଦ୍ୟାଳୟ ପରିସରରେ ପରସ୍ପର ସହ ମିଳାମିଶା ନକରିବେ ତାହା ଉପରେ ମଧ୍ୟ ସମ୍ପୃକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ନଜର ରଖିବେ । ଏହାଛଡା ବିଦ୍ୟାଳୟର ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ କରୋନା ଟିକା ନେଇଥିବା ନିଶ୍ଚିତ ।

ଗତବର୍ଷ ମାର୍ଚ୍ଚ ମାସରୁ ରାଜ୍ୟରେ ଶିକ୍ଷାନୁଷ୍ଠାନଗୁଡିକୁ ଛାତ୍ରଛାତ୍ରୀଙ୍କ ପ୍ରବେଶ ବାରଣ କରାଯାଇଛି । ତେବେ ଅନ୍‍ଲାଇନ୍‍ରେ ପିଲାମାନଙ୍କ ଲାଗି ପାଠପଢା ବ୍ୟବସ୍ଥା କରାଯାଇଛି । ବିଶେଷକରି ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡିକର ସଂଖ୍ୟାଧିକ ଛାତ୍ରଛାତ୍ରୀ ଅନ୍‍ଲାଇନ୍‍ ପାଠପଢାରେ ସାମିଲ ହେଉନାହାନ୍ତି । ଉଚ୍ଚଶ୍ରେଣୀର ଯେଉଁ ଛାତ୍ରଛାତ୍ରୀମାନେ ଅନ୍‍ଲାଇନ୍‍ରେ ପାଠ ପଢିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବହୁ କ୍ଷେତ୍ରରେ ନେଟୱାର୍କ ସମସ୍ୟା ବାଧକ ହେଉଛି । ମୋଟାମୋଟି ଭାବେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରୁୀ ପ୍ରାୟ ୬୦ପ୍ରତିଶତ ଅନ୍‍ଲାଇନ୍‍ ପାଠପଢାରୁ ବଞ୍ଚିତ ରହୁଥିବା ସ୍ୱୀକାର କରାଯାଉଛି ।

ଦୁଇବର୍ଷ ହେବ ବିନା ବାର୍ଷିକ ପରୀକ୍ଷାରେ ଦଶମ,ଦ୍ୱାଦଶ ସମେତ ଅନ୍ୟଶ୍ରେଣୀମାନଙ୍କରେ ପିଲାମାନଙ୍କୁ ପାଶ୍‍ କରାଯାଉଛି । ଏ ପରିପ୍ରେକ୍ଷୀରେ ଚଳିତବର୍ଷ ଓଡିଶାରେ ପ୍ରାୟ ୯୮ପ୍ରତିଶତ ପିଲାଙ୍କୁ ମାଟ୍ରିକ ଉତ୍ତୀର୍ଣ୍ଣ ଦର୍ଶାଯାଇଛି । କେତେକ ରାଜ୍ୟରେ ଦଶମ ଓ ଦ୍ୱାଦଶରେ କାହାକୁ ବି ଫେଲ କରାଯାଉନାହିଁ ।

ଏଭଳି ପରିସ୍ଥିତିରେ କେତେକ ବ୍ୟବସାୟିକ ପ୍ରତିଷ୍ଠାନ ପିଲାମାନଙ୍କୁ ଅନ୍‍ଲାଇନରେ ପାଠପଢାଇ ଏବଂ ଆଉକେତେକ ଚୋରା ଲୁଚାରେ ପାଠପଢାଇ ବେଶ୍‍ ଭଲ ବେପାର କରୁଛନ୍ତି । କିନ୍ତୁ ଆର୍ଥିକ ଦୁରବସ୍ଥା କାରଣରୁ ସଂଖ୍ୟାଧିକ ଅଭିଭାବକ ପିଲାଙ୍କ ପାଇଁ ସ୍ମାର୍ଟଫୋନ୍‍ କି କମ୍ପ୍ୟୁଟର କିଣିପାରୁ ନାହାନ୍ତି କିମ୍ବା ମୋଟା ଅଙ୍କର ଅର୍ଥ ଦେଇ ଏଭଳି କୋଚିଂର ସୁବିଧା ନେଇପାରୁ ନାହାନ୍ତି ।

ପ୍ରାୟ ୧୬ମାସ ଧରି ବିଦ୍ୟାଳୟ ବାରଣ୍ଡା ମାଡିନଥିବା ପିଲାଙ୍କ ଭିତରୁ କେତେକ ସରକାରଙ୍କ ବିଦ୍ୟାଳୟ ଖୋଲା ନିଷ୍ପତ୍ତିରେ ଖୁସି ଥିବାବେଳେ ଆଉ କେତେକ କାଳେ କରୋନା ସଂକ୍ରମଣ ହେବ ସେହି ଚିନ୍ତାରେ ଅଛନ୍ତି । ଅଭିଭାବକମାନେ ମଧ୍ୟ ଏ ପରିପ୍ରେକ୍ଷୀରେ ଦ୍ୱନ୍ଦରେ ପଡିଛନ୍ତି । ତେବେ ନିଷ୍ପତ୍ତି ଅନୁଯାୟୀ ବିଦ୍ୟାଳୟ ଖୋଲିଲେ ଉପସ୍ଥାନ କେତେ ହେବ ତାହା ଉପରେ ସମସ୍ତଙ୍କ ନଜର ଥିବାବେଳେ ଆଗ ପ୍ରାଥମିକ ବିଦ୍ୟାଳୟ ଖୋଲୁ ବୋଲି ଏବେ ଆଇସିଏମ୍‍ଆର ଡିଜି ମତବ୍ୟକ୍ତ କରିଛନ୍ତି । (ତଥ୍ୟ)