Home Energy ସୌରଶକ୍ତି ଉତ୍ପାଦନ ଉତ୍ସାହଜନକ ନୁହେଁ

ସୌରଶକ୍ତି ଉତ୍ପାଦନ ଉତ୍ସାହଜନକ ନୁହେଁ

ଭୁବନେଶ୍ୱର : ସୌରଶକ୍ତି ଉତ୍ପାଦନ ଲାଗି ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହାର ଉତ୍ପାଦନ ପରିମାଣ ୫ଶହ ମେଗାୱାଟ ଟପିପାରୁ ନାହିଁ । ଏପରିକି ସରକାରୀ ଓ ବେସରକାରୀ କୋଠାବାଡି ଉପରେ ଲାଗିଥିବା ସୌର ପ୍ୟାନେଲରୁ ମାତ୍ର ୫୨ ମେଗାୱାଟ ସୌରଶକ୍ତି ମିଳିପାରୁଛି ।

ରାଜ୍ୟରେ ସୌରଶକ୍ତି ଉତ୍ପାଦନ ସଂକ୍ରାନ୍ତରେ ମିଳିଥିବା ସରକାରୀ ସୂଚନା ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ମୋଟ୍‍ ୧୦୪୩ ମେଗାୱାଟ ସୌରଶକ୍ତି ଉପଲବ୍ଧ ହେଉଛି । ଏଥିରୁ ରାଜ୍ୟ ଭିତରେ ଉତ୍ପାଦନ ହେଉଛି ୪୬୮ ମେଗାୱାଟ । ମୋଟ ଉପଲବ୍ଧ ସୌରଶକ୍ତି ମଧ୍ୟରୁ ଘରୋଇ କ୍ଷେତ୍ରରୁ ୧୧୩ ମେଗାୱାଟ ଘରୋଇ କ୍ଷେତ୍ରରୁ ମିଳୁଥିବାବେଳେ ୮୭୮ ମେଗାୱାଟ ସରକାରୀ ସୂତ୍ରରୁ ଉପଲବ୍ଧ ହେଉଛି ।

ରାଜ୍ୟରେ ସୌରଶକ୍ତି ଉତ୍ପାଦନ ଲାଗି ପର୍ଯ୍ୟାପ୍ତ ସୁଯୋଗ ଥିବାବେଳେ ସରକାର ମଧ୍ୟ ଏଥିପାଇଁ ସବସିଡ୍‍ ପ୍ରଦାନ କରୁଛନ୍ତି । ବିଦ୍ୟୁତ୍‍ ବିତରଣ କମ୍ପାନୀଗୁଡିକୁ ଏଥିପାଇଁ ଦାୟିତ୍ୱ ଦିଆଯାଇଛି । ହେଲେ ପ୍ରଚାର ପ୍ରସାରର ଅଭାବ ସହିତ ବିଜୁଳି ଯୋଗାଣକାରୀ କମ୍ପାନୀଗୁଡିକର ଅମନଯୋଗ ପାଇଁ ସୌରଶକ୍ତି ପ୍ରକଳ୍ପ ଆଗେଇ ପାରୁନାହିଁ । ବିଦ୍ୟୁତ୍‍ କମ୍ପାନୀର ଦପ୍ତରଗୁଡିକରେ ସୌରଶକ୍ତି ପ୍ରକଳ୍ପ ସଂକ୍ରାନ୍ତରେ ବଡ ବଡ ହୋର୍ଡିଂ ଲାଗିଥିବାବେଳେ ଏ ସଂକ୍ରାନ୍ତରେ ସୂଚନା ଦେବାପାଇଁ କିନ୍ତୁ ସେଭଳି କୌଣସି ବ୍ୟବସ୍ଥା ନାହିଁ ।

ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ଏବେ ସୌରଶକ୍ତି ପ୍ରକଳ୍ପ ମାଧ୍ୟମରେ ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍‍ ମାଗଣା ବିଜୁଳି ଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିପାଇଁ କେନ୍ଦ୍ରୀୟ ବଜେଟ୍‍ରେ ବ୍ୟାପକ ଅର୍ଥ ବରାଦ ହୋଇଛି । କିନ୍ତୁ ଆମ ରାଜ୍ୟରେ ଏଥିପ୍ରତି ଯେଭଳି ଆଗ୍ରହ ପ୍ରକାଶ ପାଇବାକଥା ତାହା ହୋଇପାରୁ ନାହିଁ । ଘରୋଇ କ୍ଷେତ୍ର ଭଳି ସରକାରୀ କୋଠାବାଡରେ ବି ସୌରଶକ୍ତି ଉତ୍ପାଦନ ପାଇଁ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ।

କେବଳ ସୌରଶକ୍ତି ନୁହେଁ, ରାଜ୍ୟ ସରକାର ଅକ୍ଷୟଶକ୍ତି ନୀତି ୨୦୨୨ ପ୍ରଣୟନ କରିଥିଲେ ମଧ୍ୟରେ ପବନ, ବାୟୋଗ୍ୟାସ ଓ ଛୋଟ ଛୋଟ ଜଳବିଦ୍ୟୁତ୍‍ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ । ରାଜ୍ୟରେ ଥିବା ବିସ୍ତୀର୍ଣ୍ଣ ଉପକୂଳରୁ ପବନ ଶକ୍ତି ଉତ୍ପାଦନ ପାଇଁ ବ୍ୟାପକ ସୁଯୋଗ ରହିଛି । ହେଲେ ଏଥିପାଇଁ ସେଭଳି ପ୍ରକଳ୍ପ ହାତକୁ ନିଆଯାଇ ନାହିଁ । ସେହିଭଳି ଗାଁ ଗହଳରେ ବାୟୋଗ୍ୟାସରୁ ସବୁଜ ଶକ୍ତି ମିଳୁଥିବାବେଳେ ବଡ ବଡ ବାୟୋଗ୍ୟାସ ପ୍ରକଳ୍ପ ପାଇଁ ଆଗ୍ରହୀ ଉଦ୍ୟୋଗୀମାନେ ସଠିକ୍‍ ସୂଚନା ପାଇପାରୁ ନାହାଁନ୍ତି । ମୋଟାମୋଟି ଭାବେ ରାଜ୍ୟରେ ସୌରଶକ୍ତି ପ୍ରକଳ୍ପ କିଛିଟା ଅଗ୍ରଗତି କରିଥିବାବେଳେ ଅନ୍ୟ ସବୁଜ ଶକ୍ତି ପ୍ରକଳ୍ପର ଅଗ୍ରଗତି ସେତେଟା ଉତ୍ସାହଜନକ ନୁହେଁ । (ତଥ୍ୟ)