Home Assembly ସୋସିଆଲ ମିଡିଆ ଖର୍ଚ୍ଚ ୫୦ଲକ୍ଷରୁ ଅଧିକ

ସୋସିଆଲ ମିଡିଆ ଖର୍ଚ୍ଚ ୫୦ଲକ୍ଷରୁ ଅଧିକ

ଭୁବନେଶ୍ୱର : ନିଜ ନିଜ ବିଭାଗରେ ସୋସିଆଲ ମିଡିଆ ବ୍ୟବହାର ଲାଗି କେତେକ ବିଭାଗ ବର୍ଷକୁ ୧୭ ଲକ୍ଷ ଟଙ୍କାରୁ ୫୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । ହେଲେ ଏଭଳି ସୋସିଆଲ ମିଡିଆ ବ୍ୟବହାର ପାଇଁ ସରକାରଙ୍କର କୌଣସି ନିର୍ଦ୍ଦେଶାବଳୀ ନଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟ କରିଦେଇଛନ୍ତି ।

ସରକାରୀ ବିଭାଗରେ ସୋସିଆଲ ମିଡିଆର ବ୍ୟବହାର ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ବିଭିନ୍ନ ବିଭାଗ ଦ୍ୱାରା ସୋସିଆଲ ମିଡିଆ ବ୍ୟବହାର ପାଇଁ ସରକାରଙ୍କ ଦ୍ୱାରା କୌଣସି ଏକାକୀ ନିୟମ କିମ୍ବା ନିର୍ଦ୍ଦେଶାବଳୀ ଜାରି କରାଯାଇନାହିଁ । ବିଭାଗଗୁଡିକ ନିଜସ୍ୱ ଆବଶ୍ୟକତା, ପ୍ରଚାର କାର୍ଯ୍ୟ ଓ ସାମଗ୍ରିକ ଯୋଗ୍ୟତା ଅନୁସାରେ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି ।

କେତେକ ସ୍ଥାନରେ ବିଭାଗ ଦ୍ୱାରା ବେସରକାରୀ ସଂସ୍ଥାକୁ ସୋସିଆଲ ମିଡିଆ ପରିଚାଳନା , ବିଶ୍ଲେଷଣ ଓ ପ୍ରାଯୁକ୍ତିକ ସହାୟତା ପାଇଁ ନିୟୋଜିତ କରାଯାଇଛି । ଏହି ପ୍ରକାର ନିୟୋଜନ ବିଭାଗର ଅର୍ଥନୈତିକ ବ୍ୟବସ୍ଥା ଅନୁସାରେ କରାଯାଇଥାଏ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରୁ ଜଣାଯାଇଛି ଯେ ସୋସିଆଲ ମିଡିଆ ବ୍ୟବହାର ବାବଦରେ ସମବାୟ ବିଭାଗ ସର୍ବାଧିକ ୫୩ଲକ୍ଷ ୧୦ ହଜାର ଟଙ୍କା ବ୍ୟୟ କରୁଥିବାବେଳେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏଥିପାଇଁ ୪୯ଲକ୍ଷ ୫୬ହଜାର ଟଙ୍କା ଖର୍ଚ୍ଚ କରୁଛିା

ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୋସିଆଲ ମିଡିଆ ପାଇଁ ୨୬ଲକ୍ଷ ୫୫ହଜାର ଟଙ୍କା ଲେଖାଁଏ ଖର୍ଚ୍ଚ କରୁଛନ୍ତି । ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ବିଭାଗ ବିଭାଗ ଏ ବାବଦରେ ୧୭,୬୪,୬୨୪ ଟଙ୍କା ଖର୍ଚ୍ଚ କରୁଛି । ଏଭଳି ସ୍ଥିତିରେ କିନ୍ତୁ ଗ୍ରାମ୍ୟ ଉନ୍ନୟନ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଓ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ନିଜ କର୍ମଚାରୀଙ୍କ ଦ୍ୱାରା ସୋସିଆଲ ମିଡିଆ ପରିଚାଳନା କରୁଥିବାରୁ ଏ ବାବଦରେ ଟଙ୍କାଟିଏ ଖର୍ଚ୍ଚ କରୁନଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି । (ତଥ୍ୟ)