ଭୁବନେଶ୍ୱର: ସୂଚନା ଏପରି ଏକ ମାଧ୍ୟମ ଯାହାଦ୍ୱାରା ଆଜି ମଣିଷ ପ୍ରଗତି ପଥରେ ଆଗେଇ ଚାଲିଛି । ପୂର୍ବରୁ ଲୋକଙ୍କୁ କୌଣସି ବିଷୟରେ ଜାଣିବା ପାଇଁ ଅନେକ ପ୍ରୟାସ କରିବାକୁ ପଡ଼ୁଥିଲା । କିନ୍ତୁ ବର୍ତମାନ ଇଂଟରନେଟ ଯୁଗରେ ସୂଚନା ଏବେ ହାତ ପାହନ୍ତାରେ ଉପଲବ୍ଧ । କିନ୍ତୁ ସେହି ସୂଚନା ଠିକ୍ ନା ଭୁଲ୍ ତାହା ନିର୍ଣ୍ଣୟ କରିବା ଏବେ ମୁସ୍କିଲ୍ ବ୍ୟାପାର ହୋଇପଡ଼ିଛି ।
ଆଜି ବିଭିନ୍ନ ସମ୍ବାଦ ସମଗ୍ର ବିଶ୍ୱର କୋଣ ଅନୁକୋଣରେ ପହଂଚିବା ପାଇଁ ଦୂରତା ବା ସମୟ କିଛି ବି ଲାଗୁନି । ସବୁ କିଛି ହାତ ପାହାନ୍ତାରେ ମିଳୁଛି । କେବଳ ଖବରକାଗଜ, ପତ୍ରିକା, ଟିଭି ବା ରେଡିଓ ନୁହେଁ ସୋସିଆଲ୍ ମିଡିଆରେ ଆମେ ୨୪ ଘଂଟା ନ୍ୟୁଜ୍ ସହିତ ସଂଶ୍ଳିଷ୍ଟ ।
ଠିକ୍ ସୂଚନା ହିଁ ଆମ ପାଇଁ ଉପଯୋଗୀ ଓ ହିତକାରୀ । କାରଣ ଭାରତ ପରି ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହାର ପ୍ରଭାବ ଗୁରୁତ୍ୱପୂର୍ଣ୍ଣ । ଗୋଟେ ମିିଥ୍ୟା ଖବରର ପ୍ରଭାବ କେବଳ ବ୍ୟକ୍ତି ବା ବ୍ୟକ୍ତିତ୍ୱ ନୁହେଁ ବରଂ ପୁରା ସମାଜ ଉପରେ ଗଭୀର ରେଖାପାତ କରେ । ଯଦିଓ ଆଜି ଆମେ ସଭ୍ୟ ଶିକ୍ଷିତ ବା ସମୟ ସହ ଅଭିଜ୍ଞ ହୋଇଛେ ତଥାପି ଆମେ ଫେକ୍ ନ୍ୟୁଜ୍ ବା ମିଥ୍ୟା ଖବରର ଜାଲରୁ ମୁକ୍ତ ହୋଇ ପାରିନାହୁଁ ।
ଖାସ ଏହି ସମସ୍ୟାକୁ ବିଶ୍ଲେଷଣ କରିବା ନିହାତି ଜରୁରୀ ହୋଇପଡ଼ିଥିବା ବେଳେ ଏହି ପ୍ରୟାସରେ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ରେ ପ୍ରସାରିତ ହେଉଛି ଫ୍ୟାକ୍ଟ ଶାଲା କାର୍ଯ୍ୟକ୍ରମ । ପ୍ରତ୍ୟେକ ଶନିବାର ଓ ରବିବାର ସକାଳ ୭ଟା, ଅପରାହ୍ଣ ୧ଟା ଏବଂ ସନ୍ଧ୍ୟା ୭ଟାରେ ଏହି କାର୍ଯ୍ୟକ୍ରମ ରେଡିଓ ମାଧ୍ୟମରେ ପ୍ରସାରିତ ହେଉଛି । ଏହି ପ୍ରୟାସରେ ବିଭିନ୍ନ ବର୍ଗର ଅଭିଜ୍ଞମାନେ ଆମ ସହ ଯୋଡି ହୋଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ସୂଚନା (ଇନଫର୍ମେସନ୍) ସମ୍ପର୍କରେ ଆଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ, ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଲୋକ ସମ୍ପର୍କ ନିର୍ଦ୍ଦେଶକ ପରେଶ ଦାସ । ତାଙ୍କ ସହିତ ଆରଜେ ସବ୍ନମ୍ ଏ ନେଇ ବିଶେଷ ଆଲୋଚନା କରିଛନ୍ତି । ସେହିପରି ଏକତରଫା ସମ୍ବାଦ ପରିବେଷଣ (ବାୟେସଡ ନ୍ୟୁଜ୍) ସମ୍ପର୍କରେ ସାମ୍ବାଦିକା ତଥା ସୋଆର ଲୋକ ସମ୍ପର୍କ ଅଧିକାରୀ ଶୁଭଦର୍ଶିନି ମିଶ୍ର । ତାଙ୍କ ସହିତ ଆରଜେ କେପି ଏବଂ ଆରଜେ ସବନମ୍ ବିସ୍ତୃତ ଆଲୋଚନା କରିଥିଲେ ।
ସେହିପରି ସମ୍ବାଦ କ’ଣ (ହ୍ୱାଟ ଇଜ୍ ନ୍ୟୁଜ୍) ଏ ନେଇ ଆଲୋଚନା କରିଥିଲେ ‘ସମ୍ବାଦ’ର ଯାଜପୁର ଏଡିସନର ଚିଫ୍ କୋ-ଏଡିଟର୍ ସୁଦାମବନ୍ଧୁ ଭଟ୍ଟମିଶ୍ର । ତାଙ୍କ ସହିତ ଆରଜେ ସବନମ୍ ଏବଂ ଆରଜେ କେପି ଆଲୋଚନା କରିଥିଲେ । ସେହିପରି ସମ୍ବାଦକୁ ଠିକ୍ ଭାବେ ତଦାରଖ କରି ପରିବେଷଣ କରିବା (ଷ୍ଟପ୍, ଚେକ୍, ଗୋ ଆହେଡ) ସମ୍ପର୍କରେ ଆଲୋଚନା କରିଥିଲେ ନ୍ୟୁଜ୍୭ ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ ।
ସମ୍ବାଦର ସୂତ୍ର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ଆରଜେ ସବନମ୍, ଆରଜେ ରମାବଲ୍ଲଭ ଓ ଆରଜେ କେପି । ସେହିପରି ଭୁଲ୍ ସମ୍ବାଦକୁ ଭିତି କରି କିଭଳି ସମ୍ବାଦ ପରିବେଷଣ କରାଯାଉଛି ସେ ନେଇ ଆଲୋଚନା କରିଥିଲେ ଆରଜେ ରମାବଲ୍ଲଭ, ଆରଜେ ଗୌର ଏବଂ ଆରଜେ ସବନମ୍ । ଏଥି ସହିତ ନ୍ୟାରୋ କାଷ୍ଟିଂ ଜରିଆରେ ସୋଆ ରେଡିଓ ଆଖପାଖ ବିଭିନ୍ନ ଅଂଚଳକୁ ଯାଇ ଏ ସମ୍ବନ୍ଧରେ ଜନ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି ।