Home General ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ “ପଖାଳ ଉତ୍ସବ”

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ “ପଖାଳ ଉତ୍ସବ”

ଭୁବନେଶ୍ୱର : ଓଡିଶାର ପାରମ୍ପରିକ ଖାଦ୍ୟ “ପଖାଳ” ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଘରେ ବେଶ ଆଦୃତ ଓ ପ୍ରିୟ ଖାଦ୍ୟ । ଯଦିଓ ଖରାଦିନେ ଏହା ଖାଇବାକୁ ବେଶି ଭଲ ଲାଗେ ତେବେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବର୍ଷକ ବାର ମାସ ଲୋକମାନେ ପଖାଳ ଖାଇବାକୁ ଭଲ ପାଇଥାନ୍ତି ।

ଏହି ଖାଦ୍ୟକୁ ଅଧିକ ମାତ୍ରାରେ ପ୍ରସାରିତ ଓ ଆଦୃତ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ପକ୍ଷରୁ ଶିକ୍ଷା ଅନୁଷ୍ଠାନରେ ଏପ୍ରିଲ୍ ୧ ରୁ ୬ ତାରିଖ ପର୍ଯ୍ୟନ୍ତ ୬ ଦିନ ବ୍ୟାପି “ପଖାଳ ଉତ୍ସବ”ର ଆୟୋଜନ କରାଯାଇଛି ।

ଏହି ଉତ୍ସବରେ ଅତିଥିମାନଙ୍କୁ ପଖାଳ ସହିତ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଓଡ଼ିଆ ବ୍ୟଞ୍ଜନ ପରିବେଷଣ କରାଯିବ । ଓଡିଶାର ଗ୍ରାମୀଣ ସଂସ୍କୃତି, ପରମ୍ପରା, ଖାଦ୍ୟରୁଚି, ଜୀବନଚର୍ଯ୍ୟା ତଥା କଳା କୌଶଳର ଏକ ଜୀବନ୍ତ ରୁଚିର ଉପସ୍ଥାପନା ଏହି ପଖାଳ ଉତ୍ସବରେ ଦେଖିବାକୁ ମିଳିବ ।

ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟର ଆଡଭାଇଜର ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କ ତତ୍ୱାବଧାନ ଓ ସମସ୍ତ ଫାକଲ୍ଟି ମେମ୍ବର, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ ପ୍ରତ୍ୟେକ ବର୍ଷ ଏହି ପଖାଳ ଉତ୍ସବ ପାଳନ ହୋଇଆସୁଥିବା ବେଳେ ଗତ ୨ବର୍ଷ ଧରି କୋଭିଡ ମହାମାରୀ ଯୋଗୁଁ ଏହି ଉତ୍ସବକୁ ସ୍ଥଗିତ ରଖାଯାଇଥିଲା ।

ପାରମ୍ପରିକ ବ୍ୟଞ୍ଜନ ପରିବେଷଣ ସହିତ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପ୍ରତ୍ୟେକ ଓଡିଆଙ୍କ ଖାଦ୍ୟରୁଚି ତଥା ଓଡିଆଙ୍କ ଭାବଧାରାକୁ ସର୍ବସାଧାରଣଙ୍କ ନିକଟରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବା ହେଉଛି ଏହି ପଖାଳ ଉତ୍ସବ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଫେସର ମିଶ୍ର କହିଛନ୍ତି ।

ଅତିଥିମାନଙ୍କୁ ଏସ୍‌ଏଚ୍‌ଏମ୍ ର ରେଷ୍ଟୁରାଂଟ ପରିସରରେ ୬ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ପଖାଳ ଉତ୍ସବରେ ଦିନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପଖାଳ ପରସା ଯିବ । ଏହାର ମୂଲ୍ୟ ୨୦୦ ଟଙ୍କା ରଖାଯାଇଛି ।

ଏହି ପଖାଳ ଉତ୍ସବରେ ପାରମ୍ପରିକ ଉଷୁନା ପଖାଳ, ଅରୁଆ ପଖାଳ, ଦହି ପଖାଳ, ଲେମ୍ବୁ ପଖାଳ, ଆମ୍ବ ପଖାଳ ସହିତ ପଖାଳ ଭାତକୁ ସୁହାଇଲା ଭଳି ବିଭିନ୍ନ ପ୍ରକାର ଆମିଷ ଓ ନିରାମିଷ ବ୍ୟଞ୍ଜନ ଯେପରିକି – ମାଛ ପତ୍ରପୋଡା, ଚିଙ୍ଗୁଡି ଛେଚା, ଖଇଙ୍ଗା ଶୁଖୁଆ ଭଜା, ଛତୁ ପତ୍ର-ପୋଡା, ଆଳୁ ଭଜା, ବାଇଗଣ ଭରତା, ଗୋଟା କଲରା ଭଜା, କଖାରୁ ଫୁଲ ପିଠଉ, ଶାଗ ବଡି ଭଜା ଓ ବଡି ଚୁରା ପରିବେଷଣ କରାଯିବ । ଓଡିଶା ର ଜନସାଧାରଣଙ୍କ ଖାଦ୍ୟ ରୁଚିକୁ ଲକ୍ଷ୍ୟ କରି ମିଠା ପାନ ପରିବେଷଣର ବ୍ୟବସ୍ଥା ମଧ୍ୟ ରହିବ ।