ଭୁବନେଶ୍ୱର : ସରକାରୀ ମହାବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ପ୍ରଚଳନ ଏବେ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ କାଳ ହୋଇଛି । ଭିତ୍ତିଭୂମି ସଙ୍କଟ ଯୋଗୁଁ କଲେଜର ନିଜସ୍ୱ ଛାତ୍ରଛାତ୍ରୀମାନେ ବସିବାକୁ ବି ଟିକେ ସ୍ଥାନ ପାଉ ନାହାନ୍ତି ।
ରାଜଧାନୀର ଦୁଇ ପ୍ରମୁଖ ସରକାରୀ କଲେଜ ବିଜେବି ଓ ରାଜଧାନୀରେ ଏଭଳି ସ୍ଥିତି ପରିଲକ୍ଷିତ ହୋଇଛି । ଏହିସବୁ ସରକାରୀ କଲେଜରେ ଏମବିଏ, ବିବିଏ, ବିସିଏ ଭଳି ପାଠ୍ୟକ୍ରମ ପ୍ରଚଳନ କରୁଛନ୍ତି । ବିଭିନ୍ନ ସଂସ୍ଥା ଦାୟିତ୍ୱରେ ଏହିସବୁ ପାଠ୍ୟକ୍ରମ ଥିବାବେଳେ ସେମାନେ ଏଥିପାଇଁ ମୋଟା ଅଙ୍କର ଅର୍ଥ ଆଦାୟ କରୁଛନ୍ତି । ନାମଲେଖା ଠାରୁ ଶିକ୍ଷକ ନିଯୁକ୍ତି ପର୍ଯ୍ୟନ୍ତ ସମ୍ପୃକ୍ତ ସଂସ୍ଥା କରୁଥିବାବେଳେ କଲେଜର ଭିତ୍ତିଭୂମି ବ୍ୟବହାର କରୁଛନ୍ତି । ତେବେ ଏମାନଙ୍କର କେତେ ଭିତ୍ତିଭୂମି ଆବଶ୍ୟକ ଓ କଲେଜର କେତେ ଭିତ୍ତିଭୂମି ଉପଲବ୍ଧ ତାହାକୁ ନଜର ନଦେଇ ସମ୍ପୃକ୍ତି ସଂସ୍ଥାଗୁଡିକୁ ଅନୁମତି ଦିଆଯାଇଛି ।
ଯାହାର ଫଳ ସ୍ୱରୂପ ଏବେ ରାଜ୍ୟର ନାମୀ ଦାମୀ ସରକାରୀ କଲେଜଗୁଡିକରେ ଛାତ୍ରଛାତ୍ରୀମାନେ ବସି ପାଠପଢିବାପାଇଁ ନାକେଦମ ହେଉଛନ୍ତି । ଗତ ଶିକ୍ଷାବର୍ଷରୁ ରାଜଧାନୀ ମହାବିଦ୍ୟାଳୟରେ ଏକାଧିକ ନୂତନ ପାଠ୍ୟକ୍ରମ ଖୋଲାଯିବା ସହିତ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଶ୍ରେଣୀରେ ଆସନ ସଂଖ୍ୟା ବୃଦ୍ଧି କରାଯାଇଛି । ଫଳରେ କଲେଜରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଢେର ବଢିଛି ।
ବର୍ତ୍ତମାନ ଏହି କଲେଜର ନିଜସ୍ୱ ଛାତ୍ରଛାତ୍ରୀମାନେ ପାଠ ପଢିବାକୁ ଶ୍ରେଣୀକକ୍ଷଟିଏ ପାଉନାହାନ୍ତି । ସେମାନଙ୍କୁ ଯେଉଁ କୋଠରୀ ଦିଆଯାଉଛି ସେଠାରେ ପୂର୍ବରୁ ଏହି ସେଲ୍ଫଫାଇନାନ୍ସିଂ ଛାତ୍ରଛାତ୍ରୀମାନେ ସ୍ଥାନ ଦଖଲ କରିନେଉଛନ୍ତି । ଏହାକୁ ନେଇ ଏବେ ପ୍ରତିଦିନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ଉପୁଜୁଥିବା ଲକ୍ଷ୍ୟ କରାଯାଉଛି ।
ଯେହେତୁ ସରକାର ବିଭିନ୍ନ ସଂସ୍ଥାକୁ ଏଭଳି ପାଠ୍ୟକ୍ରମ ଚଳାଇବାପାଇଁ ଅନୁମତି ଦେଇଛନ୍ତି ତେଣୁ କଲେଜ କର୍ତ୍ତୃପକ୍ଷ ମଧ୍ୟ ଏକ ପ୍ରକାର ହାତଟେକି ଦେଉଛନ୍ତି । ଯେଉଁଥିପାଇଁ ରାଜଧାନୀ କଲେଜରେ ଏବେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ପାଠପଢା ଚାଲୁଥିବାବେଳେ କେତେକ ସମୟରେ ପଢିବାପାଇଁ ଛାତ୍ରଛାତ୍ରୀମାନେ ଏ କକ୍ଷରୁ ସେ କକ୍ଷକୁ ଧାଉଁଛନ୍ତି । ପରୀକ୍ଷା ସମୟରେ କେତେକ ସ୍ଥଳରେ ପାଠପଢା ବାତିଲ କରିବାକୁ କର୍ତ୍ତୃପକ୍ଷ ବାଧ୍ୟ ହେଉଛନ୍ତି ।
ବିଭିନ୍ନ ସରକାରୀ କଲେଜରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଯୋଗୁଁ ଭିତ୍ତିଭୂମିର ସଙ୍କଟ ସହିତ ଛାତ୍ରଛାତ୍ରୀମାନେ ଯେଭଳି ହଇରାଣ ହରକତ ହେଉଛନ୍ତି ତାହା ଆଗାମୀ କଲେଜ ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ପାଲଟିବ ବୋଲି ବିଭିନ୍ନ ଛାତ୍ରନେତାମାନେ ଏବେ ଠାରୁ ସୂଚନା ଦେଲେଣି । ତେଣୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତୁରନ୍ତ ଯେଉଁସବୁ କଲେଜରେ ଏଭଳି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଖୋଲିଛି ସେଠାରେ ଭିତ୍ତିଭୂମିକ ସମୀକ୍ଷା ତୁରନ୍ତ ବ୍ୟବସ୍ଥା କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)