ଭୁବନେଶ୍ୱର : ଅନ୍ୟର ସେବାରୁ ନିର୍ମଳ ଆନନ୍ଦ ମିଳେ । ବ୍ୟକ୍ତିଗତ ଖୁସିର ସାର୍ବଜନୀନ ପରିପ୍ରକାଶ ହେଉଛି ସେବା । ଏହାର ଆଧାର ହେଉଛି ଉଭୟ ଭାବ ଓ ଆବେଗ । ଏହା ଆମ ଜୀବନର ଧ୍ୟେୟ ହେବା ଉଚିତ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସେଣ୍ଟ୍ ଜନ ଆମ୍ବୁଲାନ୍ସ, ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ବୈଠକରେ ସଭାପତିତ୍ୱ କରି ପ୍ରକାଶ କରିଛନ୍ତି।
ଆଜି ରାଜଭବନରେ ଅନୁଷ୍ଠିତ କାର୍ଯ୍ୟ ନିର୍ବାହୀ ବୈଠକରେ ସେଣ୍ଟ୍ ଜନ ଆମ୍ବୁଲାନ୍ସର ଲକ୍ଷ୍ୟ ଓ ଆଦର୍ଶ ପରିପୂରଣ ନିମନ୍ତେ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି । ଏହାକୁ ଆହୁରି କ୍ରିୟାଶୀଳ ଓ ସମୟ ଉପଯୋଗୀ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।
ସେଣ୍ଟ୍ ଜନ ଆମ୍ବୁଲାନ୍ସର ସେବା ପରିସରକୁ ଆହୁରି ବ୍ୟାପଜ କରିବା ସହିତ ଗୁଣାତ୍ମକ ସେବା ଯୋଗାଣ ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟମାନଙ୍କରେ ପ୍ରାଥମିକ ଚିକିତ୍ସା ତାଲିମପ୍ରଦାନ ,ନିଜସ୍ୱ କାର୍ଯ୍ୟାଳୟ ଗୃହ ପୋଲିସ ହାଉସିଂ କରପୋରେସନ୍ ଦ୍ୱାରା ନିର୍ମାଣ କରାଯିବା ଏବଂ ପ୍ରାଥମିକ ଚିକିତ୍ସା ତାଲିମ ପ୍ରମାଣ ପତ୍ରକୁ ସମ୍ପୂର୍ଣ୍ଣ ଡ଼ିଜିଟାଇଜେସନ୍ କରାଯିବା ପାଇଁ ନିଷ୍ପତି ହୋଇଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ସେଣ୍ଟ୍ ଜନ ଆମ୍ବୁଲାନ୍ସର ଅଧ୍ୟକ୍ଷ ନବକିଶୋର ଦାସ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବର୍ତମାନର ସ୍ଥିତି ଓ ଭବିଷ୍ୟତର କାର୍ଯ୍ୟ ପନ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ଅନୁଷ୍ଠାନର ଅବୈତନିକ ସଚିବ ଡ଼.ସନତ କୁମାର ପଟ୍ଟନାୟକ ବିବରଣୀ ଉପସ୍ଥାପନ କରିଥିଲେ ।
ଏହି ବୈଠକରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର , ଅଗ୍ନିଶମ ଓ ହୋମଗାର୍ଡର ମହା ନିର୍ଦ୍ଦେଶକ ତଥା ସେଣ୍ଟ୍ ଜନ ଆମ୍ବୁଲାନ୍ସର ଉପାଧ୍ୟକ୍ଷ ଅରୁଣ ବୋଥ୍ରା , ସମାଜ ମଙ୍ଗଳ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ଆଲୋଚନାର ଅଂଶଗ୍ରହଣ କରିଥିଲେ ।