ଭୁବନେଶ୍ୱର : ରାଜ୍ୟରେ ନିଶାମୁକ୍ତ ଭାରତ କାର୍ଯ୍ୟକ୍ରମକୁ ୫ବର୍ଷ ପୂରିଥିବାବେଳେ ମଦ୍ୟପଙ୍କ ସଂଖ୍ୟା କମିବା ପରିବେର୍ତ୍ତ ବଢି ବଢି ଲାଗିଛି । ରାଜ୍ୟରେ ବୃଦ୍ଧି ପାଉଥିବା ମଦ କାରବାର ଓ ଅବକାରୀ ରାଜସ୍ୱ ଆଦାୟରୁ ଏହା ଜଳ ଜଳ ହୋଇ ଦିଶୁଛି ।
୨୦୨୦ ଅଗଷ୍ଟ ୧୫ ତାରିଖରୁ କେନ୍ଦ୍ର ସରକାରଙ୍କ ନିଶାମୁକ୍ତି ଯୋଜନାରେ ଓଡିଶାର ୧୦ଟି ଜିଲ୍ଲା ସାମିଲ ହୋଇଥିଲା । ନିଶା ବିରୁଦ୍ଧରେ ଲୋକଙ୍କୁ ସଚେତନ କରିବାପାଇଁ କେନ୍ଦ୍ର ସରକାର ପ୍ରତି ଜିଲ୍ଲାକୁ ୧୦ଲକ୍ଷ ଟଙ୍କା କରି ଯୋଗାଇ ଦେଇଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟର ଆଉ ୨୦ଟି ଜିଲ୍ଲା ଏହି କେନ୍ଦ୍ରୀୟ କାର୍ଯ୍ୟକ୍ରରେ ଅର୍ନ୍ତଭୁକ୍ତ ହୋଇଥିଲା ।
କେନ୍ଦ୍ର ସରକାରଙ୍କର ଏହି କାର୍ଯ୍ୟକ୍ରମ ଟି ହେଉଛି ଜନସମାଜ ବିଶେଷକରି ଯୁବପୀଢିଙ୍କୁ ନିଶା ସେବନ ଠାରୁ ଦୂରେଇ ରଖିବା । କାରଣ ବିକଶିତ ଭାରତ ଗଠନ ପାଇଁ ଏକ ନିଶାମୁକ୍ତ ଯୁବ ସମାଜର ବିଶେଷ ଆବଶ୍ୟକତା ରହିଛି । ହେଲେ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବାର ୫ବର୍ଷ ପରେ ମଦ ବ୍ୟବସାୟ କମିବା ପରିବର୍ତ୍ତେ ବଢିବାରେ ଲାଗିଛି ।
ସରକାରୀ ସୂଚନା ଅନୁଯାୟୀ ରାଜ୍ୟର ଲୋକମାନେ ୨୦୨୨-୨୩ ବର୍ଷରେ ୭୮୫ ଲକ୍ଷ ଲିଟର ଭାରତ ତିଆରି ବିଦେଶୀ ମଦ ପିଇଯାଇଥିବାବେଳେ ୨୦୨୩-୨୪ ବର୍ଷରେ ଏହି ପରିମାଣ ୭୯୩ଲକ୍ଷ ଲିଟର ଓ ୨୦୨୪-୨୫ ବର୍ଷରେ ୮୪୦ଲକ୍ଷ ଲିଟରକୁ ଟପିଥିଲା । ସେହିଭଳି ବିୟର ସେବନ ପରିମାଣ ଏହି ତିନିବର୍ଷ ମଧ୍ୟରେ ୧୨୦୯ ଲକ୍ଷ ଲିଟରରୁ ୧୬୭୮ଲକ୍ଷ ଲିଟରରେ ପହଞ୍ଚିଥିଲା ।
କେବଳ ବିଦେଶୀ ମଦ କିମ୍ବା ବିୟର ନୁହେଁ, ରାଜ୍ୟରେ ଦେଶୀମଦ ସେବନ ପରିମାଣ ୨୦୨୨-୨୩ ବର୍ଷରେ ୧୪୨ଲକ୍ଷ ଲିଟର ଥିବାବେଳେ ୨୦୨୪-୨୫ରେ ତାହା ୧୮୩ଲକ୍ଷ ଲିଟରକୁ ଅତିକ୍ରମ କରିଛି । ତେବେ ବାହାର ଭାଟି ଦେଶୀ ମଦ ସେବନରେ କିଛିଟା ହ୍ରାସ ପରିଲକ୍ଷିତ ହୋଇଛି । ୨୦୨୨-୨୩ ବର୍ଷରେ ରାଜ୍ୟରେ ଲୋକମାନେ ୧୩୭୧ଲକ୍ଷ ଲିଟର ବାହାର ଭାଟି ମଦ ପିଇଥିବାବେଳେ ୨୦୨୪-୨୫ ବର୍ଷରେ ଏହା ୧୩୧୪ଲକ୍ଷ ଲିଟରରେ ସୀମିତ ରହିଛି ।
ଲୋକମାନଙ୍କର ବିଭିନ୍ନ କିସମର ମଦ ପିଇବା ସହିତ ତାଳ ଦେଇ ସରକାରଙ୍କର ଅବକାରୀ ରାଜସ୍ୱ ଆଦାୟ ମଧ୍ୟ ବଢିବାରେ ଲାଗିଛି । ୨୦୨୨-୨୩ ବର୍ଷରେ ରାଜ୍ୟ ସରକାର ଅବକାରୀ ରାଜସ୍ୱ ବାବଦରେ ୬୪୫୫ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ୨୦୨୩-୨୪ ବର୍ଷରେ ଏହା ୭୨୧୭ କୋଟି ଟଙ୍କାକୁ ବଢିଥିଲା ଏବଂ ୨୦୨୪-୨୫ ବର୍ଷରେ ଏହା ୮୧୯୫ କୋଟି ଟଙ୍କାକୁ ଟପିଯାଇଥିଲା । ଅବକାରୀ ରାଜସ୍ୱର ସିଂହଭାଗ ମଦରୁ ହିଁ ଆସିଥାଏ ।
ଗୋଟିଏ ପଟେ ରାଜ୍ୟରେ କେନ୍ଦ୍ର ସରକାରଙ୍କ ନିଶାମୁକ୍ତ ଯୋଜନାରେ ଲୋକଙ୍କୁ ସଚେତନ ବାବଦରେ ଲକ୍ଷାଧିକ ଟଙ୍କା ବ୍ୟୟରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଥିବାବେଳେ ଅନ୍ୟପଟେ ମଦ ବିକ୍ରି ବଢି ଚାଲିବା ଏବେ କର୍ତ୍ତୃପକ୍ଷଙ୍କୁ ଅଡୁଆରେ ପକାଇଛି । ସରକାର ରାଜ୍ୟ ଯୁବ ନୀତିରେ ନିଶା ମୁକ୍ତ ଗାଁ ଉପରେ ଜୋର ଦେଇଥିବାବେଳେ ଏହା ମଧ୍ୟ ଯୁବଗୋଷ୍ଠିଙ୍କୁ ନିଶାଠାରୁ ଦୂରେଇ ରଖିପାରୁ ନାହିଁ । ତେଣୁ ଉଭୟ କେନ୍ଦ୍ର ସରକାରଙ୍କ ନିଶାମୁକ୍ତ ଯୋଜନା ଓ ରାଜ୍ୟ ସରକାରଙ୍କ ଯୁବନୀତି ଅନୁଯାୟୀ ଯୁବଗୋଷ୍ଠି କିଭଳି ନିଶା ଠାରୁ ଦୂରେଇ ରହିବେ ସେ ଦିଗରେ ରାଜ୍ୟ ସରକାର ଠୋସ୍ ପଦକ୍ଷେପ ଗ୍ରହଣ ପାଇଁ ନିଶାମୁକ୍ତି କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ମତ ପ୍ରଦାନ କରୁଛନ୍ତି । (ତଥ୍ୟ)

