Home Agriculture ସୂର୍ଯ୍ୟମୁଖୀ ଚାଷ ଜଡା ଠାରୁ କମ୍‍

ସୂର୍ଯ୍ୟମୁଖୀ ଚାଷ ଜଡା ଠାରୁ କମ୍‍

ଭୁବନେଶ୍ୱର : ଚଳିତ ଖରିଫ ଋତୁରେ ରାଜ୍ୟରେ ଯେତିକି ପରିମାଣ ଜମିରେ ଜଡା ଚାଷ ହୋଇଛି ତାହାଠାରୁ ଢେର କମ୍‍ ପରିମାଣ ଜମିରେ ଚାଷୀମାନେ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି । ବର୍ଷ ସାରା ଖାଇବା ତେଲ ପାଇଁ ନିର୍ଭରଶୀଳ ଓଡିଶାରେ ସୂର୍ଯ୍ୟମୁଖୀ ଚାଷର ଏଭଳି ଗତି ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।

ଚଳିତ ଖରିଫ ଋତୁରେ ଚାଷ ଓ ଉତ୍ପାଦନର ଲକ୍ଷ୍ୟ ସଂକ୍ରାନ୍ତରେ ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ ୨୦୨୪ ଖରିଫ ଋତୁରେ ରାଜ୍ୟରେ ପାଖପାଖି ୫ହଜାର ହେକ୍ଟର ଜମିରେ ଅନ୍ୟତମ ତୈଳବୀଜ ଜଡା ଚାଷ ହୋଇଛି । ଏହି ଚାଷରେ ହେକ୍ଟର ପିଛା ୬୧୮ କିଲୋ ଜଡା ଉତ୍ପାଦନ ହିସାମରେ ୩ହଜାର ମେଟ୍ରିକ ଟନ୍‍ରୁ ଅଧିକ ଜଡା ଉତ୍ପାଦିତ ହେବ । ତେବେ ଏହି ଖରିଫ ଋତୁରେ ରାଜ୍ୟରେ ମାତ୍ର ୧.୩୦ ହଜାର ହେକ୍ଟର ଜମିରେ ସୂର୍ଯ୍ୟମୁଖୀ ଚାଷ ହୋଇଛି । ଏଥିରେ ହେକ୍ଟର ପିଛା ୮୦୮ କିଲୋ ହିସାବରେ ଏକ ହଜାର ମେଟ୍ରିକ ଟନ୍‍ ସୂର୍ଯ୍ୟମୁଖୀ ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି ।

ଉଲ୍ଲେଖନୀୟ ଯେ ରାଜ୍ୟରେ ଖାଇବାତେଲ ବଜାରରେ ସୂର୍ଯ୍ୟମୁଖୀର ଚାହିଦା ଢେର ଅଧିକ ରହିଛି । ସୋରିଷ ତେଲ ତୁଳନାରେ ଏହାର ଦର କମ୍‍ ରହିବା ସହିତ ପତଳା ତେଲ ହୋଇଥିବାରୁ ସବୁ କିସମର ରୋଷେଇରେ ଏହାର ବ୍ୟବହାର ହେଉଛି । ଓଡିଶାରେ ବିକ୍ରି ହେଉଥିବା ସୂର୍ଯ୍ୟମୁଖୀ ସାଧାରଣତଃ ରାଜ୍ୟ ବାହାରୁ ହିଁ ଆସୁଛି । ସମଗ୍ର ଦେଶରେ ଏହାର ଚାହିଦାକୁ ଦେଖି ଭାରତ ସରକାର ପ୍ରତିବର୍ଷ ବିଦେଶରୁ ବିପୁଳ ପରିମାଣର ସୂର୍ଯ୍ୟମୁଖୀତେଲ ଆମଦାନୀ କରୁଛନ୍ତି ।

ଚାହିଦା ଥିବା ଏହି ଖାଇବାତେଲ ସୂର୍ଯ୍ୟମୁଖୀ ଚାଷ ପାଇଁ ଓଡିଶାର ଜଳବାୟୁ ବେଶ୍‍ ଅନୁକୂଳ ଥିବାବେଳେ ଚାଷୀମାନେ କିନ୍ତୁ ଏଥି ପ୍ରତି ବିମୁଖ । ଜୈବ ଡିଜେଲ ପାଇଁ ବ୍ୟବହାର ହେଉଥିବା ଜଡା ଚାଷ ତୁଳନାରେ ସୂର୍ଯ୍ୟମୁଖୀ ଅତ୍ୟନ୍ତ ନଗଣ୍ୟ ପରିମାଣରେ ଚାଷ କରାଯାଉଛି । ଅନ୍ୟ ତୈଳବୀଜ ମଧ୍ୟରେ ୨୦୨୪ ଖରିଫରେ ୭୧.୪୧ ହଜାର ହେକ୍ଟର ଜମିରେ ଚିନାବାଦାମ ଚାଷ ହୋଇଥିବାବେଳେ ୫୮.୨୦ ହଜାର ହେକ୍ଟର ଜମିରେ ରାଶି ଚାଷ କରାଯାଇଛି ।

ଅନ୍ୟାନ୍ୟ ଚାଷ ମଧ୍ୟରେ ୨୦୨୪ ଖରିଫ ଋତୁରେ ୬୨.୮୯ ହଜାର ହେକ୍ଟର ଜମିରେ ଲଙ୍କା ଚାଷ ହୋଇଥିବାବେଳେ ୩୫.୨୭ ହେକ୍ଟର ଜମିରେ ହଳଦୀ, ୨୬.୮୦ ହଜାର ହେକ୍ଟର ଜମିରେ ଅଦାଚାଷ କରାଯାଇଛି । ସେହିଭଳି ୩୬.୬୫ ହଜାର ହେକ୍ଟର ଜମିରେ ମିଠାଆଳୁ ଚାଷ ମଧ୍ୟ ହୋଇଛି ।

ଡାଲି ଜାତୀୟ ଫସଲ ଉପରେ ଅଗ୍ରାଧିକାର ଦିଆଯିବା ସହିତ ୧୪୮ ହଜାର ହେକ୍ଟର ଜମିରେ ହରଡ, ୨୦୨ ହଜାର ହେକ୍ଟର ଜମିରେ ମୁଗ, ୧୮୦ହଜାର ହେକ୍ଟର ଜମିରେ ବିରି, ୫୪ହଜାର ହେକ୍ଟର ଜମିରେ ବରୁଗୁଡି ଚାଷ ହୋଇଥିବାବେଳେ ୮୫ ହଜାର ହେକ୍ଟର ଜମିରେ କୋଳଥ ଓ ଅନ୍ୟାନ୍ୟ ଡାଲିଜାତୀୟ ଫସଲ ଚାଷ ହୋଇଛି । ଉଲ୍ଲେଖନୀୟ ଯେ ରାଜ୍ୟରେ ହରଡ ସହିତ ପ୍ରଚୁର ପରିମାଣରେ ବିରି, ମୁଗ ଆଦି ଉତ୍ପାଦନ ହେଉଥିବାବେଳେ ଡାଲି ପ୍ରକ୍ରିୟାକରଣ ଶିଳ୍ପ ଅଭାବରୁ ଓଡିଶାର ଏହି ଡାଲି ଅନ୍ୟ ରାଜ୍ୟରେ ପ୍ରକ୍ରିୟାକରଣ ହୋଇ ଆମ ରାଜ୍ୟରେ ଚଢା ଦରରେ ବିକ୍ରି ହେଉଛି ଏବଂ ହରଡ ଭଳି ଡାଲି ପାଇଁ ଆମେ ବର୍ଷସାରା ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛୁ । (ତଥ୍ୟ)