ଭୁବନେଶ୍ୱର : ଗତ ୨୫ବର୍ଷ ଭିତରେ ଓଡିଶାରେ ଗୋଟିଏ ହେଲେ ସୂତାକଳ କିମ୍ବା ଲୁଗାକଳ ବସାଯାଇନଥିବାବେଳେ ଏ କ୍ଷେତ୍ରରେ କାମ କରୁଥିବା ରାଜ୍ୟର କୁଶଳୀ କାରିଗର ଓ ଶ୍ରମିକମାନଙ୍କୁ ଅନ୍ୟ ରାଜ୍ୟରେ ଦାଦନ ଶ୍ରମିକ ଭାବେ ଖଟାଇ ସେଠାକାର ଅର୍ଥନୀତି ସୁଦୃଢ ହେଉଛି । ଅଥଚ ଓଡିଶାପାଇଁ ବାର୍ଷିକ ପ୍ରାୟ ୫୦ହଜାର କୋଟି ଟଙ୍କାର କପଡା ଦରକାର ବୋଲି କୁହାଯାଉଥିବାବେଳେ ଏଠାରେ ଏବେ ବର୍ଷକୁ ହଜାରେ କୋଟି ଟଙ୍କାର ହସ୍ତତନ୍ତ ସାମଗ୍ରୀ ବି ଉତ୍ପାଦିତ ହୋଇପାରୁନାହିଁ ।
ସରକାରୀ ଓ ବେସରକାରୀ ଉଦ୍ୟମରେ ଓଡିଶାରେ ୧୩ଟି ସୂତାକଳ ଓ ୧୩ଟି କଳତନ୍ତ ବୟନଶିଳ୍ପ ପ୍ରତିଷ୍ଠା କରାଯାଇଥିଲା । ଏ ସମସ୍ତ ସୂତାକଳ ଓ ଲୁଗାକଳ ବର୍ଷ ବର୍ଷ ଧରି ବନ୍ଦହୋଇ ପଡିଛି । ସରକାରଙ୍କ ଦ୍ୱାରା ପରିଚାଳିତ ଚୌଦ୍ୱାରର ଓଟିଏମ୍ ଓ ଝାରସୁଗୁଡାର ବିଟିଏମ୍ ଦୀର୍ଘବର୍ଷ ଧରି ଅଚଳହୋଇ ପଡିଛି । ସେହିଭଳି ବରଗଡର ଓଡିଶା ବୁଣାକାର ସମବାୟ ସୂତାକଳ, ଢେଙ୍କାନାଳ ଜିଲ୍ଲାର କଳିଙ୍ଗ ବୁଣାକାର ସମବାୟ ସୂତାକଳ, ବାଲେଶ୍ୱର ଜିଲ୍ଲାର ଗୋପୀନାଥ ବୁଣାକାର ସମବାୟ ସୂତାକଳ, ଜଗତ୍ସିଂହପୁର ଜିଲ୍ଲାର ଶ୍ରୀସାରଳା ବୁଣାକାର ସମବାୟ ସୂତାକାଳ, କଟକ ଜିଲ୍ଲାର ଶ୍ରୀଜଗନ୍ନାଥ ବୁଣାକାର ସମବାୟ ସୂତାକଳ ଓ ଖୋରଧା ଜିଲ୍ଲାର ଉତ୍କଳ ବୁଣାକାର ସମବାୟ ସୂତାକଳ ଅଚଳ ଅବସ୍ଥାରେ ପଡିଛି ।
ଅନ୍ୟ ପକ୍ଷରେ ସୁନ୍ଦରଗଡ, ବାରିପଦା, ଆସିକା, ସୋନପୁର ଓ ରାଇରଙ୍ଗପୁରରେ ଥିବା ଘରୋଇ ସୂତାକଳଗୁଡିକ ବି ବନ୍ଦହୋଇ ପଡିଛି । ଏହାଛଡା କେନ୍ଦ୍ରାପଡା, ମୟୁରଭଞ୍ଜ, ଖୋରଧା, ଗଞ୍ଜାମ, କଟକ, ଜଗତ୍ସିଂହପୁର, ବରଗଡ, ଢେଙ୍କାନାଳ, ସୁନ୍ଦରଗଡ, କଳାହାଣ୍ଡି ଆଦି ଜିଲ୍ଲାରେ ଥିବା ୧୩ଟି କଳତନ୍ତ ସମବାୟ ସମିତି ମଧ୍ୟ ସମ୍ପୂର୍ଣ୍ଣ ଅଚଳ ।
ଓଡିଶାର ଅବିଭକ୍ତ କଳାହାଣ୍ଡି, ଫୁଲବାଣୀ ଓ କୋରାପୁଟ ଆଦି ଜିଲ୍ଲାରେ ଉନ୍ନତ କିସମର କପା ଉତ୍ପାଦନ ହୋଇଥାଏ । ରାଜ୍ୟରେ ସୂତାକଳଗୁଡିକ କାର୍ଯ୍ୟକ୍ଷମ ଥିବାବେଳେ କପାଚାଷୀମାନେ ବେଶ୍ ଲାଭବାନ୍ ହେଉଥିଲେ । ଏହାକୁ ପ୍ରମୁଖ ଅର୍ଥକରୀ ଫସଲ ଭାବେ ଗ୍ରହଣକରି ନିଆଯାଉଥିଲା । ତେବେ ସୂତାକଳଗୁଡିକ ବନ୍ଦ ହୋଇଯିବାପରେ ରାଜ୍ୟ ଭିତରେ ଆଉ କପାର ଚାହିଦା ନାହିଁ । ତେଣୁ ଯେଉଁ ଚାଷୀମାନେ ଋଣ କରି କପାଚାଷ କରୁଛନ୍ତି ସେମାନେ ଉତ୍ପାଦିତ କପାକୁ ଉଚିତ୍ ମୂଲ୍ୟରେ ଠିକଣା ସମୟରେ ବିକ୍ରି କରିବା କଷ୍ଟସାଧ୍ୟ ହୋଇପଡୁଛି । ଏହାର ଫାଇଦା ନେଇ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ନାମମାତ୍ର ଦରରେ ଓଡିଶାରୁ ଟ୍ରକ ଟ୍ରକ କପା ନିଜ ରାଜ୍ୟର ସୂତାକଳଗୁଡିକ ପାଇଁ ବୋହି ନେଉଥିବାବେଳେ କପାର ଅଭାବି ବିକ୍ରିକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ ।
ଓଡିଶାରେ କଳତନ୍ତ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଥିବାବେଳେ କେବଳ ହସ୍ତତନ୍ତ ଉପରେ ନିର୍ଭର କରିବାକୁ ପଡୁଛି । ତେବେ ହସ୍ତତନ୍ତର ଡିଜାଇନ୍ ନକଲ କରି ଅନ୍ୟ ରାଜ୍ୟର କଳତନ୍ତ ବ୍ୟବସାୟୀମାନେ ସମ୍ବଲପୁରୀ ସମେତ ଅନ୍ୟ ଓଡିଶୀ ହସ୍ତତନ୍ତ ବସ୍ତ୍ର ଉତ୍ପାଦନ କରୁଥିବାରୁ ଓଡିଶାର ହସ୍ତତନ୍ତ ସାମଗ୍ରୀ ଏହି ନକଲି ସାମଗ୍ରୀ ସହ ପ୍ରତିଯୋଗିତା କରିପାରୁ ନାହିଁ । ହାଟ ବଜାରରେ ଏହି ନକଲି ସାମଗ୍ରୀ ହାଉଜାଉ ହେଉଥିବାବେଳେ ତାହାକୁ ନିୟନ୍ତ୍ରଣ କରାଯାଉନଥିବାରୁ ହସ୍ତତନ୍ତ କ୍ଷେତ୍ରରେ ନିୟୋଜିତ ଥିବା ପ୍ରାୟ ୧ଲକ୍ଷ ୫ହଜାର ବୁଣାକାର ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।
ଏବେ ଓଡିଶାରେ ବର୍ଷକୁ ଯେତେ ହସ୍ତତନ୍ତ ସାମଗ୍ରୀ ଉତ୍ପାଦିତ ହେଉଛି ସେଥିରୁ ବିଦେଶକୁ ଖୁବ୍ କମ୍ ରପ୍ତାନି ହେଉଛି । ଭାରତରୁ ବିଦେଶକୁ ଯେତେ ହସ୍ତତନ୍ତ ସାମଗ୍ରୀ ରପ୍ତାନି ହେଉଛି ସେଥିରେ ଓଡିଶାର ଅବଦାନ ୩% ନୁହେଁ ବୋଲି ବୁଣାକାରମାନେ କହୁଛନ୍ତି । ଓଡିଶାରେ ସୂତାକଳ, କଳତନ୍ତ ବୁଡି ଯାଇଥିବାବେଳେ ହସ୍ତତନ୍ତ ଜୀବନ ବଞ୍ଚାଇବାକୁ ଉଦ୍ୟମ କରୁଥିବାବେଳେ ବହୁ ଶିଳ୍ପୀ ଅନ୍ୟ ରାଜ୍ୟକୁ ପଳାଇବାକୁ ବାଧ୍ୟ ହେଉଛନ୍ତି । (ତଥ୍ୟ)