ଭୁବନେଶ୍ୱର : ସୂଚନା ଓ ଲୋକସମ୍ପର୍କ ବିଭାଗରେ ଥିବା ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟ ଅଧାରୁ ଅଧିକଖାଲି ପଡିଛି । କାମ ଚଳାଇବାପାଇଁ ବିଭାଗରେ ଜଣେ କନସଲଟାଣ୍ଟ, ୨୯ ଜଣ ଠିକା କର୍ମଚାରୀ, ୧୧ଜଣ ଆଡହକ କର୍ମଚାରୀ ଓ ୯ଜଣ ଆଉଟ ସୋର୍ସଡ୍ କର୍ମଚାରୀ ନିୟୋଜିତ ହୋଇଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ବିଭାଗରେ ଚାରି ବର୍ଗରେ ୧୦୫୦ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଥିରୁ ୫୫୦ଟି ପଦବୀ ଖାଲି ପଡିଛି । କ ବର୍ଗରେ ଥିବା ୧୦୭ଟି ପଦବୀରୁ ୫୦ଟି ଖାଲି ପଡିଥିବାବେଳେ ଖ ବର୍ଗରେ ଥିବା ୩୦୭ଟି ପଦବୀରୁ ୧୬୮ଟି, ଗ ବର୍ଗରେ ଥିବା ୩୩୮ ପଦବୀରୁ ୧୬୭ ଟି ଓ ଘ ବର୍ଗରେ ଥିବା ୨୯୮ଟି ପଦବୀରୁ ୧୬୫ଟି ଖାଲି ପଡିଛି ।
ଠିକାରେ ଥିବା ଜଣେ କନସଲଟାଣ୍ଟଙ୍କ ମାସିକ ପାଉଣା ୭୦,୦୦୦ ଟଙ୍କା ହୋଇଥିବାବେଳେ ୨୯ଜଣ ଠିକା କର୍ମଚାରୀଙ୍କ ଦରମା ୧୦ ରୁ ୩୫ ହଜାର ଟଙ୍କା ମଧ୍ୟରେ ରହିଛି । ୧୧ଜଣ ଆଡହକ କର୍ମଚାରୀଙ୍କ ମଧ୍ୟରୁ ୪ଜଣଙ୍କର ମାସିକ ବେତନ ମୂଳଦରମା ୪୯୩୦, ଗ୍ରେଡ୍ ପେ- ୧୭୭୫ ଟଙ୍କା ତଥା ଷଷ୍ଠ ବେତନ ଆୟୋଗ ଆଧାରରେ ମହଙ୍ଗା ଭତ୍ତା ଓ ଅନ୍ୟାନ୍ୟ ଭତ୍ତା ପାଉଛନ୍ତି । ଅବଶିଷ୍ଟ ୭ଜଣଙ୍କର ମୂଳ ଦରମା ୫୨୦୦ ସହିତ ୧୯୦୦ ଟଙ୍କାର ଗ୍ରେଡ୍ ପେ ଓ ଷଷ୍ଠ ବେତନ ଆୟୋଗ ଆଧାରରେ ମହଙ୍ଗା ଭତ୍ତା ଓ ଅନ୍ୟାନ୍ୟ ଭତ୍ତା ପାଉଛନ୍ତି ।
ତେବେ ୯ଜଣ ଆଉଟସୋର୍ସଡ୍ କର୍ମଚାରୀଙ୍କ ମଧ୍ୟରୁ ଜଣେ ପରାମର୍ଶଦାତା ମାସିକ ୯୦,୦୦୦ ଟଙ୍କା ପାଉଣା ପାଉଥିବାବେଳେ ଆଉ ଜଣେ ମାସକୁ ୭୫,୦୦୦ ଟଙ୍କା ଓ ଅନ୍ୟ ଜଣେ ମାସକୁ ୨୮,୪୦୦ ଟଙ୍କା ପାଉଛନ୍ତି । ଅବଶିଷ୍ଟ ୬ଜଣ କର୍ମଚାରୀ ମାସକୁ ୧୩,୯୦୦ ଟଙ୍କା କରି ପାଉଣା ପାଉଛନ୍ତି ।