ଭୁବନେଶ୍ୱର : ସୂଚନା ଅଧିକାର ଆଇନ ବଳରେ ଗରିବରୁ ଗରିବ ମଧ୍ୟ ଅପିଲ କରି ନ୍ୟାୟ ପାଇପାରିବ ଏବଂ ଏହା ସାମାଜିକ ନ୍ୟାୟ ପ୍ରତିଷ୍ଠାରେ ସହାୟକ ହେବ। ୟୁପିଏ ସରକାରଙ୍କ ଉଦ୍ଦେଶ୍ୟ ଥିଲା କାର୍ଯ୍ୟପାଳିକା ସାଧାରଣ ଜନତାଙ୍କୁ ସୂଚନା ପ୍ରଦାନ କରିବେ। ସରକାରଙ୍କ କାର୍ଯ୍ୟପଦ୍ଧତ୍ତି ସ୍ଵଚ୍ଛ ରହିବ, ସରକାରଙ୍କ ଉତ୍ତରଦାୟିତ୍ଵ ରହିବ।
ସମାଜର ତଳ ସ୍ତରର ଲୋକଙ୍କୁ ନ୍ୟାୟ ମିଳିବ। କିନ୍ତୁ କେନ୍ଦ୍ର ସରକାର ଲୋକଙ୍କ ଅଧିକାର ପ୍ରତି ଅବହେଳା କରିଛନ୍ତି ବୋଲି ଆଜି କଂଗ୍ରେସ ଭବନରେ ସୂଚନା ଅଧିକାର ଆଇନର ୨୦ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରକାଶ କରିଥିଲେ। ସେ କହିଥିଲେ, କେନ୍ଦ୍ରରେ ୟୁପିଏ ସରକାର ଅମଳରେ ମନରେଗା, ଶିକ୍ଷା ଅଧିକାର ଆଇନ୍, ଖାଦ୍ୟ ସୁରକ୍ଷା ଆଇନ ଓ ଜଙ୍ଗଲ ସମ୍ପଦ ଅଧିକାର ଆଇନ ପରି ଅନେକ ବିଧିବ୍ୟବସ୍ଥା ହୋଇଥିଲା।
ଆରଟିଆଇ ବଳରେ, ପେନସନରେ ଅବହେଳା ହେଲେ ସୂଚନା ସଂଗ୍ରହ କରି ନ୍ୟାୟ ମିଳିପାରୁଥିଲା। ସେମିତି ସମସ୍ତ କ୍ଷେତ୍ରରେ ଆର.ଟି.ଆଇ ସୂଚନା ଅବହେଳା କରି ଲୋକଙ୍କ ଅଧିକାରକୁ ସରକାର ଛଡାଇ ନେଇଛନ୍ତି। ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଉଦ୍ୟମ ଏବଂ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାରରେ ୨୦୦୫ ମସିହାରେ ଆର୍ ଟି ଆଇ ଆଇନ ଲାଗୁ କରିବା ଭାରତରେ ଏକ ଐତିହାସିକ ପଦକ୍ଷେପ ଥିଲା। କିନ୍ତୁ କେନ୍ଦ୍ରର ବିଜେପି ସରକାର ଗଣତନ୍ତ୍ରର ପ୍ରତ୍ୟେକ ଅଙ୍ଗକୁ କ୍ରମାଗତ ଭାବରେ କାଟିବାରେ ଲାଗିଛନ୍ତି। ଯାହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି।
ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ କହିଛନ୍ତି କି, ଆଜି ଆର୍ ଟି ଆଇ ଆଇନ ୨୦ ତମ ବାର୍ଷିକ ଉତ୍ସବ ପାଳନ କରୁଛି। ୧୯୭୭ ମସିହାରେ ବିଶିଷ୍ଠ ଆଇନଜୀବୀ ପାଲକିବାଲା ଏବଂ ଶାନ୍ତିଭୂଷଣ ନିର୍ବାଚନର ଦୁର୍ନୀତିକୁ ନେଇ ମାନ୍ୟବର ସୁପ୍ରିମକୋର୍ଟରେ ବିତର୍କ କରିଥିଲେ। ଯାହା ୧୯୭୫ ମସିହାରେ ଏହି ପ୍ରସଙ୍ଗ ସଂସଦରେ ଉତଥାପନ ହୋଇଥିଲା। ଶେଷରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଚେଷ୍ଟାରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉଦ୍ୟମରେ ୨୦୦୫ ମସିହାରେ ଆର୍ ଟି ଆଇ ଆଇନ କାର୍ଯ୍ୟକାରୀ ହେଲା। ଆର୍ ଟି ଆଇର ମୂଳ କଥା ହେଲା ବିଧାୟକ, ସଂସଦ ବିଧାନସଭା କିମ୍ବା ସଂସଦରେ ଯେଉଁ ଉତ୍ତର ଆଣୁଥିଲେ ସାଧାରଣ ଲୋକ ମଧ୍ୟ ସେହି ତଥ୍ୟ ୧୦ ଟଙ୍କା ଡିପୋଜିଟ କରି ପାଇପାରିବ। ତେବେ ଦୁର୍ନୀତି ରୋକିବା ପାଇଁ ସାଧାରଣ ଲୋକଙ୍କ ଜାଣିବା ପାଇଁ ଯେଉଁ ଆଇନ ତିଆରି କରାଗଲା ସରକାର ଠିକ୍ ପରିଚାଳନା କରୁନାହାନ୍ତି।
ଉକ୍ତ ସାମ୍ବାଦିକ ସମ୍ମୀଳନୀରେ ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଛନ୍ତି, ୨୦୧୪ ମସିହା ଠାରୁ ସରକାର କ୍ରମାଗତ ଭାବେ ଆର୍ ଟି ଆଇ ଆଇନକୁ ଦୁର୍ବଳ କରିବାରେ ଲାଗିଛନ୍ତି। ୨୦୧୯ ସୂଚନା ସଂଶୋଧନ ଆଇନ ଉକ୍ତ ଆଇନକୁ ଅନେକ କ୍ଷତିଗ୍ରସ୍ତ କରିଛି। ଏହି ସଂଶୋଧନ ହେବା ଯୋଗୁଁ କାର୍ଯ୍ୟପାଳିକା ହାତରେ ସମସ୍ତ କ୍ଷମତା କେନ୍ଦ୍ରୀଭୂତ କରି ଦିଆଗଲା। କମିଶନଙ୍କ କାର୍ଯ୍ୟକାଳ ୫ ବର୍ଷ ଥିଲା, ଏବେ ତାହା କେନ୍ଦ୍ର ସରକାର ନିର୍ଦ୍ଧାରଣ କରିବେ।
ଏହି ଭଳି ଅନ୍ୟ ଜଣେ ସୂଚନା କର୍ମୀ ହେମନ୍ତ ନାୟକ କୁଆଁସରେ ଜମି ଜବର ଦଖଲକୁ ନେଇ ତଥ୍ୟ ମାଗିଥିଲେ, ସାତ ବର୍ଷ ପର୍ଯ୍ୟନ୍ତ କେସ ପଡ଼ିରହିଲା ପରେ ତାଙ୍କୁ କିଛି ତଥ୍ୟ ଦିଆଯାଇ ପାରିବନାହିଁ ବୋଲି କୁହାଗଲା। ମାନ୍ୟବର ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ମଧ୍ୟ ବିଭାଗ ତଥ୍ୟ ଦେଲା ନାହିଁ। ଆଇନକୁ ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ କୌଣସି ପଦକ୍ଷେପ ନ ନିଆ ଯିବା ଯୋଗୁଁ ସାଧାରଣ ଜନତା ତାଙ୍କ ମୌଳିକ ଅଧିକାରରୁ ବଞ୍ଚିତ ହେବା ସହିତ ସୂଚନା କର୍ମୀ ହତ୍ୟାର ଶିକାର ହେଉଛନ୍ତି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ।