Home General ସୁର ନାୟକଙ୍କୁ ଭେଟିଲେ ବିଶ୍ୱଭୂଷଣ

ସୁର ନାୟକଙ୍କୁ ଭେଟିଲେ ବିଶ୍ୱଭୂଷଣ

ଭୁବନେଶ୍ୱର : ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆଜି ଏଠାରେ ବରିଷ୍ଠ ରାଜନେତା ସୁରେନ୍ଦ୍ର ନାଥ ନାୟକଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥ ଅଛନ୍ତି ୯୩ବର୍ଷ ବୟସ୍କ ଶ୍ରୀ ନାୟକ ।

ଗୋଟିଏ ସମୟରେ ଓଡ଼ିଶା ମନ୍ତ୍ରିମଣ୍ଡଳରେ ଶ୍ରୀ ନାୟକ ଓ ଶ୍ରୀ ହରିଚନ୍ଦନ ଏକାଠି କାମ କରିଥିଲେ । ୧୯୭୭ ମସିହାରେ ଶ୍ରୀ ହରିଚନ୍ଦନ କ୍ୟାବିନେଟ୍‍ ମନ୍ତ୍ରୀ ଥିବାବେଳେ ଶ୍ରୀ ନାୟକ ଥିଲେ ବିଧାନସଭାର ଉପ-ବାଚସ୍ପତି । ଉଭୟଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ପାରିବାରିକ ସଂପର୍କ ରହିଛି । ଏମିତିକି ଶ୍ରୀ ହରିଚନ୍ଦନଙ୍କ ପିତା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ହରିଚନ୍ଦନ ପୁରୀ ଜିଲ୍ଲା ବୋର୍ଡର ଉପାଧ୍ୟକ୍ଷ ଥିବାବେଳେ ଶ୍ରୀ ନାୟକ ଥିଲେ ଅସ୍ତରଙ୍ଗ ପଞ୍ଚାୟତ ସମିତିର ଅଧ୍ୟକ୍ଷ ।

ଶ୍ରୀ ନାୟକଙ୍କୁ ଭେଟି ରାଜ୍ୟପାଳ ଶ୍ରୀ ହରିଚନ୍ଦନ ତାଙ୍କ ପରିବାରର ସଦସ୍ୟମାନଙ୍କ ଠାରୁ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଏହି ଦୁଇ ବର୍ଷୀୟାନ ପରସ୍ପରକୁ ଭେଟିବା ବେଳେ ଭାବ ବିହ୍ୱଳ ହୋଇ କାନ୍ଦି ପକାଇଥିଲେ । ଶ୍ରୀ ନାୟକଙ୍କ ଦୁଇ ପୁଅ ସ୍ୱାଧୀନ ଓ ସାନ୍ତନୁ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ ।

ପୂର୍ବରୁ ଶ୍ରୀ ହରିଚନ୍ଦନ ମଧ୍ୟ ଏକାଧିକ ବାର ଅସୁସ୍ଥ ଶ୍ରୀ ନାୟକଙ୍କୁ ବିଭିନ୍ନ ସମୟରେ ଭେଟିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ମସ୍ତିଷ୍କାଘାତରେ ଆକ୍ରାନ୍ତ ହୋଇ ୨୦୧୯ ମସିହାରୁ ଏ ଯାବତ୍‍ ଶ୍ରୀ ନାୟକ ଅସୁସ୍ଥ ଥିଲେ ମଧ୍ୟ ନିୟମିତ ଗୀତା ଓ ଗାନ୍ଧୀ ସାହିତ୍ୟ ପଢ଼ୁଛନ୍ତି ଏବଂ ରାଜ୍ୟ ତଥା ଦେଶର ଭଲ ମନ୍ଦ ବିଷୟ ଗଣମାଧ୍ୟମରୁ ଅବହିତ ହେଉଛନ୍ତି । ଏମିତିକି ଅସୁସ୍ଥତା ସତ୍ତ୍ୱେ ବି ନିଜର ପୂର୍ବ ନିର୍ବାଚନ ମଣ୍ଡଳୀ କାକଟପୁର, ଅସ୍ତରଙ୍ଗ ସମେତ ଅନ୍ୟ ଅଞ୍ଚଳର ବନ୍ଧୁମାନଙ୍କ ସହିତ ମଧ୍ୟ ସଂପର୍କ ରଖିଛନ୍ତି ।