Home General ସୁଭଦ୍ରା ୱେବସାଇଟ୍‍ ପାଇଁ କଲ ବଲ

ସୁଭଦ୍ରା ୱେବସାଇଟ୍‍ ପାଇଁ କଲ ବଲ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ମହିଳାମାନେ ସହଜରେ ଯେଭଳି ନିଜ ନାମ ଦରଜ କରିପାରିବେ ସେଥିପାଇଁ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଥିବାବେଳେ ଏଥିପାଇଁ ପ୍ରସ୍ତୁତ ହୋଇଥିବା ୱେବସାଇଟ୍‍ଟି କିନ୍ତୁ ସଠିକ ଭାବେ କାର୍ଯ୍ୟ କରୁନାହିଁ । ୱେବସାଇଟ୍‍ଟି ଅତ୍ୟନ୍ତ ଧିମା ଚାଲିବା ଏବଂ ବାରମ୍ବାର ଏଥିରେ ଅପଗ୍ରେଡସେନ ହେଉଥିବାରୁ ଗାଁ ଗହଳର ମହିଳାମାନେ ନାମ ଦରଜ ପାଇଁ ଦିନ ଦିନ ଧରି ଅପେକ୍ଷା କରୁଛନ୍ତି ।

ସୁଭଦ୍ରା ଯୋଜନାଟି ଚଳିତ ମାସ ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ କରକମଳରେ ଶୁଭାରମ୍ଭ ହେବ ଏବଂ ନାମ ଦରଜ ହୋଇଥିବା ମହିଳାମାନେ ସେହିଦିନ ପ୍ରଥମ କିସ୍ତି ବାବଦରେ ୫୦୦୦ ଟଙ୍କା କରି ପାଇବେ ବୋଲି ଘୋଷଣା ହୋଇଛି । ଏହି ଘୋଷଣା ପରେ ଏବେ କିଏ ଆଗୁଆ ଭାବେ ନିଜ ନାମ ଦରଜ କରିବ ସେଥିପାଇଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ଚାଲିଛି ପ୍ରତିଯୋଗିତା । ଏଥିପାଇଁ ଚଳିତ ମାସ ୪ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଛି ।

ଜନସେବାକେନ୍ଦ୍ର ଓ ଅଙ୍ଗନବାଡି ଦିଦିଙ୍କ ଠାରୁ ସୁଭଦ୍ରା ଫର୍ମ ନେଇ ତାହାକୁ ପୂରଣ କରିବାପରେ ମହିଳାମାନେ ଜନସେବା କେନ୍ଦ୍ର ସମ୍ମୁଖରେ ଦାଖଲ ପାଇଁ ଧାଡି ଲଗାଉଛନ୍ତି । ହେଲେ ଜନସେବାକେନ୍ଦ୍ରଗୁଡିକୁ ଏଥିପାଇଁ ଯେଉଁ ଲିଙ୍କ୍‍ ଦିଆଯାଉଛି ତାହା ଅତ୍ୟନ୍ତ ଧିମା ଗତିରେ ଚାଲିଛି । ଗୋଟିଏ ନାମ ଦରଜ ପାଇଁ ୧୦ରୁ ମିନିଟ୍‍ ଲାଗିବା ସ୍ଥଳରେ ଘଣ୍ଟାଏ ଦୁଇଘଣ୍ଟା ଲାଗିଯାଉଛି । ଜନସେବା କେନ୍ଦ୍ରର କର୍ତ୍ତୃପକ୍ଷ ବି ନାଚାର । ସେମାନେ ଉପରକୁ ଜଣାଇଲେ ଗୋଟିଏ ଉତ୍ତର ମିଳୁଛି ୱେବସାଇଟ୍‍ ଅପଗ୍ରେଡ୍‍ ହେଉଛି ।

ଏ ସଂକ୍ରାନ୍ତରେ କାହାରି ନିଟକରେ ସଠିକ ସୂଚନା ନଥିବାବେଳେ ଏଣେ କିନ୍ତୁ ସରକାର ଗାଁ ଗହଳରେ ରଥ ବୁଲାଇ ମହିଳା କିଭଳି ଟଙ୍କା ପାଇବେ ସେଥିପାଇଁ ବୁଝାଇ ଚାଲିଛନ୍ତି । ରଥ ପରିକ୍ରମା ଯେତିକି ବେଗରେ ହେଉଛି ନାମ ଦରଜ ପାଇଁ ଥିବା ୱେବସାଇଟ୍‍ଟି ସେତିକି ଧିମା ଗତିରେ ଚାଲୁଛି । କାଳେ ବିଳମ୍ବିତ ରାତିରେ ୱେବସାଇଟ୍‍ କାଳେ ଦ୍ରୁତି ଗତିରେ ଚାଲିବ ସେଥିପାଇଁ ମହିଳାମାନେ ରାତିରେ ବି ଜନସେବା କେନ୍ଦ୍ରରେ ଧାଡି ଲଗାଉଛନ୍ତି ।

ୱେବସାଇଟ୍‍ର ଧିମା ଗତି ସହିତ ରାଜ୍ୟରେ ଏବେ ଝଡବର୍ଷା ଲାଗି ରହିଥିବାରୁ ଅନେକ ସ୍ଥାନରେ ବିଜୁଳି ଓ ଇଣ୍ଟରସେଟ୍‍ ବି ଲୁଚକାଳି ଖେଳୁଛି । ତେଣୁ ବହୁ ସ୍ଥାନରେ ଦିନକ ମଧ୍ୟରେ ୮/୧୦ଟି ସୁଭଦ୍ରା ଫର୍ମ ଅପଲୋଡ୍‍ କରିବା ବି କଷ୍ଟକର ହୋଇପଡୁଛି । ସୁଭଦ୍ରା ଫର୍ମ ପୂରଣ କ୍ଷେତ୍ରରେ କେତେକ ପରିବର୍ତ୍ତନ ହୋଇଛି । ବ୍ୟାଙ୍କ୍‍ ଆକାଉଣ୍ଟ ସହିତ ଆଧାର ସଂଯୋଗ ଦେବାପାଇଁ ବ୍ୟବସ୍ଥାଟିକୁ ପ୍ରତ୍ୟାହାର କରାଯାଇଛି । କାରଣ କେତେକ ସ୍ଥାନରେ ଆଧାର ନମ୍ବର ଦେଇ ବ୍ୟାଙ୍କ୍‍ ଖୋଜିଲା ବେଳକୁ ଅନ୍ୟ ରାଜ୍ୟର ବ୍ୟାଙ୍କ୍‍ର ନାମ ଦେଖାଇଥିଲା ।

ତେବେ କର୍ତ୍ତୃପକ୍ଷ ଯଦି ତୁରନ୍ତ ୱେବସାଇଟ୍‍ର ଗତି ନବଢାଇବେ ତେବେ ୧୭ ତାରିଖ ବେଳକୁ ୧୭ ପ୍ରତିଶତ ସୁଭଦ୍ରା ହିତାଧିକାରୀ ନାମ ପଞ୍ଜିକରଣ କରିବା କଷ୍ଟକର ହୋଇପଡିବ ବୋଲି ମତପ୍ରକାଶ ପାଉଛି । ଗାଁ ଠାରୁ ସହର ପର୍ଯ୍ୟନ୍ତ ଯେଭଳି ମହିଳା ହିତାଧିକାରୀମାନେ କାମଧନ୍ଦା ଛାଡି ଜନସେବା କେନ୍ଦ୍ର ସମ୍ମୁଖରେ ଧାଡି ରହି ଧସ୍ତାଧସ୍ତି ହେଉଛନ୍ତି ତାହା ଅତ୍ୟନ୍ତ ଅସ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି । (ତଥ୍ୟ)