Home General ସୁଭଦ୍ରା ଯୋଜନାର ପଞ୍ଜିକରଣ ଅର୍ଥ ମିଳୁନି

ସୁଭଦ୍ରା ଯୋଜନାର ପଞ୍ଜିକରଣ ଅର୍ଥ ମିଳୁନି

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ କୋଟିଏରୁ ଅଧିକ ମହିଳା ପ୍ରଥମ କିସ୍ତି ଅର୍ଥ ପାଇଥିବାବେଳେ ଏମାନଙ୍କର ନାମ ପଞ୍ଜିକରଣ କରିଥିବା ମୋ ସେବା କେନ୍ଦ୍ରର ହିତାଧିକାରୀମାନେ କିନ୍ତୁ ସେମାନଙ୍କ ପାଉଣା ପାଇପାରୁ ନାହାନ୍ତି । ପଞ୍ଜିକରଣ କରିଥିବା ଜନସେବା କେନ୍ଦ୍ରର ହିତାଧିକାରୀମାନେ କେନ୍ଦ୍ର ସରକାରଙ୍କ ଠାରୁ ସେମାନଙ୍କ ପାଉଣା ପାଇଥିବାବେଳେ ରାଜ୍ୟ ସରକାରଙ୍କ ମୋ ସେବା କେନ୍ଦ୍ର କର୍ତ୍ତୃପକ୍ଷ କିନ୍ତୁ ସମୟ ଗଡାଇ ଚାଲିଛନ୍ତି ।

ସୁଭଦ୍ରା ଯୋଜନାରେ ଏକ କୋଟିରୁ ଅଧିକ ମହିଳା ପଞ୍ଜିକରଣ କରିଛନ୍ତି । ଏହି ପଞ୍ଜିକରଣ କାର୍ଯ୍ୟ ଏବେ ବି ଜାରି ରହିଛି । ତେବେ ଏହି ପଞ୍ଜିକରଣ କାର୍ଯ୍ୟ କେବଳ କେନ୍ଦ୍ର ସରକାରଙ୍କ ଜନ ସେବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୋ ସେବା କେନ୍ଦ୍ର ଜରିଆରେ ହେଉଛି । ଏହିସବୁ କେନ୍ଦ୍ରରେ ମହିଳାମାନେ ଫର୍ମ ପୂରଣ କରି ଦେବା ସହିତ ଅନ୍‍ଲାଇନ୍‍ରେ ପଞ୍ଜିକରଣ କରୁଛନ୍ତି ।

ପଞ୍ଜିକରଣ ପାଇଁ ଜନସେବା କେନ୍ଦ୍ରର ହିତାଧିକାରୀମାନେ ଜିଏସ୍‍ଟି ଓ ଅନ୍ୟାନ୍ୟ ଟିକସ ବାଦ୍‍ ପ୍ରତି ପଞ୍ଜିକରଣ ପିଛା ୧୧.୨୦ ଟଙ୍କା ପାଉଛନ୍ତି । ସ୍କାନିଂ, ଫଟୋଉଠା ଓ ଇଣ୍ଟରନେଟ୍‍ ଜରିଆରେ ପଞ୍ଜିକରଣ ହେଉଥିବାରୁ ଜନସେବା କେନ୍ଦ୍ରର ହିତାଧିକାରୀମାନେ ପଞ୍ଜିକରଣ ପିଛା ଅତି କମ୍‍ରେ ୨୦ ଟଙ୍କା ଦେବାକୁ ଦାବି କରିଥିଲେ । ହେଲେ କେନ୍ଦ୍ରୀୟ ସଂସ୍ଥା ଏଥିରେ ରାଜି ହୋଇନଥିଲେ । କେନ୍ଦ୍ରୀୟ ସଂସ୍ଥା ଯେଉଁ ହାରରେ ଅର୍ଥ ପ୍ରଦାନ କରିବେ ରାଜ୍ୟ ସରକାରଙ୍କ ମୋ ସେବା କେନ୍ଦ୍ର ମଧ୍ୟ ସେହି ହାରରେ ଅର୍ଥ ଦେବାପାଇଁ ମନସ୍ଥ କରିଥିଲା ।

ହେଲେ ଇତି ମଧ୍ୟରେ ଜନସେବାକେନ୍ଦ୍ରର ହିତାଧିକାରୀମାନେ ପଞ୍ଜିକରଣ ପିଛା ୧୧ଟଙ୍କା ୨୦ ପଇସା କରି ଅର୍ଥ ପାଇସାରିଥିବାବେଳେ ମୋ ସେବା କେନ୍ଦ୍ର ଜରିଆରେ କରିଥିବା ପଞ୍ଜିକରଣ ବାବଦ ଅର୍ଥ କେବେ ମିଳିବ ତାହାର ସୂଚନା ମିଳୁନାହିଁ । ଜଗତ୍‍ସିଂହପୁର ଜିଲ୍ଲାରେ ଜଣେ ହେଲେ ମୋ ସେବା କେନ୍ଦ୍ର ହିତାଧିକାରୀ ଅର୍ଥ ପାଇନଥିବା ଜଣାଯାଇଛି । ଅର୍ଥ ଆସିଲେ ମିଳିବ ମିଳିବ ବୋଲି କର୍ତ୍ତୃପକ୍ଷ କହୁଥିବାବେଳେ ଏହି ଅର୍ଥ କେବେ ମିଳିବ ତାହାର କୌଣସି ନିର୍ଦ୍ଦିଷ୍ଟ ସୂଚନା ଦେଇପାରୁ ନାହାନ୍ତି ।

ଗୋଟିଏ ପଟେ କରିଥିବା ପଞ୍ଜିକରଣ ବାବଦ ଅର୍ଥ ମୋ ସେବା କେନ୍ଦ୍ର ହିତାଧିକାରୀ ପାଇନଥିବାବେଳେ ଯେଉଁ ସୁଭଦ୍ରା ହିତାଧିକରୀମାନଙ୍କର ଅର୍ଥ ପାଇବାପାଇଁ ଆଉଥରେ ଯାଞ୍ଚ ଆବଶ୍ୟକ ହେଉଛି ସେମାନେ ଯାଇ ପୁଣିଥରେ ଭିଡ ଜମାଇବା ଆରମ୍ଭ କଲେଣି । ତେଣୁ ପଇସା ପାଇବାକୁ ଅପେକ୍ଷା ନକରି ମୋ ସେବା କେନ୍ଦ୍ର ପକ୍ଷରୁ ସେମାନଙ୍କ ପୁନଃ ଯାଞ୍ଚ ଓ ପଞ୍ଜିକରଣ କରାଯାଉଛି ।

ଉଲ୍ଲେଖନୀୟ ଯେ ସୁଭଦ୍ରା ଯୋଜନା ଘୋଷଣା ପରେ ପରେ ମୋ ସେବା କେନ୍ଦ୍ରରେ ପଞ୍ଜିକରଣ ପାଇଁ ନାହିଁ ନଥିବା ଭିଡ ହୋଇଥିଲା । ଏପରିକି ସ୍ଥାନୀୟ ମହିଳାଙ୍କ ଚାପରେ ସେବା କେନ୍ଦ୍ରର ହିତାଧିକାରୀମାନେ ରାତି ଅନିଦ୍ରା ହୋଇ ପଞ୍ଜିକରଣ କରିଥିଲେ । ବର୍ତ୍ତମାନ ସୁଦ୍ଧା ଏ ବାବଦରେ କେତେ ଅର୍ଥ ମିଳିବ ତାହା ସ୍ଥିର ହୋଇପାରୁନଥିବାବେଳେ ସେମାନେ ପଞ୍ଜିକରଣ କରିଥିବା ମହିଳାମାନେ କିନ୍ତୁ ସୁଭଦ୍ରା ଅର୍ଥ ପାଇ ତାକୁ ଖର୍ଚ୍ଚ କରିସାରିଲେଣି । (ତଥ୍ୟ)