ଭୁବନେଶ୍ୱର : ସୁଭଦ୍ରା ଯୋଜନା ଅଧିନରେ ଚଳିତ ମାସ ୨ତାରିଖ ସୁଦ୍ଧା ୧,୦୫,୪୩,୨୩୮ ଜଣ ମହିଳା ଆବେଦନ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୮୦,୨୯,୭୪୧ଜଣ ଟଙ୍କା ପାଇଛନ୍ତି । ଏହି ମହିଳାଙ୍କୁ ମୋଟ୍ ୪୦୧୪ କୋଟି ୮୭ ଲକ୍ଷ ୫ହଜାର ଟଙ୍କା ପ୍ରଦାନ କରାଯାଇଛି ।
ସୁଭଦ୍ରା ଯୋଜନା ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଶ୍ରୀମତୀ ପରିଡା କହିଛନ୍ତି ଯେ ଅବଶିଷ୍ଟ ଆବେଦନକାରୀମାନଙ୍କ ଯୋଗ୍ୟତା ପ୍ରମାଣିତ ହେଲାପରେ ଅର୍ଥ ପ୍ରଦାନ କରାଯିବ । ୨୧ରୁ ୬୦ବର୍ଷ ମଧ୍ୟରେ ଥିବା ସମସ୍ତ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଅଧିନରେ ସାମିଲ କରିବାପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।
ସେହିଭଳି ଶ୍ରୀ ତ୍ରିପାଠୀଙ୍କ ଅନ୍ୟଏକ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଝାରସୁଗୁଡା ଜିଲ୍ଲାରେ ୧,୩୬,୮୦୧ ଜଣ ମହିଳା ଆବେଦନ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୯୮,୯୭୮ଜଣ ସୁଭଦ୍ରା ଟଙ୍କା ପାଇସାରିଛନ୍ତି । ୩୫୨ଜଣ ହିତାଧିକାରୀ ବ୍ୟାଙ୍କ/ଆଧାର ତ୍ରୁଟି ପାଇଁ ଟଙ୍କା ପାଇପାରି ନାହାନ୍ତି, ୨୮୮୧ ଜଣ ଆବେଦନକାରୀ ଅଯୋଗ୍ୟ ହେବା ଓ ୩,୫୯୦ ଜଣଙ୍କ ଆବେଦନପତ୍ରର ଯୋଗ୍ୟତା ନିର୍ଦ୍ଧାରଣ ହୋଇନଥିବାରୁ ଟଙ୍କା ପାଇପାରି ନାହାନ୍ତି ।