Home News in Odia ସୁପରଫାଷ୍ଟ ରେଳରେ ଯାତ୍ରୀ ହନ୍ତସନ୍ତ

ସୁପରଫାଷ୍ଟ ରେଳରେ ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରେଳଗାଡି ଧାର୍ଯ୍ୟ ସମୟରେ ଚଳାଚଳ କରୁନଥିବାରୁ ପଶ୍ଚିମଓଡିଶାରୁ ରାଜଧାନୀ ଭୁବନେଶ୍ୱରୁ ଆସୁଥିବା ଯାତ୍ରୀମାନେ ରାତିରେ ହନ୍ତସନ୍ତ ହେଉଛନ୍ତି । କେତେବେଳେ ଘଣ୍ଟାଏ ବିଳମ୍ବରେ ତ ଆଉ କେତେବେଳେ ଦୁଇ ଘଣ୍ଟା ବିଳମ୍ବରେ ଆସି ପହଞ୍ଚୁଥିବାରୁ ରାତିରେ ଅଟୋ କିମ୍ବା ମୋ ବସ୍‍ ନପାଇ ଯାତ୍ରୀମାନେ ତଣ୍ଡ ଗଣୁଛନ୍ତି ।

ପୂର୍ବତଟ ରେଳବାଇ ପକ୍ଷରୁ ଦୈନିକ ପୁରୁଣାକଟକରୁ ଭୁବନେଶ୍ୱରକୁ ସୁପରଫାଷ୍ଟ ଇଣ୍ଟରସିଟି ଚଳାଚଳ କରୁଛି । ଏହି ରେଳଗାଡିଟି ପୁରୁଣାକଟକରୁ ଦିନ ୧୧ଟା ୩୦ରେ ବାହାରି ବଲାଙ୍ଗିର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ ନରାଜ ବାଟ ଦେଇ ଭୁବନେଶ୍ୱରରେ ରାତି ୯ଟା ୪୫ରେ ପହଞ୍ଚିବାକୁ ସମୟ ଧାର୍ଯ୍ୟ ହୋଇଛି । ଯାତ୍ରୀମାନେ ସେହି ଅନୁଯାୟୀ ଟ୍ରେନ ଧରିଥାନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଅଧିକାଂଶ ଦିନ ଏହି ରେଳଗାଡିଟି ବିଳମ୍ବରେ ଆସି ଭୁବନେଶ୍ୱରରେ ପହଞ୍ଚିଥାଏ । କେତେବେଳେ ରାତି ୧୧ଟା ତ ଆଉ କେତେବେଳେ ଏହାଠାରୁ ଅଧିକ ବିଳମ୍ବ ହୋଇଥାଏ ।

ପଶ୍ଚିମଓଡିଶାରୁ ରାଜଧାନୀକୁ ଆସୁଥିବା ଯାତ୍ରୀମାନେ ସମୟ ଓ ସୁବିଧା ଦୃଷ୍ଟିରୁ ଏହି ରେଳଗାଡି ଉପରେ ଅଧିକ ଭାବରେ ନିର୍ଭରଶୀଳ କରିଥାନ୍ତି । ଆଗତୁରା ଟିକଟ ନକଲେ ଦିନେ ଦୁଇ ଦିନ ପୂର୍ବରୁ ଏହି ରେଳଗାଡିରେ ସଂରକ୍ଷିତ ଟିକଟ ପାଇବା କଷ୍ଟକର । କିନ୍ତୁ ଅଧିକାଂଶ ଦିନ ଏହି ରେଳଗାଡିଟି ବିଳମ୍ବରେ ଆସି ରାଜଧାନୀରେ ପହଞ୍ଚୁଥିବାରୁ ଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବାକୁ ନାନା ପ୍ରକାର ହୀନସ୍ତା ହେଉଛନ୍ତି ।

ରାତି ସାଢେ ୧୦ଟା ପରେ ରେଳଗାଡି ଷ୍ଟେସନରେ ପହଞ୍ଚିବା ଓ ଯାତ୍ରୀମାନେ ଷ୍ଟେସନ ବାହାରକୁ ଆସିଲା ବେଳକୁ ରାତି ପ୍ରାୟ ୧୧ଟା ହୋଇଯାଉଛି । ସେହି ସମୟରେ ରାଜଧାନୀର କୌଣସି ସ୍ଥାନକୁ ଯିବାପାଇଁ ହେଲେ ତିନି ଚକିଆ କିମ୍ବା ଚାରିଚକିଆ ଯାନ ଭଡାରେ ନେବାକୁ ହେଉଛି । କାରଣ ଏହି ସମୟରେ ଲାଇନ ଅଟୋ କିମ୍ବା ମୋ ବସ୍‍ ସେବା ଉପଲବ୍ଧ ହେଉନାହିଁ । ତେଣୁ ଅଟୋ କିମ୍ବା ଟ୍ୟାକ୍ସି ଚାଳକଙ୍କ ମନମାନି ଉପରେ ଯାତ୍ରୀମାନେ ନିର୍ଭରଶୀଳ ହେବା ସହିତ ସାମାନ୍ୟ ଭଡା ଠାରୁ ଢେର ଅଧିକ ଭଡା ଦେଇ ଯାଉଛନ୍ତି । ଏହି ସମୟରେ ଅନଲାଇନ୍‍ ବୁକିଂ ବି ସହଜରେ ହେଉନଥିବାରୁ ଲୋକେ ବାଧ୍ୟହୋଇ ଆଖପାଖରୁ ଗାଡି ଭଡାରେ ନେଉଛନ୍ତି । ତେବେ ଏହି ବିଳମ୍ବିତ ସମୟରେ ଯଦି କୌଣସି ଯାତ୍ରୀ ବିଶେଷକରି ମହିଳା ଯାତ୍ରୀ ଏକାକୀ ଆସିଥାନ୍ତି ତେବେ ନିଜକୁ ଅସୁରକ୍ଷିତ ମଣିଥାନ୍ତି । ଯଦି ଠିକଣା ସମୟରେ ଅର୍ଥାତ୍‍ ରାତି ୧୦ଟା ପୂର୍ବରୁ ରେଳଗାଡିଟି ଆସି ରାଜଧାନୀରେ ପହଞ୍ଚନ୍ତା ତେବେ ଏଭଳି ସ୍ଥିତିର ସାମ୍ନା କରିବାକୁ ପଡନ୍ତା ନାହିଁ ବୋଲି ଯାତ୍ରୀମାନେ ମତ ଦେଉଛନ୍ତି ।

ତେବେ ପୁରୁଣାକଟକରୁ ବାହାରୁଥିବା ଏହି ରେଳଗାଡିଟି ଢେଙ୍କାନାଳ ପର୍ଯ୍ୟନ୍ତ ପ୍ରାୟତଃ ଠିକଣା ସମୟରେ ଆସୁଥିବାବେଳେ ଏହା ପରଠାରୁ ଧିମା ଗତିରେ ଆଗକୁ ବଢିଥାଏ । ଏକାଧିକ ସ୍ଥାନରେ ରେଳ କର୍ତ୍ତୃପକ୍ଷ ଏହାକୁ ମଝି ରାସ୍ତାରେ ଛିଡାକରି ରଖିଥାନ୍ତି । ଯେହେତୁ ଭୁବନେଶ୍ୱର ଏହାର ଶେଷ ଠିକଣା, ତେଣୁ ଏହାକୁ ପଛରେ ପକାଇ ଦିଆଯାଇଥାଏ ଓ ଢେଙ୍କାନାଳ ଭୁବନେଶ୍ୱର ମଧ୍ୟରେ ଅତ୍ୟନ୍ତ ଧିମା ଗତି ଓ ବାରମ୍ବାର ଅଟକିବା ଯୋଗୁଁ ଯାତ୍ରୀମାନେ ବିଳମ୍ବରେ ଆସି ପହଞ୍ଚିଥାନ୍ତି ।

ସୁଫରଫାଷ୍ଟ ରେଳଗାଡିର ମାନ୍ୟତା ପାଇଥିବା ରେଳର ଏଭଳି ବିଳମ୍ବିତ ଯାତ୍ରା ପ୍ରତି ପୂର୍ବତଟ ରେଳବାଇ ସମେତ ଖୋଦ୍‍ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବ୍ୟକ୍ତିଗତ ଭାବେ ଦୃଷ୍ଟି ଦେବାକୁ ଯାତ୍ରୀମାନେ ମତ ଦେଉଛନ୍ତି । (ତଥ୍ୟ)