ଭୁବନେଶ୍ୱର : ରାଜ୍ୟର ସୀମା ସୁରକ୍ଷାକୁ ନେଇ ବିରୋଧିଦଳ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି । ଉଭୟ ବିଜେପି ଓ କଂଗ୍ରେସ ଦଳର ସଦସ୍ୟମାନେ ଓଡିଶା ସୀମାରେଅନ୍ୟ ରାଜ୍ୟର ପ୍ରବେଶ ପାଇଁ ସରକାରଙ୍କୁ ଦାୟୀ କରିଥିବାବେଳେ ଶାସକଦଳ ସୀମାନ୍ତବର୍ତ୍ତୀ ଜିଲ୍ଲାର ବିକାଶ କଥା କହି ବିରୋଧିଙ୍କୁ ସାମ୍ନା କରିଛି ।
ବିଜେପି ଦଳ ପକ୍ଷରୁ ଆଜି ‘ଓଡିଶାର ସୀମା ଦିନକୁ ଦିନ ସଙ୍କୁଚିତ, ମାଡି ବସିଲେଣି ପଡୋଶୀ ରାଜ୍ୟ । ସରକାର ନିରବଦ୍ରଷ୍ଟା’ ସଂକ୍ରାନ୍ତୀୟ ଆଗତ ମୁଲତବୀ ପ୍ରସ୍ତାବ ଉପରେ ସରଗରମ ଆଲୋଚନା ହୋଇଥିଲା । ଆଲୋଚନା ଆରମ୍ଭ କରି ବିରୋଧିଦଳ ନେତା ପ୍ରଦୀପ୍ତ କୁମାର ନାୟକ କହିଥିଲେ ଯେ କୋଟିଆରେ ସ୍ୱାସ୍ଥ୍ୟସେବା, ସଡକ, ଯୋଗାଯୋଗ କିଛି ନାହିଁ । କମାଣ୍ଡର ଗାଡି ଛଡା ସ୍ଥାନୀୟ ଲୋକଙ୍କ ପରିବହନର ଅନ୍ୟ ବିକଳ୍ପ ନାହିଁ ।
କୋଟିଆର ୨୮ରୁ ୨୧ ଟି ଗାଁକୁ ନେଇ ବିବାଦ ସୃଷ୍ଟି ହୋଇଛି । ଓଡିଶା ପୁଲିସ୍ ଆଖି ଆଗରେ ଆନ୍ଧ୍ର ପ୍ରଦେଶ ସରକାର ନିର୍ବାଚନ କରାଇନେଲେ । ଭୋକର ଭୁଗୋଳ ଆଜି ଅସୁରକ୍ଷିତ । ସୀମାନ୍ତବର୍ତ୍ତୀ ଗ୍ରାମ ଗୁଡିକରେ ଜଣେ ଜଣେ ବ୍ୟକ୍ତିଙ୍କ ନିକଟରେ ତିନି ତିନିଟ ରାସନକାର୍ଡ ।
ମାଲକାନଗିରି ଜିଲ୍ଲାର ଦୁଇ ପଞ୍ଚାୟତ ଏବେ ଗୁଗୁଲ ମ୍ୟାପରେ ଆନ୍ଧ୍ର ପ୍ରଦେଶରେ ବୋଲି ଦେଖିବାକୁ ମିଳୁଛି । ମୟୁରଭଞ୍ଜ ଜିଲ୍ଲାର ସୀମାନ୍ତବର୍ତ୍ତୀ ଗ୍ରାମର ଲୋକେ ନିଜ ଜମିକୁ ଚିହ୍ନି ପାରୁନାହାନ୍ତି । ଆନ୍ଧ୍ର ସରକାର ଓଡିଶା ଭିତରେ ଭତ୍ତା ବାବଦରେ ମାସକୁ ୨୨୫୦ ଟଙ୍କା ଦେଉଥିବାବେଳେ ୱାର୍ଡମେମ୍ବରଙ୍କୁ ମାସିକ ୩ହଜାର, ସରପଞ୍ଜଙ୍କୁ ୧୦ହଜାର ଓ ଜିଲ୍ଲାପରିଷଦ ସଦସ୍ୟଙ୍କୁ ୧୫ହଜାର କରି ଦରମା ଦେଉଛି ।
ଆନ୍ଧ୍ର କୋଟିଆରେ ପାଣି, ବିଜୁଳି, ସଡକ ସବୁ କରୁଛି । ହେଲେ ଓଡିଶା ସରକାରଙ୍କ ସ୍କୁଲରେ ଶିକ୍ଷକ ନାହାନ୍ତି । ପିଲା ପଢିବାକୁ ଆନ୍ଧ୍ରକୁ ଯାଉଛନ୍ତି । ଆନ୍ଧ୍ର ସରକାର ଏଠାରେ ୩ ଥର ମନୋନୀତ ଭାବେ ଲୋକ ପ୍ରତିନିଧି ବାଛିଥିବାବେଳେ ଥରେ ନିର୍ବାଚନ କରାଇ ସାରିଲାଣି । ଅବସ୍ଥା ଏଭଳି ହୋଇଛି ଯେ କୋଟିଆ ଲୋକେ ଓଡିଆ ବୁଝିପାରୁ ନାହାନ୍ତି ।
ବିଜେପି ବିଧାୟକ ମୋହନ ଚରଣ ମାଝି କହିଥିଲେ ଯେ କୋଟିଆ ଏବେ ଓଡିଶାରେ ନଥିବା ଭଳି । ସରକାରୀ ଅବହେଳାର ଅନ୍ୟ ନାମ ହେଉଛି କୋଟିଆ । ଆମ ସରକାରଙ୍କ ଅବହେଳା, ଦୂରଦୃଷ୍ଟିର ଅଭାବ ଯୋଗୁଁ ଏଭଳି ଅବସ୍ଥା । ଏବେ ବୁଦ୍ଧି ପଶିବାରୁ ଆମେ ଅଦାଲତକୁ ଯାଇଛୁ । ମୁଖ୍ୟମନ୍ତ୍ରୀଙ୍କ ସମେତ କେଉଁ ସଚିବ, ଜିଲ୍ଲାପାଳମାନେ ସୀମାନ୍ତବର୍ତ୍ତୀ ଜିଲ୍ଲାକୁ ଯାଇ କି ରିପୋର୍ଟ ଦେଇଛନ୍ତି ବୋଲି ଶ୍ରୀ ମାଝି ପ୍ରଶ୍ନ କରିଥିଲେ ।
ସେ କହିଥିଲେ ଯେଏବେ ମାଟି ପାଇଁ ସମୟ ନାହିଁ, ପାର୍ଟି ପାଇଁ ଅଛି । ମୁଖ୍ୟମନ୍ତ୍ରୀ କୋଟିଆ ଯାଆନ୍ତୁ । କୋଟିଆରେ ଆନ୍ଧ୍ର ନିର୍ବାଚନ କଲାପରେ ଭାରତ ସୀମାକୁ ପାକିସ୍ତାନ ପଶିଆସିଲା ଭଳିଆ ଲାଗୁଛି । ବିଜେପି ସଦସ୍ୟ ଜୟ ନାରାୟଣ ମିଶ୍ର କହିôଲେ ଯେ ଆମେ ଯେତେ ସର୍ତକତା ଅବଲମ୍ବନ କରିବାକଥା ତାହା କରିନାହୁଁ । ସରକାରଙ୍କ ଦୁର୍ବଳତା ଯୋଗୁଁ ଏଭଳି ହୋଇଛି । ବିଧାନସଭାରେ ଆନ୍ଧ୍ରପ୍ରଦେଶ ବିରୁଦ୍ଧରେ ସର୍ବସମ୍ମତ ସଙ୍କଳ୍ପ ପାରିତ ଲାଗି ସେ ପ୍ରସ୍ତାବ ଦେଇଥିଲେ । ଏଥି ସହିତ ଜିଲ୍ଲାପାଳମାନେ ପ୍ରତି ମାସରେ ସୀମାନ୍ତବର୍ତ୍ତୀ ଗ୍ରାମଗୁଡିକୁ ଯାଇ ଲୋକଙ୍କ ଅଭିଯୋଗ ଶୁଣିବାକୁ ସେ କହିଥିଲେ ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି କହିଥିଲେ ଯେ ବିଜେଡିର ୨୧ ବର୍ଷ ଶାସନରେ ଆଗେ ପାର୍ଟି ପଛେ ମାଟି ନୀତି ହୋଇଛି । ଏହି ସରକାରରେ ଓଡିଶାର ଜମି, ଜଳ ସୁରକ୍ଷିତ ନୁହେଁ । ଜାତି ପ୍ରମାଣପତ୍ର ପାଇବାକୁ ଓଡିଶାର ଆଦିବାସୀ ପିଲାମାନେ ଆନ୍ଧ୍ରକୁ ଯାଉଛନ୍ତି । ଓଡିଶାରେ ଏଥିପାଇଁ ସେମାନଙ୍କୁ ମାସ ମାସ ଦଉଡିବାକୁ ପଡୁଛି । କୋଟିଆରେ ଯେତେବେଳେ ଆନ୍ଧ୍ର ନିର୍ବାଚନ କଲା ସେତେବେଳେ ରାଜ୍ୟ ସରକାର ପୁଲିସ୍କୁ ନିର୍ବାଚନ ରୋକିବାକୁ କାହିଁକି ନିର୍ଦ୍ଦେଶ ଦେଲେ ନାହିଁ ବୋଲି ସେ ପ୍ରଶ୍ନ କରିବା ସହିତ କ୍ଷମତା ପାଇଁ ରାଜ୍ୟ ସରକାର ଅନ୍ଧ ହୋଇଯାଇଛନ୍ତି ବୋଲି କହିଥିଲେ ।
ଅବସ୍ଥା ଏଭଳି ହେଲାଣି ଯେ ତେଲଗୁ ଲୋକେ ଓଡିଶାର ସୀମାନ୍ତ ଅଞ୍ଚଳରେ ୩୦୦ ରୁ ୪୦୦ ଏକର ଜମି ଖରିଦ କରି ସେଠାରେ ଗଛ ଲଗାଇଲେଣି । ସମସ୍ୟାର ସମାଧାନପାଇଁ ବିବାଦୀୟ ଅଞ୍ଚଳରେ ସର୍ବଦଳୀୟ ବୈଠକ କରିବାକୁ ସେ ପ୍ରସ୍ତାବ ଦେଇଥିଲେ । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ ଯେ ଏହା ରାଜ୍ୟର ଇଜ୍ଜତ କଥା । ଆନ୍ଧ୍ର ସରକାର ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କଲାବେଳେ ସେଠାକାର ଜିଲ୍ଲାପାଳ, ବିଡିଓ କଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଥିଲେ ।
ସମସ୍ତେ ଏକାଠିହୋଇ ସୀମାକୁ ଯିବାପାଇଁ ସେ କହିବା ସହିତ ଏ ମାଟି କାହାର, ଆମର ନା ଆନ୍ଧ୍ରର ବୋଲି ପଚାରିଥିଲେ । ଆନ୍ଧ୍ର ଯାହା ଦେଉଛି ଆମେ କାହିଁକି ଦେଇ ପାରିବା ନାହିଁ । କେବଳ କୋଟିଆ ନୁହେଁ ସୁବର୍ଣ୍ଣରେଖାରୁ ପଶ୍ଚିମବଙ୍ଗ ଜବରଦସ୍ତ ବାଲି ନେଉଥିବାବେଳେ ବାଲେଶ୍ୱର ଜିଲ୍ଲାପାଳ ଓ ଗୃହ ସଚିବ କ’ଣ କରୁଛନ୍ତି ବୋଲି ସେ ପଚାରିଥିଲେ । ଶ୍ରୀ ରାଉତରାୟ କହିଥିଲେ ମାଟି ରହିଲେ ଦଳ ରହିବ । ତେଣୁ ବିବାଦୀୟ ଅଞ୍ଚଳକୁ ସର୍ବଦଳୀୟ କମିଟି ଯିବା ଆବଶ୍ୟକ ।
ଧାନଆକର୍ଷଣକାରୀ ପ୍ରସ୍ତାବରେ ଅଂଶଗ୍ରହଣ କରି ବିଜେଡି ସଦସ୍ୟ କିଶୋର ମହାନ୍ତି କହିଲେ ଯେ ସୀମାରେ ଅର୍ଥ ବଣ୍ଟାକୁ ପ୍ରତିହତ କରିବାକୁ ପଡିବ । ଆପୋଷ ଆଲୋଚନା ଦ୍ୱାରା ଏହାର ସମାଧାନ ହୋଇପାରିବ । ବିଜେଡି ସଦସ୍ୟ ଅନନ୍ତ ଦାସ କହିଥିଲେ ଯେ ସମସ୍ତେ ମିଳିମିଶି ବିରୋଧ କରିବା ଆବଶ୍ୟକ । ପାର୍ଟି ଛାଡି ମାଟି ଧର । ସୀମାର ୫କିଲୋମିଟର ଭିତରେ ବିଦ୍ୟାଳୟ ନଉଠାଇବାକୁ ସେ ପ୍ରସ୍ତାବ ଦେଇଥିଲେ । ବିଜେଡି ସଦସ୍ୟ ମନୋହର ରନ୍ଧାରୀ ରାଜ୍ୟ ସରକାର କୋଟିଆ ପାଇଁ ଘୋଷଣା କରିଥିବା ପ୍ରକଳ୍ପ ସଂକ୍ରାନ୍ତରେ ସୂଚନା ଦେଇଥିବାବେଳେ ପ୍ରକାଶ ମାଝି ସୀମାରେ ଓଡିଶର ସ୍ଥିତି ଭଲ ଥିବା କହିଥିଲେ ।
ମୁଲତବି ଆଲୋଚନାର ଉତ୍ତର ଦେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଥିଲେ ଯେ ଓଡିଶାର ୧୪ଟି ଜିଲ୍ଲାର ସୀମାକୁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ସୀମା ଲାଗିଛି । କୋରାପୁଟର କୋଟିଆ ଗ୍ରାମପୁଞ୍ଜ ସମେତ ଅନ୍ୟାନ୍ୟ ୬ଯି ଜିଲ୍ଲାରେ ପଡୋଶୀ ରାଜ୍ୟ ସହିତ ବିବାଦ ରହିଛି । ଏହି ଜିଲ୍ଲାଗୁଡିକ ହେଲା ମୟୁରଭଞ୍ଜ, ଗଞ୍ଜାମ, ବାଲେଶ୍ୱର, ଗଜପତି, କେନ୍ଦୁଝର ଏବଂ ନୂଆପଡା । ଚଳିତ ମାସ ୨ ତାରିଖରେ ଆନ୍ଧ୍ର ସରକାର ଗଞ୍ଜେଇପଦର, ଫଗୁଣସିନେରୀ ଓ ଫଟୁସିନେରୀରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଥିବାର ଖବର ମିଳିଥିଲା ।
ଆଡଭୋକେଟ ଜେନେରାଲଙ୍କ ସହିତ ପରାମର୍ଶ କରି ଆନ୍ଧ୍ରପ୍ରଦେଶ ନିର୍ବାଚନ ବିଜ୍ଞପ୍ତି ବିରୁଦ୍ଧରେ ସୁପ୍ରିମ୍କୋର୍ଟରେ ମାମଲା ରୁଜୁ ହୋଇଛି । ତେବେ ଚଳିତ ମାସ ୧୩ ତାରିଖରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅର୍ନ୍ତଗତ ଫଟୁସିନେରୀ ଗ୍ରାମରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଜିଲ୍ଲାପାଳ ଜଣାଇଛନ୍ତି ଯେ ମୋଟ୍ ୧୦୨୫ଜଣ ଭୋଟରଙ୍କ ମଧ୍ୟରୁ ୬୧୫ଜଣ ମତଦାନ କରିଥିବା ମନ୍ତ୍ରୀ କହିଥିଲେ । ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରି ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ । ମନ୍ତ୍ରୀଙ୍କ ଉତ୍ତର ପରେ ମୁଲତବି ପ୍ରସ୍ତାବଟି ଅଗ୍ରାହ୍ୟ ହୋଇଯାଇଥିଲା ।