ଭୁବନେଶ୍ୱର : ଓଡ଼ିଶା ସହିତ ପଡ଼ୋଶୀ ରାଜ୍ୟମାନଙ୍କ ବିବାଦ ପ୍ରସଂଗରେ କୋଟିଆ, ପୋଲାଭରମ୍ ଓ ମହାନଦୀ ଚର୍ଚ୍ଚାର ବଳୟ ଭିତରେ ରହୁଥିବା ବେଳେ ଆଉ ଅନେକ ବିବାଦୀୟ ଇଲାକା ସଂପର୍କରେ କ୍ୱଚିତ ଆଲୋଚନା ହୁଏ । ତେବେ ଏସବୁ ବିବାଦର ସମାଧାନ ପାଇଁ ଆଇନ୍ଗତ ଲଢ଼େଇ ଉପରେ ନିର୍ଭର କରାଯାଉଥିବାରୁ ୫୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କେବଳ ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ଶ୍ରାଦ୍ଧ ହେଉଛି ସିନା, ସମସ୍ୟାର ସନ୍ତୋଷଜନକ ସମାଧାନ ହୋଇପାରୁ ନାହିଁ ।
ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଆନ୍ଧ୍ରପ୍ରଦେଶ ସହ ଓଡ଼ିଶାର ସୀମା ବିବାଦ ଘେନି ୧୯୬୮ ମସିହାରେ ଦୁଇଟି ମାମଲା ରୁଜୁ ହୋଇଥିଲା । ଏଥିରୁ ଗୋଟିଏ ମାମଲାରେ ଓଡ଼ିଶା ସରକାର ୨୦୧୦ରେ ହାରିଥିବାବେଳେ ଅନ୍ୟ ମାମଲାଟିକୁ ୨୦୦୬ରେ ସୁପ୍ରିମକୋର୍ଟ ଖାରଜ କରିଦେବା ସହ ଆଲୋଚନା ମାଧ୍ୟମରେ ଫଇସଲା ହେବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଉଭୟ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଆନ୍ଧ୍ର ଏହି ସ୍ଥିତାବସ୍ଥାର ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣି ୨୦୨୧ରେ ଓଡ଼ିଶା ସରକାର ଏକ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି । ପରେ ପରେ ୨୦୨୩ରେ ଓଡ଼ିଶା ପକ୍ଷରୁ ଆଉ ଏକ ମାମଲା ମଧ୍ୟ ସୁପ୍ରିମକୋର୍ଟରେ ରୁଜୁ ହୋଇଛି ।
ସେହିଭଳି ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ଏକତରଫା ଭାବେ ୭୦ରୁ ଅଧିକ ବନ୍ଧ ବନ୍ଧାଇବା ଫଳରେ ମହାନଦୀର ତଳ ମୁଣ୍ଡରେ ଜଳ ପ୍ରବାହ ହ୍ରାସ ପାଇ ଓଡ଼ିଶାରେ ଏହି ବୃହତ୍ତମ ନଦୀର ଶଯ୍ୟା ବର୍ଷର ଅଧିକାଂଶ ସମୟରେ ମରୁଭୂମି ଭଳି ଶୁଖିଲା ପଡୁଛି । ମହାନଦୀର ଶାଖା ନଦୀଗୁଡ଼ିକ ମଧ୍ୟ ଏଥିଯୋଗୁ ପ୍ରଭାବିତ ହେଉଛନ୍ତି । ଏ ପ୍ରସଂଗରେ ବି ଟ୍ରିବ୍ୟୁନାଲ୍ରେ ଦୀର୍ଘବର୍ଷ ଧରି ମାମଲା ବିଚାରାଧୀନ ରହିଛି । ଏହି ମାମଲା ପରିଚାଳନା ପାଇଁ ରାଜ୍ୟ ସରକାର ମଧ୍ୟ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି । ସେହିପରି ଆନ୍ଧ୍ର ସରକାରଙ୍କ ପୋଲାଭରମ୍ ପ୍ରକଳ୍ପକୁ କେନ୍ଦ୍ର ସରକାର ଜାତୀୟ ମାନ୍ୟତା ଦେବା ସହ ଆର୍ôଥକ ସହାୟତା ବ୍ୟବସ୍ଥା କରିବା ପରିପ୍ରେକ୍ଷୀରେ ଓଡ଼ିଶାର ବିପୁଳ କ୍ଷତି ଘଟୁଛି । ଏହି ଆନ୍ତଃରାଜ୍ୟ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଭଳି ଆନ୍ତରିକତା ପ୍ରକାଶ ପାଇବା କଥା ତାହା ହେଉନାହିଁ ।
କେବଳ କୋଟିଆ ନୁହେଁ, କୋଟିଆ ଗ୍ରାମପୁଞ୍ଜ ଅନ୍ତର୍ଭୁକ୍ତ ୨୧ଟି ଗାଁକୁ ନେଇ ବିବାଦ ରହିଛି । ଏହାଛଡ଼ା ବୋରାମୁଖା ଅଞ୍ଚଳରେ ବି ଅନେକ ଗ୍ରାମକୁ ନେଇ ଦୁଇ ରାଜ୍ୟ ଭିତରେ ତୁତୁ ମେଁ ମେଁ ଚାଲିଛି । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ କାଶୀନଗର ଅଞ୍ଚଳର କେତେଗୁଡ଼ିଏ ଗ୍ରାମ ବି ଆନ୍ଧ୍ର ସହ ବିବାଦ ଘେରରେ ରହିଛି । ମୟୂରଭଞ୍ଜ ଜିଲ୍ଲାର ଅନ୍ୟୁନ ୮ଟି ଗାଁକୁ ନେଇ ପଶ୍ଚିମବଙ୍ଗ ସହିତ ଓଡ଼ିଶାର ସୀମା ବିବାଦ ଥିଲାବେଳେ ସେହି ଜିଲ୍ଲାର ଆଉ ଦୁଇଟି ଗାଁକୁ ନେଇ ଝାଡ଼ଖଣ୍ଡ ସହିତ ବି ବିବାଦ ଚାଲିଛି ।
ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ ଗାଁକୁ ନେଇ ଛତିଶଗଡ଼ ସହିତ ଓ କେନ୍ଦୁଝର ଜିଲ୍ଲାର ଆଉ ଗୋଟିଏ ଗାଁକୁ ନେଇ ଝାଡ଼ଖଣ୍ଡ ସହିତ ବିବାଦ ଥମୁନାହିଁ । ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅଞ୍ଚଳରେ ପଶ୍ଚିମବଙ୍ଗ ବାରମ୍ବାର ଅଧିକାର ଦାବି କରିବା ସଂଗେ ସଂଗେ ବେଆଇନ୍ ଭାବେ ସୁବର୍ଣ୍ଣରେଖା ନଦୀ ଶଯ୍ୟାରୁ ହଜାର ହଜାର ଟ୍ରକ ବାଲି ଉଠାଇ ଚାଲିଛି । ଏହି ୪ଟି ରାଜ୍ୟ ଓଡ଼ିଶାର ଅନେକ ଚାଷ ଜମି, ଜଙ୍ଗଲ ଜମି, ପାହାଡ ପର୍ବତ ଏମିତିକି ନଦୀ ନାଳକୁ ବି ଅକ୍ତିଆର କରୁଛନ୍ତି । ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ବହୁ ସମୟରେ ଉତ୍ତେଜନା ଲାଗି ରହୁଥିବା ବେଳେ କେତେକ ସ୍ଥାନରେ ଉଭୟ ରାଜ୍ୟର ଦ୍ୱୈତ ଶାସନ ଚାଲୁଛି । (ତଥ୍ୟ)