ଭୁବନେଶ୍ୱର : ଓଡ଼ିଶାର ସୀମାନ୍ତବର୍ତ୍ତୀ ୬୪ଟି ବ୍ଲକ୍ ମଧ୍ୟରୁ ୫୦ଟିକୁ ପଛୁଆ ଓ ଅତି ପଛୁଆ ଭାବେ ଆଞ୍ଚଳିକ ବୈଷମ୍ୟ କମିଶନ ଚିହ୍ନଟ କରିଥିବା ବେଳେ ଆଇଟିଡିଏ ବ୍ଲକ୍ ଭିତରୁ ୭୨ ପ୍ରତିଶତ ବି ପଛୁଆ ଓ ଅତି ପଛୁଆ ତାଲିକାରେ ରହିଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ପଛୁଆ ଅଞ୍ଚଳ ଉନ୍ନୟନ ପରିଷଦ ବା ବିଏଡିସି ଗଠନ ଲାଗି ଏହି କମିଶନ ସୁପାରିଶ କରିଥିବା ବେଳେ ଆନ୍ତଃରାଜ୍ୟ ସୀମା ବିବାଦ ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଛି ।
ମୋଟାମୋଟି ଭାବେ କମିଶନ ତାଙ୍କ ରିପୋର୍ଟରେ ରାଜ୍ୟର ୩୧୪ଟି ବ୍ଲକ୍ ଭିତରୁ ୧୫୬ଟି ପଛୁଆ ଓ ଅତି ପଛୁଆ ଭାବେ ତାଙ୍କ ରିପୋର୍ଟରେ ଚିହ୍ନଟ କରିଥିଲେ । ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ ଆଞ୍ଚଳିକ ବିଷମତା ଘେନି ଅଭିଯୋଗ ଆସିବା ସହ ପଛୁଆ ଅଞ୍ଚଳଗୁଡ଼ିକର ବିକାଶ ପାଇଁ ବିଭିନ୍ନ ମହଲରୁ ସ୍ୱର ଉଠିବା ପରେ ବାସ୍ତବତାକୁ ହୃଦୟଙ୍ଗମ କରି ରାଜ୍ୟ କ୍ୟାବିନେଟ୍ ଆଞ୍ଚଳିକ ବୈଷମ୍ୟ କମିଶନ ଗଠନ ଲାଗି ନିଷ୍ପତ୍ତି ନେଇଥିଲେ ଓ ତଦନୁଯାୟୀ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଶଭ୍ରାଂଶୁ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ୮ ଜଣ ସଦସ୍ୟ ବିଶିଷ୍ଟ ଏହି କମିଶନ ଗଠନ କରାଯାଇଥିଲା ।
ରାଜ୍ୟ ଭିତରେ ଓ ବାହାରେ ବିଭିନ୍ନ ସ୍ଥାନକୁ ଗସ୍ତ କରିବା ସହ ବିଭିନ୍ନ ମହଲରୁ ସକରାତ୍ମକ ମତାମତ ସଂଗ୍ରହ କରି ଏହି କମିଶନ ୨୦୦୮ ମସିହାରେ ରାଜ୍ୟ ସରକାରଙ୍କୁ ବିସ୍ତୃତ ରିପୋର୍ଟ ଦେଇଥିଲେ । ୧୧ଟି ବିଭାଗର ସଚିବମାନଙ୍କୁ ନେଇ ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ଏହି ରିପୋର୍ଟର ସମୀକ୍ଷା ଲାଗି ଏକ ସବ୍କମିଟି ମଧ୍ୟ ଗଠନ କରାଯାଇଥିଲା ।
କୃଷି, ଭିତ୍ତିଭୂମି ଉନ୍ନୟନ, ଦାରିଦ୍ର୍ୟ ଦୂରୀକରଣ, ଶିକ୍ଷା, ସ୍ୱାସ୍ଥ୍ୟସେବା, ବେକାରୀ ସମସ୍ୟା ଆଦି ବିଭିନ୍ନ ଦିଗ ସମ୍ପର୍କରେ କମିଶନ ବ୍ୟାପକ ଅନୁଶୀଳନ କରି ରାଜ୍ୟର ସମବିକାଶ ଲାଗି ବରାଦ ଅର୍ଥର ଅନ୍ୟୁନ ୭୦ ପ୍ରତିଶତ ପଛୁଆ ଓ ଅତି ପଛୁଆ ଜିଲ୍ଲା ତଥା ବ୍ଲକ୍ଗୁଡ଼ିକ ଲାଗି ବ୍ୟବସ୍ଥା କରିବାକୁ କମିଶନ ତାଙ୍କ ରିପୋର୍ଟରେ ନିର୍ଦ୍ଦିଷ୍ଟ ଭାବେ ଅନେକଗୁଡ଼ିଏ ପ୍ରସ୍ତାବ ଦେଇଥିଲେ ।
ଏବେ ଓଡ଼ିଶାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା କେତେକ ଗାଁରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରୁଥିବା ପରିପ୍ରେକ୍ଷୀରେ ସୀମାନ୍ତବର୍ତ୍ତୀ ଇଲାକାର ପଛଉଆ ଅଞ୍ଚଳ ବିକାଶ ପ୍ରସଙ୍ଗ ପୁଣି ଜୋର୍ ଧରିଛି । ସୁପ୍ରିମ୍କୋର୍ଟରେ ମାମଲା ବିଚାରାଧୀନ ଥିବା କଥା ରାଜସ୍ୱ ମନ୍ତ୍ରୀ କହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକରାତ୍ମକ ପଦକ୍ଷେପ ନେଇ କୋଟିଆ ଅଞ୍ଚଳରେ ଆଜି ଅନେକଗୁଡ଼ିଏ ବିକାଶମୂଳକ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି । ଇତିମଧ୍ୟରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପାଇଁ ଓଡ଼ିଶାର କେତେକ ଗାଁର ଲୋକେ ପ୍ରାର୍ଥୀପତ୍ର ଦାଖଲ କରିବା ଘଟଣା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।
ବିକାଶ ବିଶେଷଜ୍ଞ ଓ ଓଡ଼ିଆପ୍ରେମୀମାନେ ଏ ପରିପ୍ରେକ୍ଷୀରେ ସୀମାନ୍ତ ଅଞ୍ଚଳର ସନ୍ତୁଳନ ବିକାଶ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଆନ୍ଧ୍ର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ ସହିତ ଆମ ରାଜ୍ୟର ୧୦ଟି ଜିଲ୍ଲାର ୯୬ଟି ଗାଁକୁ ନେଇ ସୀମା ବିବାଦ ରହିଛି । ଏଥିରେ ୭ଟି ନଦୀନାଳ, ୮ଟି ଜଙ୍ଗଲ ସମେତ ପାଖାପାଖି ୩୦ହଜାର ଏକର ଜମିଜମା ଜଡ଼ିତ ।
ସରକାରୀ ତଥ୍ୟ ମୁତାବକ ସୀମା ବିବାଦ ପ୍ରସଙ୍ଗରେ ଓଡ଼ିଶା ସରକାର ୧୯୬୮ ମସିହାରେ ସୁପ୍ରିମ୍କୋର୍ଟରେ ଆନ୍ଧ୍ର ବିରୁଦ୍ଧରେ ୨ଟି ମାମଲା ରୁଜୁ କରିଥିଲେ । ଏଥିରୁ ଗୋଟିଏ ମାମଲା ୨୧ଟି କୋଟିଆ ଗ୍ରାମପୁଞ୍ଜ ସମ୍ପର୍କରେ ଥିବା ବେଳେ ଅନ୍ୟ ମାମଲାଟି ବୋରମୁଥା ଓ ଏହାର ୧୨ଟି ପଡ଼ାଗ୍ରାମ ସମ୍ପର୍କରେ । ଇତିମଧ୍ୟରେ ୨ଟି ଯାକ ମାମଲାର ସୁପ୍ରିମ୍କୋର୍ଟରେ ସମାପ୍ତି ଘଟିଛି ।
ତେବେ ୧୯୬୮ ଡିସେମ୍ବର ୨ ତାରିଖରେ ଗୋଟିଏ ମାମଲାରେ ସୁପ୍ରିମ୍କୋର୍ଟ ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେଇ ଦୁଇପକ୍ଷଙ୍କୁ ସ୍ଥିତାବସ୍ଥା ବଜାୟ ରଖିବାକୁ କହିଥିବା ବେଳେ ୨୦୦୬ ମାର୍ଚ୍ଚ ୩୦ ତାରିଖରେ ମାମଲା ସମାପ୍ତି ବେଳେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମାଧାନ ନ ହେବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ଆଦେଶ ଦେଇଥିଲେ ।