Home General ସୀମା ବିବାଦର ସମାଧାନ ହେବ କେବେ?

ସୀମା ବିବାଦର ସମାଧାନ ହେବ କେବେ?

ଭୁବନେଶ୍ୱର : ଆନ୍ଧ୍ର ସହିତ ଓଡ଼ିଶାର ସୀମା ବିବାଦ ପ୍ରାୟ ୬୦ବର୍ଷ ଧରି ଚାଲିଥିବାବେଳେ ସମ୍ବିଧାନର ୩ଟିଯାକ ସ୍ତମ୍ଭ ମାଧ୍ୟମରେ ଏହାର ଏଯାବତ୍‍ ସମାଧାନ ହୋଇପାରୁ ନାହିଁ । ଫଳରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଦୁଇ ରାଜ୍ୟ ମଧ୍ୟରେ ଟଣାଓଟରା ଲାଗିଛି । କେନ୍ଦ୍ର ସରକାର ମଧ୍ୟସ୍ଥତା କରି ଏହି ବିବାଦର ସମ୍ବିଧାନ ସମ୍ମତ ମାର୍ଗରେ ସମାଧାନ ଲାଗି ଏଯାବତ୍‍ ପଦକ୍ଷେପ ଗ୍ରହଣ କରିନାହାନ୍ତି ।

ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ କୋରାପୁଟ ସୀମାନ୍ତବର୍ତ୍ତୀ ଅନ୍ୟୁନ ୩୪ଟି ଗ୍ରାମପୁଞ୍ଜ ସଂକ୍ରାନ୍ତୀୟ ଆନ୍ତଃରାଜ୍ୟ ବିବାଦ ପ୍ରସଂଗରେ ସୁପ୍ରିମକୋର୍ଟରେ ୧୯୬୮ ମସିହାରେ ମାମଲା ରୁଜୁ ହୋଇଥିଲା । ସେଥିରୁ ଗୋଟିଏ ମାମଲାର ପରିସମାପ୍ତି ଘଟିଛି । ଆଉ ଗୋଟିଏ ମାମଲାରେ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଉଭୟ ପକ୍ଷଙ୍କୁ ଆଦେଶ ଦେବା ସହିତ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆନ୍ଧ୍ର ସରକାର ଏହି ନିର୍ଦ୍ଦେଶନାମାର ଉଲ୍ଲଂଘନ କରୁଥିବା ଦର୍ଶାଇ ୨୦୨୧ ମସିହାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା ଯାହା ଏଯାବତ୍‍ ବିଚାରାଧୀନ ରହିଛି । ଏହାଛଡ଼ା ୨୦୨୩ ବର୍ଷରେ ଓଡ଼ିଶା ସରକାର ମଧ୍ୟ ସୁପ୍ରିମକୋର୍ଟରେ ଅନ୍ୟ ଏକ ମାମଲା ରୁଜୁ କରିଛନ୍ତି । ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହାର ଫଇସଲା ନହେବା ଯାଏ ସ୍ଥିତାବସ୍ଥା ବଜାୟ ରହିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ।

କୋଟିଆ ଗ୍ରାମପୁଞ୍ଜର ୨୧ଟି ଓ ବୋରାମୁଥା ଗ୍ରାମପୁଞ୍ଜର ୧୩ଟି ଗାଁକୁ ନେଇ ଏହି ମାମଲା ସବୁ ଚାଲିଛି । ବାରମ୍ବାର ଏହି ଗ୍ରାମଗୁଡ଼ିକ ମଧ୍ୟରେ ଆନ୍ଧ୍ର କର୍ତ୍ତୃପକ୍ଷ ଅନୁପ୍ରବେଶ କରୁଛନ୍ତି । ଏମିତିକି ସୀମାନ୍ତବର୍ତ୍ତୀ ଏହି ଅଞ୍ଚଳର ଅନେକ ଲୋକଙ୍କ ନାଁ ଦୁଇ ରାଜ୍ୟର ଭୋଟର ତାଲିକାରେ ରହିଛି । ଉଭୟ ରାଜ୍ୟ ପକ୍ଷରୁ ବି ଏହି ବିବାଦୀୟ ଅଞ୍ଚଳରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ସୁବିଧା ଦିଆଯାଉଛି । ପଟାଙ୍ଗୀ ତହସିଲ ଓ କୋରାପୁଟ ଜିଲ୍ଲା ପ୍ରଶାସନ ଏ ପ୍ରସଂଗରେ ନାକେଦମ ହୋଇସାରିଲେଣି ।

କୋରାପୁଟର ଏଭଳି ୩୪ଟି ଗାଁକୁ ଛାଡ଼ିଦେଲେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ କାଶୀନଗର ତହସିଲ ଅଞ୍ଚଳରେ ବି ଆନ୍ଧ୍ର ପ୍ରଦେଶ ସୀମା ବିବାଦ ପରିସ୍ଥିତି ସୃଷ୍ଟି କରୁଛି । ଏଥିଯୋଗୁ ଏହି ଦୁଇ ଜିଲ୍ଲାର ଅନେକ ଜମି, ଜଳ ଓ ଜଙ୍ଗଲ ସଂପଦ ବିପଦରେ ପଡୁଛି । ଏମିତିକି ଓଡ଼ିଶାରେ ଜନଶୁଣାଣି ନକରି ଆନ୍ଧ୍ର ପ୍ରଦେଶ ପୋଲାଭରମ୍‍ଠାରେ ଯେଉଁ ନଦୀବନ୍ଧ ପ୍ରକଳ୍ପ ନିର୍ମାଣ କରୁଛି ତାହାକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେଇଥିବାବେଳେ ଏହି ପ୍ରକଳ୍ପ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୈଲେ ଅବିଭକ୍ତ କୋରାପୁଟ ଜିଲ୍ଲାର ଅନେକ ଜନବସତି, ଜମି ଓ ଜଙ୍ଗଲ ବୁଡ଼ିଯିବର ଆଶଙ୍କା ରହିଛି । ଏହାଛଡ଼ା ବିବାଦୀୟ ପରିସ୍ଥିତି ସୃଷ୍ଟି କରି ସେ ଅଞ୍ଚଳରେ ଥିବା ଖଣିଜ ସାମଗ୍ରୀ ହଡ଼ପ କରିବା ପାଇଁ ମଧ୍ୟ ଆନ୍ଧ୍ର ଲୋଲୁପ ଦୃଷ୍ଟି ପକାଉଥିବା ଘେନି ଅଭିଯୋଗ ହେଉଛି ।

କେବଳ ସେତିକି ନୁହେଁ, ଏ ଅଞ୍ଚଳରେ ଓଡ଼ିଶା ଶିକ୍ଷାକୁ ଦୁର୍ବଳ କରି କିଭଳି ତେଲଗୁ ଭାଷା ଶିକ୍ଷା ଅଧିକ ହୋଇପାରିବ ତାହା ଉପରେ ବି ଆନ୍ଧ୍ର ପ୍ରଶାସନ ଗୁରୁତ୍ୱାରୋପ କରୁଛି । ଦୀର୍ଘବର୍ଷ ଧରି ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଲାଗି ରହିଥିବା ଏହି ବିବାଦୀୟ ପରିସ୍ଥିତି ଯୋଗୁ ପ୍ରକୃତ ବିକାଶ କାର୍ଯ୍ୟ ବିଭ୍ରାଟ ହେଉଛି ବୋଲି ସ୍ଥାନୀୟ ଅଞ୍ଚଳର ଅନେକ ସଚେତନ ଲୋକ ଖୋଲା ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)