ଭୁବନେଶ୍ୱର : ଆପଣଙ୍କ ଫୋନ୍ ନମ୍ବରର କେୱାଇସି ନାହିଁ । ତୁରନ୍ତ ଏହାକୁ ନକରାଇଲେ ଆପଣଙ୍କ ଫୋନ୍ ନମ୍ବର ଅକାମୀ ହୋଇଯିବ । ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଏଭଳି ଛାନିଆ ମେସେଜ ଓ ଫୋନ୍ ପାଇ କେୱାଇସି ଯାଞ୍ଚ କରିବାକୁ ଯାଉଥିବା ଗ୍ରାହକଙ୍କ ଠାରୁ ୫୦ଟଙ୍କା କରି ଆଦାୟ ହେଉଛି ।
ବିଏସଏନଏଲର ଏଭଳି ଅର୍ଥ ଆଦାୟକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । କିଛି ଗ୍ରାହକଙ୍କ କହିବାକଥା ଯେ ବିଏସଏନଏଲ୍ କେୱାଇସି ଯାଞ୍ଚ ପାଇଁ ଗ୍ରାହକଙ୍କ ଆଧାରକାର୍ଡ ନେବାପରେ ପୁଣିଥରେ ସେମାନଙ୍କ ଫଟୋ, ଆଖି ଡୋଳା ଫଟୋ ଓ ଆଙ୍ଗୁଠି ଛାପ ନିଆଯାଉଛି । ଏଥିପାଇଁ ବିଏସ୍ଏନଏଲ ଦପ୍ତରରେ କାଉଣ୍ଟର ଖୋଲାଯିବା ସହିତ ଏଠାକୁ ଆସୁଥିବା ଗ୍ରାହକଙ୍କ ଠାରୁ ଏ ବାବଦରେ ୫୦ଟଙ୍କା କରି ଆଦାୟ କରାଯାଉଛି । ୫୦ ଟଙ୍କା ଦେବାପରେ ସମ୍ପୃକ୍ତ ମୋବାଇଲ୍ ନମ୍ବରକୁ ଏକ ଓଟିପି ଆସୁଛି ଓ ଏହାପରେ ଫଟୋ ଉଠାଯାଉଛି ।
ତେବେ ଗ୍ରାହକମାନଙ୍କ କହିବାକଥା ଯେ ସେମାନେ ଯେତେବେଳେ ମୋବାଇଲ ସଂଯୋଗ ପାଇଁ ସିମ୍ ନେଇଥିଲେ ସେତେବେଳେ ବିଏସଏନଏଲ୍ ନିୟମ ଅନୁଯାୟୀ ସମସ୍ତ କାଗଜପତ୍ର ଦାଖଲ କରିଥିଲେ । ଏଥିରେ ସେମାନଙ୍କର ଫଟୋ, ପରିଚୟପତ୍ର, ଆଧାରକାର୍ଡ କିମ୍ବା ଭୋଟର ପରିଚୟପତ୍ର ସହିତ ବାସସ୍ଥାନ ଠିକଣା ଆଦି ରହିଥିଲା । ସେତେବେଳେ ବିଏସଏନଏଲ୍ କର୍ତ୍ତୃପକ୍ଷ ସେତେବେଳେ ଏହାକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ । ଏହାପରେ ଯେତେବେଳେ ଗ୍ରାହକମାନେ ନିଜ ନିଜର ସ୍ମାର୍ଟଫୋନ୍ ପାଇଁ ଛୋଟ ସିମ୍କାର୍ଡ ଆଣିବାକୁ ଗଲେ ସେତେବେଳେ ମଧ୍ୟ ଆଉଥରେ ଆଧାରକାର୍ଡ ସହିତ ଅନ୍ୟାନ୍ୟ କାଗଜପତ୍ର ଦାଖଲ କରିବାକୁ ପଡିଲା ।
ବର୍ତ୍ତମାନ ପୁଣିଥରେ ବିଏସଏନଏଲ୍ କର୍ତ୍ତୃପକ୍ଷ ଅନେକ ଗ୍ରାହକଙ୍କ ନିକଟକୁ ସିମ୍ କାର୍ଡ ଅଚଳର ବାର୍ତ୍ତା ଦେଇ କେୱାଇସି ଠିକ୍ କରିବାକୁ କହୁଛନ୍ତି । ତେବେ ଗ୍ରାହକଙ୍କ କହିବାକଥା ଯେ କେୱାଇସି ପାଇଁ ଏବେ ଯେଉଁ ଆଧାରକାର୍ଡ ନମ୍ବର ଦିଆଯାଉଛି ସେଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କର ବାସସ୍ଥାନ ଠିକଣା ସହିତ ଆଖିଡୋଳାର ଫୋଟା, ଅଙ୍ଗୁଠିଛାପ ଆଦି ରହିଛି । କାରଣ ଆଧାରକାର୍ଡ ପ୍ରସ୍ତୁତି ସମୟରେ ଏହା ନିଆଯିବା ବାଧ୍ୟତାମୂଳକ କରାଯାଇଛି ।
ଆଧାରକାର୍ଡ ନମ୍ବର ନେବାପରେ ବିଏସଏନଏଲ୍ର ଏଭଳି ଫଟୋଉଠାକୁ ନେଇ ଗ୍ରାହକମାନେ ଅସନ୍ତୋଷବ୍ୟକ୍ତ କରୁଛନ୍ତି । କେତେକ ଏହା ବିଏସଏନଏଲ୍ର ଏକ ପ୍ରକାର ଗ୍ରାହକଙ୍କ ଠାରୁ ଜବରଦସ୍ତ ଅର୍ଥ ଆଦାୟ ବୋଲି ମତ ଦେଉଥିବାବେଳେ ଆଉ କିଛି ଗ୍ରାହକ ଏହା ଘରୋଇ ଟେଲିକମ୍ କମ୍ପାନୀର ଗ୍ରାହକ ବୃଦ୍ଧି ପାଇଁ ସୁଚିନ୍ତିତ ଯୋଜନା ବୋଲି ମତ ଦେଇଛନ୍ତି । (ତଥ୍ୟ)