ଭୁବନେଶ୍ୱର : ଗତ ପାଞ୍ଚବର୍ଷ ମଧ୍ୟରେ ସିବିଆଇ ପକ୍ଷରୁ ୧୬୬ ଜଣ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ଓଡିଶାରୁ ୨ଜଣ ଅଛନ୍ତି । ତେବେ ଏହି ତାଲିକାରେ ସର୍ବାଧିକ ଅଧିକାରୀ ମହାରାଷ୍ଟ୍ରର ରହିଥିବା ଜଣାଯାଇଛି ।
ସିବିଆଇ ପକ୍ଷରୁ ୨୦୧୮ ରୁ ଚଳିତବର୍ଷ ଫେବୃୟାରୀ ଶେଷ ସୁଦ୍ଧା ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ ୧୧୦ଟି ମାମଲା ରୁଜୁ କରାଯାଇଛି । ମାମଲା ରୁଜୁ ହୋଇଥିବା ଅଧିକାରୀଙ୍କ ସଂଖ୍ୟା ହେଉଛି ୧୬୬ । ଏମାନଙ୍କ ମଧ୍ୟରୁ ସର୍ବାଧିକ ୩୫ ଜଣ ମହାରାଷ୍ଟ୍ରର ହୋଇଥିବାବେଳେ ୧୮ଜଣ ହେଉଛନ୍ତି ଜାମ୍ମୁ କାଶ୍ମୀରର । ସେହିଭଳି ୧୪ଜଣ ଝାଡଖଣ୍ଡରୁ ଥିବାବେଳେ ୧୩ଜଣ ଉତ୍ତରପ୍ରଦେଶରୁ ଓ ୧୦ଜଣ ତାମିଲନାଡୁରୁ ଅଛନ୍ତି । ଅନ୍ୟ ସମସ୍ତ ରାଜ୍ୟରୁ ମାମଲା ରାଜ୍ୟରୁ ମାମଲା ରୁଜୁର ସମ୍ମୁଖୀନ ହୋଇଥିବା ପ୍ରଶାସନିକ ଅଧିକାରୀଙ୍କ ସଂଖ୍ୟା ଏକ ଅଙ୍କରେ ରହିଛି । ତେବେ ମୋଟ୍ ୨୩ଟି ରାଜ୍ୟରେ ସିବିଆଇ ମାମଲା ରୁଜୁ କରିଛି ।
ତେବେ ଇତି ମଧ୍ୟରେ ୨୦୨୦ ସେପ୍ଟେମ୍ବର ମାସରେ ଭାରତ ସରକାର ସର୍ବଭାରତୀୟ ଅଧିକାରୀମାନଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମିଶନ କର୍ମଯୋଗୀର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା ଅଧିକାରୀମାନେ ବୃତ୍ତିଗତ ଦକ୍ଷତା ସହିତ ଉପଯୁକ୍ତ ତାଲିମ ପାଇପାରିବେ । ଏଥି ସହିତ ଜାତୀୟ ସ୍ତରର କାର୍ଯ୍ୟକ୍ରମଗୁଡିକୁ ସଫତଳାର ସହ ଆଗକୁ ନେଇପାରିବେ ।
ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ କ୍ୟାଡରଗୁଡିକରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତବର୍ଷ ମାର୍ଚ୍ଚ ୧୭ତାରିଖରୁ ବିଗତ ତିନିବର୍ଷ ମଧ୍ୟରେ ଗ୍ରୁପ୍ ଏ ଓ ବି ପାହ୍ୟାର ୮୮ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଉଛି । ସେହିଭଳି କାର୍ମିକ ମନ୍ତ୍ରାଳୟ ପକ୍ଷରୁ ଡେପୁଟେସନରେ ଯାଉଥିବା ଅଧିକାରୀଙ୍କ ଅବଧିକୁ ୫ ବର୍ଷରୁ ବିଶେଷ ମାମଲାରେ ୭ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ ବୋଲି କହିଛନ୍ତି ।
ସିବିଆଇ ଅନ୍ୟ ଯେଉଁସବୁ ରାଜ୍ୟର ଅଧିକାରୀମାନଙ୍କ ମଧ୍ୟରେ ମାମଲା ରୁଜୁ କରିଛି ସେମାନଙ୍କ ମଧ୍ୟରେ ଦିଲ୍ଲୀର ୯ଜଣ ଅଧିକାରୀ ଥିବାବେଳେ ହରିଆନାର ୮ଜଣ, ବିହାରର ୭ଜଣ, ଗୁଜୁରାଟର ୬ଜଣ, ଚଣ୍ଡିଗଡ, ପଞ୍ଜାମ, ମଣିପୁରର ୫ଜଣ କରି, ଆସାମ ଓ ରାଜସ୍ଥାନର ୪ଜଣ କରି, ତେଲେଙ୍ଗାନାର ୩ଜଣ, ଓଡିଶା ଓ ଗୋଆରେ ୨ଜଣ କରି ଏବଂ ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, ମେଘାଳୟ ଏବଂ ପଶ୍ଚିମବଙ୍ଗର ଜଣେ କରି ଅଧିକାରୀଙ୍କ ବିରୁଦ୍ଧରେ ସିବିଆଇ ମାମଲା ରୁଜୁ କରିଛି । (ତଥ୍ୟ)