ଭୁବନେଶ୍ୱର: ମାସିକ ପତ୍ରିକା ‘ସିନ୍ଧୁଜା’ର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶନିବାର ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ‘ସମକାଳୀନ ସାମାଜିକ-ଅର୍ଥନୈତିକ ପ୍ରେକ୍ଷାପଟ୍ଟରେ ମହିଳାଙ୍କ ଭୂମିକା’ ଶୀର୍ଷକ ଏକ ଜାତୀୟସ୍ତରୀୟ ଆଲୋଚନା ଚକ୍ର୍ର ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ଅକ୍ଷୟ ସ୍ୱାଇଁଙ୍କ ଦୁଇଟି ପୁସ୍ତକ ‘ସୁମିତ୍ରା ଯାହା ଜାଣେ ନାହିଁ’ (ଲଘୁ ଗଳ୍ପ ସଂକଳନ) ଓ ଅନୁବାଦ ପୁସ୍ତକ ‘କଥା ଭାରତୀ’ ଲୋକାର୍ପିତ ହୋଇଥିଲା । ଏହା ଛଡା ଡ. ମାଧବ ବେହୁରାଙ୍କ ସଂପାଦିତ ଗଳ୍ପ ପୁସ୍ତକ ‘ଗଳ୍ପ ସିନ୍ଧୁଜା’ ଉନ୍ମୋଚିତ ହୋଇଥିଲା ।
ବରିଷ୍ଠ ସାହିତ୍ୟିକା ଡ. ଅର୍ଚ୍ଚନା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ସିନ୍ଧୁଜା’ର ବାର୍ଷିକ ଉତ୍ସବରେ ଅତିଥିମାନେ ମହିଳାଙ୍କ କାର୍ଯ୍ୟଦକ୍ଷତା ଆଲୋକପାତ କରିଥିଲେ । ଅଧ୍ୟାପକ ସନ୍ତୋଷ ତ୍ରିପାଠୀ, ସମାଜସେବୀ ଅନୁରାଧା ମହାନ୍ତି, ମନୋରଂଜନ ମିଶ୍ର ଓ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ ।
‘ସିନ୍ଧୁଜା’ର ସମ୍ପାଦିକା ଶର୍ମିଳା ସାହୁ ବିବରଣୀ ପାଠ କରିଥିବା ବେଳେ ଡ. ମାଧବ ଚନ୍ଦ୍ର ବେହୁରା ସ୍ୱାଗତ ଭାଷଣ ଦେଇଥିଲେ । ରଶ୍ମିତା ବେହେରା ସଂଯୋଜନା କରିଥିବା ବେଳେ ମୂରଲୀଧର ସ୍ୱାଇଁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଏହି ଅବସରରେ ଦେବେନ୍ଦ୍ର କୁମାର ବେହେରାଙ୍କୁ ସିନ୍ଧୁଜା ସେବା ସମ୍ମାନ,ଡ. ଜ୍ୟୋତିପ୍ରକାଶ ମହାପାତ୍ରଙ୍କୁ ସିନ୍ଧୁଜା କର୍ପୋରେଟ ସମ୍ମାନ, ରୁମଝୁମ ନାୟକଙ୍କୁ ସିନ୍ଧୁଜା ଗଳ୍ପ ସମ୍ମାନ, ଦେବପ୍ରିୟ ପ୍ରୀୟଦର୍ଶୀଙ୍କୁ ସିନ୍ଧୁଜା କବିତା ସମ୍ମାନ ଓ ଡ. ଶୁଭଦର୍ଶିନୀ ପରିଡାଙ୍କୁ ସିନ୍ଧୁଜା ପ୍ରବନ୍ଧ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।